ଧୋନିଙ୍କ ଚୟନ ମୋ ଛାତିରେ ଛୁରି ଚଲାଇ ଦେଇଥିଲା: କାର୍ତିକ

ନୂଆଦିଲ୍ଲୀ: କ୍ରିକେଟ୍ ଦୁନିଆରେ ଗୋଟିଏ ବିଶ୍ବାସ ରହିଛି ଯେ ମହେନ୍ଦ୍ର ସିଂହ ଧୋନିଙ୍କ ଉପସ୍ଥିତି କାରଣରୁ ଦୀନେଶ କାର୍ତିକଙ୍କ ଭଳି ୱିକେଟ୍‌ରକ୍ଷକ ବ୍ୟାଟସମ୍ୟାନ୍‌ଙ୍କ ଖେଳ ଜୀବନ ଠିକଣା ଭାବେ ପରିସ୍ଫୁଟ ହୋଇପାରିଲା ନାହିଁ। ଦୀନେଶ କାର୍ତ୍ତିକଙ୍କ ମନ ଭିତରେ ବି ଏଭଳି ରହିଛି। ଗୁରୁବାର କାର୍ତିକଙ୍କ ଦେଇଥିବା ବୟାନରୁ ବି ଏହା ପ୍ରମାଣିତ ହୋଇଛି। କିନ୍ତୁ ସେ ଜାତୀୟ ଚୟନ ଅପେକ୍ଷା ଆଇପିଏଲ୍‌ ଚୟନ ଭିତରେ ନିଜ କଥାକୁ ସୀମିତ ରଖିଛନ୍ତି। ଏହି ତାମିଲନାଡୁ କ୍ରିକେଟର୍ କହିଛନ୍ତି, ନିଜ ରାଜ୍ୟ ଦଳ ଚେନ୍ନାଇ ସୁପର୍ କିଙ୍ଗ୍ସ ଯେତେବେଳେ ପ୍ରଥମେ ମହେନ୍ଦ୍ର ସିଂହ ଧୋନିଙ୍କୁ ବାଛିଥିଲା ସେତେବେଳେ ମୋ ଛାତିରେ ଏକ ବଡ଼ ଛୁରି ଚାଲିଯିବା ଭଳି ଲାଗିଥିଲା।

କ୍ରିକ୍‌ବଜ୍ ସହିତ ଆଲୋଚନା ବେଳେ କାର୍ତିକ କହିଥିଲେ, ଧୋନିଙ୍କୁ ସିଏସ୍‌କେ ୧.୫ କୋଟିରେ ନେଇଥିଲା। ଏହି ଚୟନ ବେଳେ ସେ ପାଖରେ ବସିଥିଲେ ଏବଂ ତାଙ୍କ ନାମ ପ୍ରଥମେ ଆସିଥିଲା। ମନରେ ଦୁଃଖ ଏଇଥି ପାଇଁ ଆସିଥିଲା ଯେ ସେ ପାଖରେ ବସିଥିଲେ ବି ମୋତେ ଏ ବି‌ଷୟରେ ଅବଗତ କରାଇନଥିଲେ। ହୋଇପାରେ ସେ ବି ପୂର୍ବରୁ ଜାଣିନଥିବେ କିନ୍ତୁ ଏହା ମୋ ‌ଶରୀରରେ ଛୁରି ଚାଲିଯିବା ଭଳି ଅନୁଭବ ଦେଇଥିଲା। ଅଦ୍ୟାବଧି ଆଇପିଏଲ୍‌ରେ ୧୨ ଋତୁ ଶେଷ ‌ହୋଇଛି। ତ୍ରୟୋଦଶ ଋତୁକୁ କୋଭିଡ୍‌-୧୯ ରୋକି ଦେଇଛି। କାର୍ତିକ କହିଛନ୍ତି, ମୁଁ ଏବେ ବି ଅପେକ୍ଷା କରିଛି କେବେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଖେଳିବି। ସୂଚନାଯୋଗ୍ୟ, ଗତ ବିଶ୍ବକପ୍‌ରେ ମିଳିତ ଭାବେ ଭାରତୀୟ ଦଳରେ ଥିଲେ ଧୋନି ଏବଂ କାର୍ତିକ। ବିଗତ ୧୨ ଆଇପିଏଲ୍‌ ଋତୁ ମଧ୍ୟରେ କାର୍ତିକ ୬ଟି ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜ୍ ପାଇଁ ଖେଳି ସାରିଛନ୍ତି। ଗତ ଋତୁରେ କୋଲ୍‌କାତା ନାଇଟ୍ ରାଇଡର୍ସର ଅଧିନାୟକ ବି ଥିଲେ। ଘରୋଇ କ୍ରିକେଟ୍‌ରେ ମୁରଲୀ ବିଜୟ ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି କାର୍ତିକ ତାମିଲନାଡୁ ପାଇଁ ଚମତ୍କାର ଖେଳୁଥିଲେ ମଧ୍ୟ ଚେନ୍ନାଇ ସୁପର୍‌ କିଙ୍ଗସ ସେବାରୁ ବଞ୍ଚିତ ହୋଇଛନ୍ତି। ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ସେ ଦିଲ୍ଲୀ ଡେୟାର ଡେଭିଲ୍ସ (ବର୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) ପାଇଁ ଚୁକ୍ତି ବଦ୍ଧ ହେବା ପରେ ପରବର୍ତୀ ସମ‌ୟରେ କିଙ୍ଗସ ଇଲେ‌ଭେନ୍ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌, ଗୁଜରାଟ ଲାୟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳି ସାରିଛନ୍ତି। ନିଜ ରାଜ୍ୟ ତଥା ଘରୋଇ ଦଳ ପାଇଁ ଖେଳି ନ ପାରିବାର ଅବସୋସ ତାଙ୍କୁ ନିଶ୍ଚିତ ପିଛା କରିଛି।

ସମ୍ବନ୍ଧିତ ଖବର