ବିଶ୍ବକପ୍‌ ପରେ ଧୋନିଙ୍କ ଅବସର?

ନୂଆଦିଲ୍ଲୀ,: ଆଗାମୀ ବିଶ୍ବକପ୍ ପାଇଁ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳରେ ରହିବା ଗୁରୁତ୍ବପୂର୍ଣ୍ଣ ବୋଲି ଅଧିକାଂଶ ଅନୁଭବ କରି ସାରିଛନ୍ତି। ପ୍ରଶିକ୍ଷକ, ଖେଳାଳି, ଅଧିନାୟକ ତାଙ୍କ ଭୂମିକାକୁ ନେଇ ଢ଼େର ଆଲୋଚନା କରି ସାରିଛନ୍ତି। ବିଶ୍ବକପ୍‌ ପରେ ଧୋନି କିନ୍ତୁ ଅବସର ନେଇଯିବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ କିନ୍ତୁ ଏଭଳି କୌଣସି କଥା ବିଚାର କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିଶ୍ବକପ୍‌ ଭଳି ବଡ଼ ପ୍ରତିଯୋଗିତା ପୂର୍ବରୁ ଏଭଳି ଆଲୋଚନା କରି ଆମେ ଲକ୍ଷ୍ୟଚ୍ୟୁତ ହେବା ବିଜ୍ଞତାର ପରିଚୟ ନୁହେଁ। ଧୋନି ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବା ପରେ ତାଙ୍କ ରନ୍‌ ଉତ୍ପାଦନ ନିଶ୍ଚିତ ବଢ଼ିବ। ବିଶ୍ବକପ୍‌ ପୂର୍ବରୁ ସେ ଆଇପିଏଲ୍‌ର ୧୫/୧୬ ମ୍ୟାଚ୍‌ ନିଶ୍ଚିତ ଖେଳିବେ। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ରେ ସେ ଯେଭଳି ବ୍ୟାଟିଂ କରିଥିଲେ ମୁଁ ଖୁସୀ ବୋଲି ପ୍ରସାଦ କହିଛନ୍ତି। ଗତ ଇଂଲଣ୍ଡ ଗସ୍ତରେ ଧୋନି ଲର୍ଡସ ଦିନିକିଆରେ ମନ୍ଥର ବ୍ୟାଟିଂ କରି ପ୍ରଶଂସକଙ୍କ ସମାଲୋଚନାର ଶିକାର ହୋଇଥିଲେ। ଧୋନିଙ୍କ ବ୍ୟାଟିଂ ଚିନ୍ତାଜନକ ଥିଲା ବୋଲି ପ୍ରସାଦ ସ୍ବୀକାର କରିଥିଲେ ମଧ୍ୟ ଦଳ ତାଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ରଖିଛି‌ ବୋଲି କହିଥିଲେ। ଧୋନିଙ୍କ ଦକ୍ଷତାର ଦୁଇଟି ଦିଗ ରହିଛି। ୱିକେଟ୍‌ରକ୍ଷଣ ହେଉ ଅବା ବ୍ୟାଟିଂ ଧୋନିଙ୍କୁ କୌଣସିଟିରେ ତିଳେ ମାତ୍ର ସନ୍ଦେହ କରାଯାଇ ପାରିବ ନାହିଁ। ସେ ଏବେ ବି ଭାରତର ମ୍ୟାଚ୍ ବିଜେତା ଖେଳାଳି ବୋଲି ମଧ୍ୟ ପ୍ରସାଦ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର