ଚେନ୍ନାଇ : ଢେର କିଛି ବର୍ଷର ଆଲୋଚନା ପରେ କ୍ରିକେଟ୍ କିଂବଦନ୍ତି ମହେନ୍ଦ୍ର ସିଂହ ଧୋନି ତାଙ୍କ ଆଇପିଏଲ୍ ଅବସର ସମ୍ପର୍କରେ ମୁହଁ ଖୋଲିଛନ୍ତି। ସ୍ପଷ୍ଟ ଭାବେ କହିନଥିଲେ ମଧ୍ୟ ଧୋନି ପ୍ରକାଶ କରିଛନ୍ତି, ‘ଏହା ମୋ ଖେଳ ଜୀବନର ଶେଷ ପର୍ଯ୍ୟାୟ’।

Advertisment

ଶୁକ୍ରବାର ରାତିରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସ ବିଜୟ ପରେ ଏହି ପୂର୍ବତନ ଭାରତୀୟ ଅଧିନାୟକ ଏଭଳି ସୂଚନା ଦେଇ ନିଜ ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଇଛନ୍ତି। ଡେଭନ୍ କନୱେଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ରବୀନ୍ଦ୍ର ଜାଦେଜାଙ୍କ ୩ ୱିକେଟ୍ ଦଖଲ ପରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୧୩୫ ରନ୍ ଲକ୍ଷ୍ୟକୁ ୮ ବଲ୍‌ ପୂର୍ବରୁ ହାସଲ କରିଥିଲା। ‘ଦୁଇ ବର୍ଷ ପରେ ପ୍ରଶଂସକମାନେ ଏଠାକୁ (ଚେନ୍ନାଇ) ଆସିବାର ସୁଯୋଗ ପାଇଲେ ଏବଂ ଆମ ଖେଳ ଦେଖିଲେ। ଏହା ଆମକୁ ଭଲ ଅନୁଭବ ଦେଇଛି। ଦର୍ଶକମାନେ ଆମକୁ ଅତି ଭଲ ପାଇବା ଓ ଶ୍ରଦ୍ଧା ଦେଇଛନ୍ତି। ମୁଁ ଏବେ ସବୁ କିଛି କହି ସାରିଛି ଏବଂ କରିସାରିଛି। ଖେଳ ଜୀବନର ଶେଷ ପର୍ଯ୍ୟାୟରେ ଅଛି ଏବଂ ଯଥା ସମ୍ଭବ ଲମ୍ବା ‌ଖେଳିଛି’ ବୋଲି ଧୋନି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କୋଭିଡ୍‌ ସଂକ୍ରମଣ କାରଣରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏହାର ଘରୋଇ ପଡ଼ିଆ ଚେପକର ଏମଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମ୍‌ରେ ବିଗତ ୨ ବର୍ଷ ଖେଳିପାରିନଥିଲା।

ଧୋନି ୨୦୧୪ରେ ଟେଷ୍ଟ୍ କ୍ରିକେଟ୍ ଛାଡ଼ିବା ପରେ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଥିଲେ। ଧୋନିଙ୍କ ଆଇପିଏଲ୍‌ ଅବସର ଆଭାସ ସମ୍ପର୍କରେ ହରଭଜନ ସିଂହ କହିଛନ୍ତି, ‘ଭାରତରେ ‌ଏମଏସ୍ ଧୋନିଙ୍କଠାରୁ ଆଉ ବଡ଼ କ୍ରିକେଟର୍‌ ନାହାନ୍ତି’। କିବଂଦନ୍ତି ବ୍ୟାଟର୍‌ ସୁନିଲ ଗାଭାସ୍କର କହିଛନ୍ତି, ‘ତାଙ୍କ ଭଳି ଅଧିନାୟକ ନାହାନ୍ତି କି ଭବିଷ୍ୟତରେ ମିଳିବେ ନାହିଁ’। ୪୧ ବର୍ଷୀୟ ଧୋନି ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୪ ଥର ଆଇପିଏଲ୍ ବିଜେତା କରିଥିବା ବେଳେ ଗତ ସପ୍ତାହରେ ଏହି ଦଳକୁ ୨୦୦ ଥର ନେତୃତ୍ବ ଦେବାର ମାଇଲଖୁଣ୍ଟ ଟପିଥିଲେ। ମୋଟ ଉପରେ ଆଇପିଏଲ୍‌ରେ ୨୪୦ ମ୍ୟାଚ୍‌ ଖେଳିଛନ୍ତି। ଭାରତକୁ ଆଇସିସି‌ ଟ୍ବେଣ୍ଟି-୨୦, ଦିନିକିଆ ବିଶ୍ବକପ୍ ବିଜେତା କରିବା ସହ ଟେଷ୍ଟ୍ ଚାମ୍ପିୟନସିପ୍‌ ଗଦା ଏବଂ ଅଲ୍ ଫର୍ମାଟ ସଫଳତା ପାଇଥିଲେ। ହେଲିକପ୍ଟର ସଟ୍ ପାଇଁ ବିଖ୍ୟାତ ମାହି ମଧ୍ୟ ନିଜ ଶାନ୍ତ ସ୍ବଭାବ ଚରିତ୍ର ଓ ନେତୃତ୍ବ ପାଇଁ ଅଧିକ ଚର୍ଚ୍ଚିତ ରହି ଆସିଛନ୍ତି କ୍ରିକେଟ୍ ପ୍ରେମୀଙ୍କ ହୃଦୟରେ।