ଚେନ୍ନାଇ: ବିଗତ କିଛି ବର୍ଷ ହେବ ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ୍‌ ଅବସରକୁ ନେଇ ଢେର ଚର୍ଚ୍ଚା ହୋଇଥିଲେ ବି ଏହାର ଅନ୍ତ ଘଟିପାରିନାହିଁ। ପ୍ରତିଟି ସଂସ୍କରଣ ଶେଷ ଆଡ଼କୁ ଏହି ଚର୍ଚ୍ଚା ଜୋର ଧରିଥାଏ ଏବଂ ଧୋନିଙ୍କ ଶାନ୍ତ ସ୍ବଭାବ ଭଳି ଏହି ଚର୍ଚ୍ଚା ବି ଶାନ୍ତ ପଡ଼ିଯାଏ। ଚଳିତ ଆଇପିଏଲ୍‌ରେ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି। ‌ସିଏସ୍‌କେ ଏଥର ୧୨ ମ୍ୟାଚ୍‌ରୁ ୯ ହାରି ପଏଣ୍ଟ୍ ଟେବୁଲ୍‌ର ଶେଷରେ ରହିବା ସହ ପ୍ଲେ ଅଫ୍ ଦୌଡ଼ରୁ ବାଦ୍‌ ପଡ଼ିସାରିଛି। ଶେଷ ଦୁଇ ମ୍ୟାଚ୍‌ କେବଳ ଔପଚାରିକତା ରହିଛି। ତେବେ ଧୋନିଙ୍କ ଅବସର ଚଳିତ ସଂସ୍କରଣ ଶେଷ‌ରେ ହେବ ନାହିଁ ବୋଲି ସିଏସ୍‌କେର ଏକ ଆଭ୍ୟନ୍ତରୀଣ ସୂତ୍ର ପ୍ରକାଶ କରିଛି। ‘ଥାଲା’ଙ୍କ ପକ୍ଷରୁ ସେଭଳି କୌଣସି ସଙ୍କେତ ମିଳିନାହିଁ। 

Advertisment

ଏଥି ପାଇଁ ଅଧିକ ସମୟ ଲାଗିବ ବୋଲି କୁହାଯାଇଛି। ସେ ଅଧିନାୟକ ପଦ ଛାଡ଼ିଲେ ବି ତାଙ୍କ ଅଭିଜ୍ଞତା ଓ ଫିଟନେସ୍‌ ଦଳ ପାଇଁ ବହୁମୂଲ୍ୟ ରହିଛି। କାରଣ ଦଳ ଏବେ ଋତୁରାଜ ଗାଏକ୍ବାଡଙ୍କ ଅଧୀନରେ ପୁନର୍ଗଠନ ପ୍ରକ୍ରିୟାରେ ରହିଛି। ସୂଚନାଯୋଗ୍ୟ, ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ୨୦୨୩ରେ ପଞ୍ଚମ ଆଇପିଏଲ୍‌ ଟ୍ରଫି ଜିତିଥିଲା। ଚଳିତ ଋତୁ ପ୍ରାରମ୍ଭରୁ ଗାଏକ୍ବାଡ ଆହତ ହୋଇପଡ଼ିବାରୁ ଧୋନିଙ୍କୁ ପୁଣି ନେତୃତ୍ବ ଦାୟିତ୍ବ ମିଳିଥିଲେ ବି ଦଳର ଦୟନୀୟ ପ୍ରଦର୍ଶନ ଜାରି ରହିଥିଲା। ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଧୋନିଙ୍କ ଅବସର ଘୋଷଣା ଆଇପିଏଲ୍‌ ଚାଲିଥିବାବେଳେ ନୁହେଁ, ଅଫ୍‌ ସିଜନ୍‌ରେ ହେବାର ସମ୍ଭାବନା ଅଧିକ ରହିଛି।