ମହେନ୍ଦ୍ର ସିଂ ଧୋନୀଙ୍କ କରୋନା ପରୀକ୍ଷା

ଚେନ୍ନାଇ : ଏଥର ଆଇପିଏଲ ୟୁଏଇରେ ଖେଳାଯିବାକୁ ଥିବାବେଳେ ଟିମ ଗୁଡ଼ିକ ଆସନ୍ତା ୨୦ ତାରିଖ ପରେ ୟୁଏଇ ଅଭିମୁଖେ ଯାତ୍ରା କରିବେ । ଏହା ପୂର୍ବରୁ ବିସିସିଆଇ ଗାଇଡଲାଇନ ଅନୁସାରେ ବିଭିନ୍ନ ଦଳ ନିଜ ନିଜ ଖେଳାଳି ଓ କର୍ମଚାରୀମାନଙ୍କ କରୋନା ପରୀକ୍ଷା ଆରମ୍ଭ କରିଛନ୍ତି ।
ଏହି କ୍ରମରେ ଚେନ୍ନାଇ ସୁପରକିଙ୍ଗସ ନିଜ ଖେଳାଳି ଓ କର୍ମଚାରୀମାନଙ୍କ କରୋନା ପରୀକ୍ଷଣ ଆରମ୍ଭ କରିଛି ।

ଦଳ ପକ୍ଷରୁ ଚେନ୍ନାଇରେ ଏକ କ୍ୟାମ୍ପ କରି ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି । ପ୍ରଥମେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଆଉ କିଛି ଖେଳାଳିଙ୍କ କରୋନା ପରୀକ୍ଷଣ ହୋଇଛି । ତେବେ ରବିନ୍ଦ୍ର ଜାଦେଜା ଏପର୍ଯ୍ୟନ୍ତ କ୍ୟାମ୍ପରେ ଯୋଗ ଦେଇନାହାନ୍ତି । ବ୍ୟକ୍ତିଗତ କାରଣ ଯୋଗୁଁ ସେ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି । ଫଳରେ ତାଙ୍କର ପରୀକ୍ଷା ହୋଇପାରି ନାହିଁ । ଚେନ୍ନାଇ ସୁପରକିଙ୍ଗସ ଆସନ୍ତା ୨୨ ତାରିଖରେ ୟୁଏଇ ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ । ଏବର୍ଷ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ଏପ୍ରିଲରେ ଆଇପିଏଲ ଖେଳାଯାଇନଥିଲା । ଆଇପିଏଲ ମ୍ୟାଚଗୁଡ଼ିକ ସାରଜା, ଦୁବାଇ ଓ ଆବୁଧାବିରେ ଖେଳାଯିବ ।

ସମ୍ବନ୍ଧିତ ଖବର