ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ନେତୃତ୍ବ ଭାର ଜାରି ରଖିବେ। ଆଗାମୀ ୨୦୨୩ ସଂସ୍କରଣରେ ମଧ୍ୟ ସେ ସିଏସ୍କେର ଅଧିନାୟକ ପଦ ତୁଲାଇବେ ବୋଲି ଫ୍ରାଞ୍ଚାଇଜ୍ର ସିଇଓ କାଶୀ ବିଶ୍ବନାଥନ୍ ରବିବାର ସ୍ପଷ୍ଟ କରିଛନ୍ତି। ସିଏସ୍କେକୁ ୪ ଥର ଆଇପିଏଲ୍ ବିଜେତା କରାଇଥିବା ଧୋନି ଆସନ୍ତା ଋତୁ ବେଳକୁ ୪୨ ବର୍ଷରେ ପଦାର୍ପଣ କରିସାରିଥିବେ। କିନ୍ତୁ ଏହି କ୍ରିକେଟର୍ ସିଏସ୍କେ ପାଇଁ ଏବେ ବି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇ ରହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ୨୦୦୮ରେ ଆଇପିଏଲ୍ ଆରମ୍ଭ ପରଠାରୁ ଧୋନି ସିଏସ୍କେର ନେତୃତ୍ବ ନେଇ ଆସୁଥିଲେ। ହେଲେ ୨୦୨୨ ସଂସ୍କରଣ ଆରମ୍ଭର ମାତ୍ର ୨ ଦିନ ପୂର୍ବରୁ ଅଧିନାୟକ ପଦ ଛାଡ଼ି ଦେଇଥିଲେ।
ଏଥି ସହିତ ସେ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରିଥିଲେ। ହେଲେ ଜାଦେଜାଙ୍କ ନେତୃତ୍ବରେ ଦଳ ସେଭଳି କିଛି ସଫଳତା ନପାଇବାରୁ ୨୦୨୨ ଋତୁର ମଧ୍ୟଭାଗରେ ପୁଣି ଦାୟିତ୍ବକୁ ଫେରିଥିଲେ ଧୋନି। ହେଲେ ସିଏସ୍କେ ୧୦ ଦଳ ମଧ୍ୟରୁ ନବମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଗତ ସଂସ୍କରଣ ଅବସରରେ ଧୋନି ମଧ୍ୟ ସିଏସ୍କେ ପାଇଁ ଖେଳିବା ଜାରି ରଖିବେ ବୋଲି ଭରସା ଦେଇଥିଲେ। ବିଶେଷକରି ଚେନ୍ନାଇ ଏବଂ ସିଏସ୍କେ ସମର୍ଥକଙ୍କୁ ନିରାଶ ନକରିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ଧୋନିଙ୍କ ନେତୃତ୍ବରେ ସିଏସ୍କେ କେବଳ ୪ ଥର ଆଇପିଏଲ୍ ବିଜେତା ହୋଇନଥିଲା ବରଂ ଦୁଇ ଥର ଚାମ୍ପିଅନ୍ସ ଲିଗ୍ (୨୦୧୦ ଓ ୨୦୧୪) ବିଜେତା ମଧ୍ୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Dhoni.jpg)