ମୁମ୍ବାଇ : ଚେନ୍ନାଇ ସୁପର କିଙ୍ଗ୍‌ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚଳିତ ଆଇପିଏଲ୍‌ରେ ଗତ ବୁଧବାର କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ଅବସରରେ ଦୁଇଟି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହି ମ୍ୟାଚ୍‌ରେ ସୁନିଲ ନାରାୟଙ୍କ ବଲ୍‌ରେ ସେ ନିଜର ପ୍ରଥମ ଛକା ମାରିଥିଲା ବେଳେ ଆଇପିଏଲ୍‌ କ୍ୟାରିୟରରେ ଜଣେ ୱିକେଟ୍‌ରକ୍ଷକ ଭାବେ ୧୫୦ ଡିସ୍‌ମିସାଲର ମାଇଲଖୁଣ୍ଟ ଛୁଇଁଥିଲେ। ସଂଯୋଗବଶତଃ ଧୋନି ତାଙ୍କ ପ୍ରଥମ ବାଉଣ୍ଡାରି ହିଁ ନାରାୟଣଙ୍କ ଏକ ଫ୍ରି-ହିଟ୍‌ ବଲ୍‌ରେ ମାରିଥିଲେ। ଚେନ୍ନାଇ ପାଳିର ୧୭ତମ ଓଭରରେ ନାରାୟଣ ଏକ ନୋ-ବଲ୍‌ ବୋଲିଂ କରିଥିଲେ। ଆଉ ଏହାର ପରବର୍ତୀ ବଲ୍‌ରେ ଧୋନି ଚୌକା ମାରିଥିଲେ। ନାରାୟଣଙ୍କ ବିପକ୍ଷରେ ପ୍ରଥମ ଛକା ମାରିବାର ମାଇଲଖୁଣ୍ଟ ଛୁଇଁବା ପାଇଁ ଧୋନି ୬୫ ବଲ୍‌ ଖେଳିଥିଲେ। ସେହି ମ୍ୟାଚ୍‌ରେ ଧୋନି ୮ ବଲ୍‌ରୁ ୧୭ ରନ୍‌ କରିଥିଲେ। ତେବେ ନାରାୟଣ ମଧ୍ୟ ଆଇପିଏଲ୍‌ କ୍ୟାରିୟରରେ ଧୋନିଙ୍କୁ ମାତ୍ର ଥରେ ଆଉଟ୍‌ କରିପାରିଛନ୍ତି।

Advertisment

ଅନ୍ୟ କୀର୍ତ୍ତିମାନଟି ହେଲା ଆଇପିଏଲ୍‌ ଇତିହାସରେ ୧୫୦ ଡିସ୍‌ମିସାଲ କରିବାରେ ଧୋନି ପ୍ରଥମ ୱିକେଟ୍‌ରକ୍ଷକ ହୋଇଛନ୍ତି। ସେ ୧୧୧ କ୍ୟାଚ୍‌ ଧରିଥିଲା ବେଳେ ୩୯ ଷ୍ଟମ୍ପିଂ କରିଛନ୍ତି। ଏକ୍ଷେତ୍ରରେ ତାଙ୍କ ପଛକୁ କୋଲ୍‌କାତା ନାଇଟ୍‌ ରାଇଡର୍ସ ୱିକେଟ୍‌ରକ୍ଷକ ଦିନେଶ କାର୍ତିକ ୧୪୩ (୧୧୨ କ୍ୟାଚ୍‌, ୩୧ ଷ୍ଟମ୍ପିଂ) ଡିସ୍‌ମିସାଲ ସହ ଦ୍ବିତୀୟରେ ରହିଛନ୍ତି।