ଧୋନିଙ୍କ ୨୦୦ ଛକା କୀର୍ତିମାନ, କାହିଁକି ଛାଡ଼ିଥିଲେ ୩ ସିଙ୍ଗଲ୍ସ

ବେଙ୍ଗା‌ଲୁରୁ: ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍‌ ଭାବେ ଆଇପିଏଲ୍‌ରେ ୨୦୦ ଛକା ମାରିବାରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନୂଆ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ରବିବାର ରାତିରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗା‌ଲୋର୍‌ ବିପକ୍ଷ ମ୍ୟାଚ୍‌ରେ ୪୮ ବଲ୍‌ରୁ ୮୪* ରନ୍ କରିବା ଅବସରରେ ଧୋନି ଏହି ମାଇଲଖୁଣ୍ଟ୍ ଅତିକ୍ରମ କରିଥିଲେ। ୧୬୨ ରନ୍‌କୁ ପିଛା କରି ଚେନ୍ନାଇ ସୁପର୍ କିଙ୍ଗ୍ସ ଏହି ମ୍ୟାଚ୍‌କୁ ୧ ରନ୍‌ରେ ହାରିଥିଲା। ‌ଧୋନି ତାଙ୍କ ପାଳି ମଧ୍ୟରେ ୫ ଚୌକା ଏବଂ ୭ ଛକା ମାରିଥିଲେ। ସେ ନିଜ ଖେଳାଳି ଜୀବନରେ ମୋଟ ୨୦୩ ଆଇପିଏଲ୍‌ ଛକା ମାରି ସାରିଛନ୍ତି। ୩୭ ବର୍ଷୀୟ ଧୋ‌ନି ଚଳିତ ଋତୁରେ କେବଳ ୧୭ ଛକା ମାରିଛନ୍ତି। ଅନ୍ୟ ଦୁଇ ଭାରତୀୟ ରୋହିତ ଶର୍ମା ଏବଂ ‌ସୁରେଶ ରାଇନା ସମାନ ୧୯୦ ଲେଖାଏଁ ମାରି ମିଳିତ ଦ୍ବିତୀୟରେ ରହିଛନ୍ତି। ଆରସିବି ଅଧିନାୟକ ବିରାଟ କୋହଲି ୧୮୬ ଛକା ସହିତ ମଧ୍ୟ ବିଶେଷ ପଛରେ ନାହାନ୍ତି। ମୋଟ ଉପରେ ଦେଖିଲେ କ୍ରିସ୍ ଗେଲ୍‌ ଆଇପିଏଲ୍‌ରେ ସର୍ବାଧିକ ୩୨୩ ଛକା ମାରିଛନ୍ତି। ତାଙ୍କ ପଛକୁ ଏବି ଡି’ଭିଲିୟର୍ସ (୨୦୪) ଥିବାରୁ ଧୋନି ତୃତୀୟରେ ଅଛନ୍ତି।

ବେଙ୍ଗାଲୁରୁ: ରବିବାର ରାତିରେ ଆର୍‌ସିବି ନିକଟରୁ ‌ସିଏସ୍‌କେ ୧ ରନ୍‌ରେ ହାରିଯିବା ପରେ ମହେନ୍ଦ୍ର ସିଂହ ଧୋନି ପ୍ରଶଂସା ସାଉଁଟିବା ସହିତ ପରାଜୟର ଆଂଶିକ ଦୋଷ ବି ନେଇଛନ୍ତି। ୧୯ତମ ଓଭରରେ ସେ ଜାଣି ଶୁଣି ନେଇନଥିବା ୩ଟି ସିଙ୍ଗଲ୍ ରନ୍ ଫରକ ପକାଇଲା ବୋଲି କୁହାଯାଉଛି। ବିଶେଷ କରି ଅନ୍ୟ ପାର୍ଶ୍ବରେ ଡ୍ବାନ ବ୍ରାଭୋଙ୍କ ଭଳି ବଡ଼ ସଟ୍ ଖେଳାଳି ଥିଲେ ମଧ୍ୟ ଧୋନି କାହିଁକି ଏଭଳି କରିଥିଲେ। ସେ କାହିଁକି ଏହି ୩ଟି ସିଙ୍ଗଲ୍ ରନ୍ ନେଇନଥିଲେ ମ୍ୟାଚ୍‌ ପରେ ସ୍ପଷ୍ଟ କରିଥିଲେ ଧୋନି। ‘ପିଚ୍‌ର ବ୍ୟବହାର ଦୃଷ୍ଟିରୁ ଜଣେ ନୂଆ ବ୍ୟାଟସମ୍ୟାନ୍‌ ପାଇଁ ଏତେ ସହଜ ନ ଥିଲା, ବ୍ରାଭୋ ସେତେବେଳକୁ ମାତ୍ର ୩ ବଲ୍‌ ଖେଳିଥିଲେ। ମୁଁ ୫୧ ରନ୍‌ କରି ସାରିଥିଲି। ମୁଁ ବହୁ ବଲ୍‌ ‌ଖେଳି ସାରିଥିବାରୁ ରିକ୍ସ ନେଇଥିଲି। ଏହା ଗ୍ରହଣୀୟ ଥିଲା। ୧୨ ବଲରୁ ୩୬ ରନ୍‌ ଆବଶ୍ୟକ ପଡୁଥିବାବେଳେ କେବଳ ବାଉଣ୍ଡରି ହିଁ ଦରକାର ପଡୁଥିଲା। ଆପଣମାନେ ଏବେ ଗଣନା କରୁଥାଇ ପାରନ୍ତି କାରଣ ଆମେ ଗୋଟିଏ ରନ୍‌ରେ ହାରିଛୁ। ଆଉ କିଛି ବଲ୍ ଡଟ୍ ଯାଇଥିଲେ କିମ୍ବା ଅତିରିକ୍ତ ବାଉଣ୍ଡରି ମିଳିଥିଲେ ଏହି କଥା ଉଠି ନଥାନ୍ତା ବୋଲି ‌ଧୋନି ପ୍ରକାଶ କରିଛନ୍ତି। ଧୋନିଙ୍କୁ ସୁପର୍ କିଙ୍ଗ୍ସ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ମଧ୍ୟ ସମର୍ଥନ କରିଛନ୍ତି। ମ୍ୟାଚ୍‌ ଶେଷ କରିବା‌େର କୌଶଳରେ ଧୋନିଙ୍କୁ ଆଦୌ ପ୍ରଶ୍ନ କରାଯାଇ ପାରିବ ନାହିଁ ‌ବୋଲି ଫ୍ଲେମିଂ ପ୍ରକାଶ କରିଛନ୍ତି। ସେ ଏତେ ହିସାବୀ ଯେ ଏହାକୁ ପ୍ରଶ୍ନ କରାଯାଇ ପାରିବ ନାହିଁ ବୋଲି କହିଥି‌ଲେ ଏହି ପୂର୍ବତନ ନ୍ୟୁଜିଲାଣ୍ଡ୍‌ ଅଧିନାୟକ। ଶେଷ ଓଭରରୁ ୨୬ ରନ୍‌ ଆବଶ୍ୟକ ଥିବାବେଳେ ଉମେଶ ଯାଦବଙ୍କ ପ୍ରଥମ ୫ ବଲରୁ ଧୋନି (୪, ୬, ୬, ୨, ୬) ୨୪ ରନ୍ ଆଦାୟ କରି ନେଇଥିଲେ। ଉମେଶ କିନ୍ତୁ ଶେଷ ବଲ୍‌କୁ ସାମାନ୍ୟ ୱାଇଡ୍ ପକାଇ ଧୋନିଙ୍କ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ। ବ୍ରାଭୋ ରନ୍‌ ଆଉଟ୍ ହୋଇଯିବାରୁ ବାଙ୍ଗାଲୋ‌ର୍ ୧ ରନ୍‌ରେ ବିଜୟୀ ହୋଇଥିଲା। ଏଥି ପାଇଁ କୋହଲି ମଧ୍ୟ ଉମେଶ ଯାଦବଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର