ଥିରୁବନ୍ତପୁରମ୍: ଧୋନିଙ୍କ ମାଇଲଖୁଣ୍ଟ ମ୍ୟାଚ୍କୁ ନେଇ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। ସେଥିପାଇଁ ମାହିଙ୍କ କେରଳୀ ପ୍ରଶଂସକମାନେ ଥିରୁବନ୍ତପୁରମରେ ତାଙ୍କର ୩୫ ଫୁଟର ବିଶାଳ ପୋଷ୍ଟର ଲଗାଇଛନ୍ତି। ଭାରତୀୟ କ୍ରିକେଟ୍ ପ୍ରତି ଧୋନିଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ଯାଇ ପ୍ରଶଂସକମାନେ ଏଭଳି କରିଥିବା ଜଣା ପଡ଼ିଛି। କେରଳରେ ଧୋନି ପ୍ରଶଂସକମାନେ ‘ନିଖିଳ କେରଳ ଧୋନି ପ୍ରଶଂସକ ସଂଘ’ ନାମରେ ଏକ ସଂଗଠନ ମଧ୍ୟ ଗଠନ କରିଛନ୍ତି। ସେମାନେ ଥିରୁବନ୍ତପୁରମ ଷ୍ଟାଡିୟମର ଠିକ୍ ବାହାରେ ଏହି ପୋଷ୍ଟରଟିକୁ ଲଗାଇଛନ୍ତି। ଧୋନି ସଂପ୍ରତି ୯୯୯୯ ରନ୍ କରିଛନ୍ତି। ଗୁରୁବାର ଥିରୁବନ୍ତପୁରମରେ ଖେଳା ଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ପଞ୍ଚମ ଦିନିକିଆରେ ଆଉ ୧ ରନ୍ କରି ପାରିଲେ ପଞ୍ଚମ ଭାରତୀୟ ଏବଂ ବିଶ୍ବର ତ୍ରୟୋଦଶ ଖେଳାଳି ଭାବେ ଦିନିକିଆରେ ୧୦,୦୦୦ ରନ୍ ପୂରଣ କରିବେ।
୧୦,୦୦୦ଠୁ ୧ ରନ୍ ଦୂରରେ ଧୋନି
ଥିରୁବନ୍ତପୁରମ୍ର ଗ୍ରିନ୍ଫିଲ୍ଡ ଷ୍ଟାଡିୟମ୍ ଭାରତୀୟ ୱିକେଟ୍ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଏକ ମାଇଲଖୁଣ୍ଟ ଅପେକ୍ଷାରେ ରହିଛି। ଏହି ମ୍ୟାଚ୍ରେ ଆଉ ମାତ୍ର ୧ ରନ୍ କରିପାରିଲେ ଧୋନି ୧୦,୦୦୦ ଦିନିକିଆ ଆନ୍ତର୍ଜାତିକ ସ୍କୋର୍ କରିବାର ସଫଳତା ସାଉଁଟିବେ। ସେ ଏକ୍ଷେତ୍ରରେ ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ୍ ଦ୍ରାବିଡ୍ ଓ ବିରାଟ କୋହଲିଙ୍କ ପରେ ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏହି କ୍ଲବ୍ର ସଦସ୍ୟ ବନିଯିବେ। ଧୋନି ମଧ୍ୟ ଆଉ ୫୧ ରନ୍ କରିପାରିେଲ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୦୦ ଦିନିକିଆ ସ୍କୋର୍ ପୂରଣ କରିପାରିବେ। ଅନ୍ୟପକ୍ଷରେ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆଉ ୨ଟି ୱିକେଟ୍ ଆସନ୍ତାକାଲି ମ୍ୟାଚ୍ରେ ଦଖଲ କଲେ ଦିନିକିଆ ଆନ୍ତର୍ଜାତିକରେ ୧୦୦ ୱିକେଟ୍ ଅକ୍ତିଆର କରିବାର ସଫଳତା ହାସଲ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Dhoni.jpg)