ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଭାରତୀୟ ଦଳକୁ ଫେରିବା କଷ୍ଟ ସାଧ୍ୟ ହେବ ବୋଲି କିଛି ଲୋକ ଭାବୁଛନ୍ତି। ହେଲେ ତାଙ୍କ ପୂର୍ବତନ ଦଳୀୟ ସାଥୀ ମହମ୍ମଦ କୈଫ୍ଙ୍କ ଦୃଢ଼ ବିଶ୍ବାସ ଯେ ଏପର୍ଯ୍ୟନ୍ତ ଧୋନିଙ୍କ ବିକଳ୍ପ ଭାରତୀୟ ଦଳକୁ ମିଳିନି। ଦେଓଧର ଟ୍ରଫିରେ ଖେଳିଲା ବେଳେ ଧୋନିଙ୍କୁ ଦେଖିଥିଲି। ମୁଁ କେନ୍ଦ୍ରାଞ୍ଚଳର ଅଧିନାୟକ ଥିଲି ସେ ପୂର୍ବାଞ୍ଚଳ ପକ୍ଷରୁ ଖେଳୁଥିଲେ। ଏହାର ଦୁଇ ବର୍ଷ ପରେ ଧୋନି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍ରେ ଆମେ ୩୬୦ ରନ୍ କରିଥିଲୁ। ସେ ୩ ନମ୍ବର ସ୍ଥାନରେ ବ୍ୟାଟିଂକୁ ଆସି ଧୁଆଁଧାର ଖେଳି ୪୦-୫୦ ବଲ୍ରୁ ୮୦-୮୫ ରନ୍ ସଂଗ୍ରହ କରିଥିଲେ। ସେତେବେଳେ ମୁଁ ଅନୁଭବ କରିଥିଲି ତାଙ୍କ ପାଖରେ ନିଆରା ଶୈଳୀ ରହିଛି ଏବଂ ଖେଳକୁ ଭଲ ଭାବରେ ବୁଝି ପାରୁଛନ୍ତି। ଏହାପୂର୍ବରୁ, ମୁଁ ଧୋନିଙ୍କ ବିଷୟରେ ପ୍ରଥମେ ଜଣେ ବନ୍ଧୁଙ୍କଠାରୁ ଶୁଣିଥିଲି। ଧୋନି ଭାରତ-ଏ ପକ୍ଷରୁ ଖେଳୁଥିବାର ସେ ଟିଭିରେ ଦେଖିଥିଲା। ଧୋନି ଲମ୍ବା ଚୁଟି ରଖିବା ସହ ଗଗଲ୍ସ ପିନ୍ଧି ୱିକେଟ୍ କିପିଂ କରୁଥିବା ନେଇ ସାଙ୍ଗ ମୋତେ କହିଥିଲା। ଏହା ପରେ ମୁଁ ଧୋନଙ୍କ ସହିତ ଖେଳିବାର ସୁଯୋଗ ପାଇଥିଲି ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କୈଫ୍ ପ୍ରକାଶ କରିଛନ୍ତି।
୨୦୦୪ରେ ବାଂଲାଦେଶ ବିପକ୍ଷରେ ଧୋନି ଦିନିକିଆ ପଦାର୍ପଣ କରିଥିଲେ। ହେଲେ ଏହି ମ୍ୟାଚ୍ରେ ସେ ରନ୍ ଆଉଟ୍ ହୋଇଥିଲେ। ସେତେବେଳେ ତାଙ୍କ ଅପରପାର୍ଶ୍ବରେ କୈଫ୍ ଥିଲେ। ଏହି ସ୍ମୃତିକୁ ମନେ ପକାଇ କୈଫ୍ କହିଛନ୍ତି ଯେ ବାଂଲାଦେଶ ବିପକ୍ଷରେ ଧୋନି ରନ୍ ଆଉଟ୍ ହୋଇଥିଲେ। ମୁଁ ତାଙ୍କ ଅପରିପାର୍ଶ୍ବରେ ଥିଲି। ସେତେବେଳେ ତାଙ୍କ ନିକଟରେ ମ୍ୟାଚ୍ ଫିନିସିଂ ଓ ମ୍ୟାଚ ବିଜେତା ଗୁଣ ଅଛି ବୋଲି କେହି ଜାଣି ନଥିଲେ। ତାଙ୍କର ପ୍ରଥମ ୨-୩ ପାଳି ଭଲ ଥିଲା। ପାକିସ୍ତାନ ବିପକ୍ଷ ବିଶାଖାପାଟଣା ମ୍ୟାଚ୍ରେ ସେ ୧୪୮ ରନ୍ର ଅବିସ୍ମରଣୀୟ ପାଳି ଖେଳିଥିଲେ। ଏହି ସମୟରେ ଅତି ନିକଟରୁ ତାଙ୍କ ବ୍ୟାଟିଂ ଦେଖି ଅନୁଭବ କରିଥିଲି ସେ ଅଧିକ ଦିନ ତିଷ୍ଟି ରହିବେ। ତାଙ୍କ ଭଳି ଏମିତି ବ୍ୟାଟିଂ କରିବାର କାହାକୁ ଆଗରୁ ଦେଖିନଥିଲି ବୋଲି କୈଫ୍ କହିଛନ୍ତି। ସେ ଆଇପିଏଲ୍ ଖେଳିଥିଲେ ଭାରତୀୟ ଦଳକୁ ଫେରିବା ସହଜ ହୋଇଥା’ନ୍ତା ବୋଲି ଲୋକେ ଭାବୁଛନ୍ତି। କିନ୍ତୁ ମୁଁ ଏପରି ଭାବୁନି। ଧୋନି ଜଣେ ବଡ଼ ଖେଳାଳି ଓ ମ୍ୟାଚ୍ ବିଜେତା। ସେ ଏବେ ପୂରା ଫିଟ୍ ଅଛନ୍ତି ଏବଂ ଚାପରେ ୬-୭ ନମ୍ବର ସ୍ଥାନରେ କିପରି ଖେଳିଯିବ ତାଙ୍କୁ ଜଣା । ତେଣୁ ମୋ ମତରେ ଧୋନି ଏକ ନମ୍ବର ଖେଳାଳି। ଯେତେ ଖେଳାଳି ଆସନ୍ତୁ ନା କାହିଁକି ଧୋନିଙ୍କୁ ସ୍ଥାନ ନେଇ ପାରିବେ ନାହିଁ। କାରଣ ମୁଁ ଭାବୁଛି ଯଦି କାହାକୁ ଅପସାରଣ କରିଯାଏ, ତେବେ ଅନ୍ୟ ଜଣେ ଖେଳାଳି ପ୍ରସ୍ତୁତ ହେବା ଉଚିତ ବୋଲି ଭାରତ ପାଇଁ ୧୩ ଟେଷ୍ଟ୍ ଓ ୧୨୫ ଦିନିକିଆ ଖେଳିଥିବା କୈଫ୍ କହିଛନ୍ତି।
ଧୋନିଙ୍କ ସ୍ଥାନରେ ଅନେକ ଖେଳାଳିଙ୍କୁ ଚେଷ୍ଟା କରାଯାଇଛି। ମୁଁ ଭାବୁନାହିଁ କେଏଲ୍ ରାହୁଲ ଦୀର୍ଘକାଳୀନ ବିକଳ୍ପ ହେବେ। ସେ ସର୍ବଦା ଅତିରିକ୍ତ ୱିକେଟ୍ରକ୍ଷକ ଭାବେ ଦଳରେ ରହିବା ଉଚିତ। ୱିକେଟ୍ ରକ୍ଷକ ଆହତ ହେଲେ ରାହୁଲ କାମ ଚଳେଇ ନେବେ। ଏଥିପାଇଁ ଆଉ ଜଣେ ଭଲ ୱିକେଟ୍ ରକ୍ଷକ ବାହର କରିବା ଦରକାର। ଧୋନିଙ୍କ ସ୍ଥାନ ନେବା ଲାଗି ଋଷଭ ପନ୍ତ ଓ ସଞ୍ଜୁ ସାମସନ ସକ୍ଷମ ହୋଇ ନାହାଁନ୍ତି। ସଚିନ, ଦ୍ରାବିଡ଼ଙ୍କ ବିଷୟରେ ଚିନ୍ତା କଲା ବେଳେ ବିରାଟ କୋହଲି, ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା ସେମାନଙ୍କ ଶୂନ୍ୟସ୍ଥାନ ପ୍ରାୟ ପୂରଣ କରିଛନ୍ତି। କିନ୍ତୁ ଧୋନିଙ୍କ କ୍ଷେତ୍ରରେ ତାହା ହୋଇ ନାହିଁ। ତେଣୁ ମୁଁ ଭାବୁଛି ଧୋନି ଏବେ ମଧ୍ୟ ଏକ ନମ୍ବର ୱିକେଟ୍ ରକ୍ଷକ ଅଟନ୍ତି। ସେ ଆଶ୍ଚର୍ଯ୍ୟଜନକ ଭାବେ ଫିଟ୍ ଏବଂ ତାଙ୍କୁ ତରବର ଭାବେ ବାହାରେ ରଖିବା ଉଚିତ ନୁହେଁ ବୋଲି ବିଶ୍ବର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ଗଣାଯାଉଥିବା କୈଫ୍ କହିଛନ୍ତି। ଟ୍ରଫି ବିଜୟ ଏବଂ ଯୁବରାଜ ସିଂହଙ୍କ ସହ ମ୍ୟାଚ୍ ବିଜୟୀ ୧୨୧ ରନ୍ର ଭାଗୀଦାରିକୁ ସ୍ମରଣ କରି କୈଫ କହିଛନ୍ତି ଯେ ମୁଁ ଯୁବରାଜଙ୍କୁ ଆରମ୍ଭରୁ ଜାଣିଥିଲି ଯାହା ଏହି ବଡ଼ ଭାଗୀଦାରିର ଏକ ପ୍ରମୁଖ କାରଣ ଥିଲା। ମୁଁ ତାଙ୍କୁ ବହୁତ ଦିନରୁ ଜାଣିଥିଲି। ଆମେ ଆଗରୁ ଏକାଠି ଖେଳିଥିଲୁ। ଫଳରେ ବୁଝାମଣା ଭଲ ରହିଥିଲା। ଜାଣିଥିବା ବ୍ୟକ୍ତି ସହ ଖେଳିଲେ ଟିକେ ସହଜ ହୋଇଥାଏ। ଯାହା ଅନ୍ୟ ଖେଳାଳିଙ୍କ ସହ ଖେଳିଲା ବେଳେ ମିଳିଥାଏ। ଏଥି ସହ ଆମେ ବାମ-ଡାହାଣ ଯୋଡ଼ି ହୋଇଥିବାରୁ ବୋଲର୍ ଓ ଅଧିନାୟକଙ୍କୁ ବେଶି ଅଡ଼ୁଆରେ ପକାଉଥିଲୁ ବୋଲି ଏହି ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା କୈଫ୍ କହିଛନ୍ତି। ବିଜୟ ଲାଗି ଭାରତ ସମ୍ମୁଖରେ ୩୨୬ ରନ୍ର ଲକ୍ଷ୍ୟ ରହିଥିଲା। ଅଧିନାୟକ ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହବାଗ, ରାହୁଲ ଦ୍ରାବିଡ଼, ସଚିନ ତେନ୍ଦୁଲକରଙ୍କ ଭଳି ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇ ଭାରତ ୧୪୬/୫ ସଂଘର୍ଷ କରୁଥିଲା। ୭ ନମ୍ବର ସ୍ଥାନରେ ବ୍ୟାଟିଂକୁ ଆସି ଯୁବରାଜ ସହ ମିଶି କୈଫ୍ ଭାରତକୁ ଅବିସ୍ମରଣୀୟ ବିଜୟ ଭେଟି ଦେଇଥିଲେ।
ଇଂଲଣ୍ଡ ବୋଲରମାନଙ୍କ ନଜରରେ ସଚିନ, ସେହବାଗ, ଗାଙ୍ଗୁଲି, ଦ୍ରାବିଡ଼ଙ୍କ ଭଲି ବଡ଼ ବ୍ୟାଟ୍ସମ୍ୟାନ୍ ଥିଲେ। ଆମ ଭଳି ନୂଆ ବ୍ୟାଟ୍ସମ୍ୟାନ୍ (ଯୁବି, ମୁଁ)ଙ୍କୁ ସେମାନେ ବିଶ୍ବାସକୁ ନେଇନଥିଲେ। ଆମର ନାଁ ନଥିଲା କି ସେମାନେ ମଧ୍ୟ ଆମ ବିଷୟରେ ବେଶୀ ଜାଣି ନଥିଲେ। ଆମେ ନୂଆ ଥିବାରୁ ଅଧିକ ଚାପ ଥିଲା। କିନ୍ତୁ ସେମାନଙ୍କ ପାଇଁ ଆମେ ଲାଭରେ ରହିଲୁ ବୋଲି କୈଫ୍ କହିଛନ୍ତି। ଗାଙ୍ଗୁଲି ମୋତେ ଡ୍ରେସିଂ ରୁମ୍ରୁ ଇସରା ଦେଉଥିଲେ ଷ୍ଟ୍ରାଇକ୍ ବଦଳାଇବା ଯୁବରାଜଙ୍କୁ ଦେବାକୁ। ଯୁବରାଜ ଛକା ଚୌକା ମାରୁଥିଲା ବେଳେ ମୁଁ ଏକ ରନ୍ ଲେଖାଏଁ କରି ତାଙ୍କୁ ଷ୍ଟ୍ରାଇକ୍ ଦେଉଥିଲି। ସେତେବେଳେ ଆମକୁ ବିଜୟ ପାଇଁ ଓଭର ପିଛା ୮-୯ ରନ୍ ଦରକାର ଥିଲା। ଯୁବି ଓ ମୁଁ ଚାହୁଁଥିଲୁ ମ୍ୟାଚ୍ ଜିତାଇକି ଯିବୁ। କିନ୍ତୁ ଯୁବି ୬୯ ରନ୍ରେ ଆଉଟ୍ ହୋଇଗଲା ପରେ ମୁଁ ଭାବିଲି ମ୍ୟାଚ୍ ଜିତିପାରିବୁନି। କିନ୍ତୁ ହରଭଜନ ସିଂହ ୧୫ ରନ୍ କରି ମୋତେ ସହଯୋଗ କରିଥିଲେ। ଯାହା ପାଇଁ ଆମେ ମ୍ୟାଚ୍ ଜିତି ପାରିଥିଲୁ ବୋଲି କୈଫ୍ ପୁରୁଣା ସ୍ମୃତିକୁ ମନେ ପକାଇ କହିଛନ୍ତି। ଏହି ମ୍ୟାଚ୍ରେ କୈଫ୍ ଅପରାଜିତ ୮୭ ରନ୍ କରିଥିଲା ବେଳେ ଭାରତ ୩ ବଲ୍ ପୂର୍ବରୁ ୨ ୱିକେଟ୍ରେ ବିଜୟୀ ହୋଇଥିଲା। ଭାରତୀୟ କ୍ରିକେଟ୍ ଇତିହାସରେ ଶ୍ରେଷ୍ଠ ବିଜୟ ମଧ୍ୟରେ ଏହା ଅନ୍ୟତମ ଥିଲା।