ନୂଆଦିଲ୍ଲୀ: ଆଇପିଏଲ୍-୨୦୨୦ ନିକଟତର ହେଉଛି। ଏହାକୁ ନେଇ କ୍ରିକେଟ୍ପ୍ରେମୀ ଉତ୍ସାହିତ ଅଛନ୍ତି। ଗତବର୍ଷ ଭାରତର ବିଶ୍ବକପ୍ ବିଦାୟ ପରଠୁ କ୍ରିକେଟ୍ରୁ ଦୂରେଇ ରହିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସିଏସ୍କେ ସିଇଓ କାଶୀ ବିଶ୍ବନାଥନ ମଧ୍ୟ ଧୋନିଙ୍କ ଉପରେ ପୂରା ଭରସା ରଖିବା ସହ ୨୦୨୨ ପର୍ଯ୍ୟନ୍ତ ସିଏସ୍କେର ଅଧିନାୟକ ରଖିବାକୁ ଚିନ୍ତା କରିଛନ୍ତି। ଆମର ତାଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ଚିନ୍ତା ନାହିଁ। ହଁ, ନିଶ୍ଚିତ ଧୋନି ୨୦୨୦ ଓ ୨୦୨୧ରେ ଦଳର ନେତୃତ୍ବ ନେବେ।
୨୦୨୨ରେ ମଧ୍ୟ ଏହି ଦାୟିତ୍ବରେ ରହିପାରନ୍ତି ବୋଲି ବିଶ୍ବନାଥନ ଏକ ସାକ୍ଷାତକାରରେ କହିଛନ୍ତି। ସଂପ୍ରତି ଧୋନି ଝାଡ଼ଖଣ୍ଡରେ ଇନ୍ଡୋର୍ ନେଟ୍ସ କରୁଛନ୍ତି ବୋଲି ଗଣମାଧ୍ୟମରୁ ଶୁଣିବାକୁ ପାଉଛି। କିନ୍ତୁ ଆମେ ଅଧିନାୟକଙ୍କୁ ନେଇ ଚିନ୍ତିତ ହେଉନୁ। ସେ ତାଙ୍କ ଦାୟିତ୍ବ ଜାଣିଛନ୍ତି। ସେହି ଅନୁସାରେ ନିଜକୁ ଏବଂ ଦଳକୁ ଆଗକୁ ନେବେ। ସେ ଚଳିତ ଏବଂ ଆସନ୍ତା ବର୍ଷ ଦଳ ପକ୍ଷରୁ ଖେଳିବେ। ଆମେ ତାଙ୍କୁ ପରବର୍ତୀ ନିଲାମ ବେଳେ ଦଳରେ ରଖିବୁ ବୋଲି ବିଶ୍ବନାଥନ କହିଛନ୍ତି। ଦଳ ଆସନ୍ତା ୧୫ ତାରିଖରୁ ଚେପକରେ ଅଭ୍ୟାସ ଆରମ୍ଭ କରିବ। ଧୋନି ଓ ସୁରେଶ ରାଇନାଙ୍କ ସହ ଅନେକ ଖେଳାଳି ୧୪-୧୫ ତାରିଖ ମଧ୍ୟରେ ଏଠାରେ ପହଞ୍ଚିଯିବେ। ୨୧ ତାରିଖରେ ଦଳ ୟୁଏଇ ଗସ୍ତ କରିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। କିଛି ଦିନ ତଳେ ସୁରେଶ ରାଇନା ୟୁଏଇରେ ଧୋନିଙ୍କ ହେଲିକପ୍ଟର ସଟ୍ ଦେଖିବାକୁ ମିଳିବ ବୋଲି କହିଥିଲେ।
ଚେନ୍ନାଇ: ଆସନ୍ତା ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ୬ ଦିନିଆ ଆଇପିଏଲ୍ ପ୍ରାକ୍ ପ୍ରସ୍ତୁତି ଶିବିରରେ ଯୋଗଦେଇପାରିବେନି ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା। ଜାଦେଜା ଏକମାତ୍ର ପ୍ରମୁଖ ଭାରତୀୟ ଖେଳାଳି ଭାବେ ଏହି ଶିବିରରେ ଅନୁପସ୍ଥିତ ରହିବେ। ତାଙ୍କର କେତେକ ବ୍ୟକ୍ତିଗତ କାରଣ ଯୋଗୁଁ ସେ ଶିବିରରେ ଯୋଗଦେଇପାରିବେନି ବୋଲି ସିଏସ୍କେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ୍ କହିଛନ୍ତି। ତେବେ ଅଗଷ୍ଟ ୨୧ ତାରିଖରେ ୟୁଏଇ ଯାତ୍ରା ପାଇଁ ବିମାନ ଧରିବା ପୂର୍ବରୁ ଠିକ୍ ସମୟରେ ଜାଦେଜା ଦଳ ସହ ଯୋଗଦେବେ ବୋଲି ସେ କହିଛନ୍ତି। ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ସିଏସ୍କେର ୬ ଦିନିଆ ଶିବିର ପାଇଁ ତାମିଲନାଡୁ ସରକାର ଲିଖିତ ଅନୁମତି ଦେଇଛନ୍ତି। ଏହି ଶିବିର ବନ୍ଦ ଦ୍ବାର ପଛପଟେ ଅନୁଷ୍ଠିତ ହେବ। ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜୀ ଏକମାତ୍ର ସଦସ୍ୟ ଭାବେ ଶିବିର ପରିଚାଳନା କରିବେ। ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ଏବଂ ସହକାରୀ ପ୍ରଶିକ୍ଷକ ମାଇକେଲ ହସି ଅଗଷ୍ଟ ୨୨ ତାରିଖରେ ଦୁବାଇରେ ଦଳ ସହ ଯୋଗଦେବେ ବୋଲି ବିଶ୍ବନାଥନ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/dhoni-jadeja.jpg)