ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଧୋନିଙ୍କ ୧୫ ବର୍ଷ

ନୂଆଦିଲ୍ଲୀ: ସୋମବାର ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୫ ବର୍ଷ ପୂର୍ଣ୍ଣ କରିଛନ୍ତି। ଭାରତକୁ ଦୁଇଟି ବିଶ୍ବକପ୍ (ଟ୍ବେଣ୍ଟି-୨୦ ଓ ଦିନିକିଆ) ଜିତାଇଥିବା ଧୋନି ଡିସେମ୍ବର ୨୩, ୨୦୦୪ରେ ବାଂଲାଦେଶ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ହେଲେ ଏହି ମ୍ୟାଚରେ ଧୋନି କୌଣସି ରନ୍ ନକରି ପ୍ରଥମ ବଲ୍‌ରେ ରନ୍ଆଉଟ୍ ହୋଇଥିଲେ। ଫୁଟ୍‌ବଲ୍‌ ଖେଳାଳିରୁ କ୍ରିକେଟର୍ ହୋଇଥିବା ଧୋନି ଏଥିରେ ବିଚଳିତ ନହୋଇ ଆଗକୁ ବଢ଼ିଥିଲେ। ୨୦୦୭ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତର ଅଧିନାୟକ ଦାୟିତ୍ବ ନେଇଥିଲେ। ସେହି ବର୍ଷ ଭାରତ ଏହି ବିଶ୍ବକପ୍‌ ଜିତି ଇତିହାସ ରଚିଥିଲା। ଏହା ପରେ ଆଉ ପଛକୁ ଫେରି ଚାହି ନଥିଲେ ଧୋନି। ଦୀର୍ଘ ୨୮ ବର୍ଷ ପରେ ତାଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୧୧ ଦିନିକିଆ ବିଶ୍ବକପ୍ ଜିତିବାକୁ ସକ୍ଷମ ହୋଇଥିଲା। ଏହା ସହ ଭାରତ ପ୍ରଥମ ଆୟୋଜକ ଦଳ ଭାବେ ବିଶ୍ବକପ୍ ଜିତିବାର କୀର୍ତ୍ତିମାନ କରିଥିଲା। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍‌ରେ ଛକା ମାରି ଧୋନି ଭାରତକୁ ବିଶ୍ବକପ୍‌ ଭେଟି ଦେଇଥିଲେ। ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଅନେକ ମାଇଲଖୁଣ୍ଟ ଛୁଇଁଛି। ବିଶ୍ବର ସଫଳ ଅଧିନାୟକମାନଙ୍କ ମଧ୍ୟରେ ଆସୁଥିବା ୩୮ ବର୍ଷୀୟ ଧୋନି ୯୦ ଟେଷ୍ଟ୍, ୩୫୦ ଦିନିକିଆ ଓ ୯୮ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଵିକେଟ୍‌ରକ୍ଷକ ଭାବେ ଧୋନି ଭାରତର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଟେଷ୍ଟ୍‌ରେ ସେ ୨୯୪ (କ୍ୟାଚ୍-୨୫୬ କ୍ୟାଚ୍, ୩୮ ଷ୍ଟମ୍ପିଂ) ଶିକାର କରିଥିବା ବେଳେ ଦିନିକିଆରେ ୪୪୪ (୩୨୧ କ୍ୟାଚ୍, ୧୨୩ ଷ୍ଟମ୍ପିଂ) ଓ ଟ୍ବେଣ୍ଟି-୨୦ରେ ୯୧ (୫୭ କ୍ୟାଚ୍, ୩୪ ଷ୍ଟମ୍ପିଂ) ଶିକାର କରିଛନ୍ତି।

ସମ୍ବନ୍ଧିତ ଖବର