ସୁରତ: ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଆଗାମୀ ଆଇପିଏଲ୍ ଲାଗି ସୁରତରେ ପ୍ରସ୍ତୁତି ଆରମ୍ଭ କରିଛି। ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ସିଏସ୍କେ ଚେନ୍ନାଇରେ ଆଇପିଏଲ୍ ପ୍ରସ୍ତୁତି ଆରମ୍ଭ ଲାଗି ନିଷ୍ପତ୍ତି ନେଇଥିଲା। ସମସ୍ତ ମ୍ୟାଚ୍ ମହାରାଷ୍ଟ୍ରରେ ଖେଳାଯିବାକୁ ଥିଲା ବେଳେ ଏଠାକାର ପାଣିପାଗ ସୁରତ ସହ ପ୍ରାୟ ସମାନ ରହିଛି। ତେଣୁ ସିଏସ୍କେ ପୂର୍ବ ନିଷ୍ପତ୍ତି ବଦଳାଇ ସୁରତର ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଅଭ୍ୟାସ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର ଅଭ୍ୟାସର ପ୍ରଥମ ଦିନରେ ସ୍ଥାନୀୟ କ୍ରିକେଟ୍ ପ୍ରଶଂସକ ଧୋନୀଙ୍କ ଦଳକୁ ଚିୟର ଅପ୍ କରିଥିଲେ। ଧୋନି ନେଟ୍ସରେ କିଛି ସମୟ ବ୍ୟାଟିଂ ଅଭ୍ୟାସ କରିବା ସହ ଫୁଟ୍ଭଲି ଖେଳିଥିଲେ। ସିଏସ୍କେ ମାର୍ଚ ୨୬ ଉଦ୍ଘାଟନୀ ମ୍ୟାଚ୍ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍)କୁ ଭେଟିବ।
ଲିଟ୍ଲି ନେଟ୍ ବୋଲର
ସିଏସ୍କେର ଅଭ୍ୟାସ ବେଳେ ଦଳରେ ନେଟ୍ ବୋଲର ଭାବେ ଆୟର୍ଲାଣ୍ଡ ଦ୍ରୁତ ବୋଲର ଜୋସ୍ ଲିଟ୍ଲି ଯୋଗ ଦେଇଛନ୍ତି। ‘‘ନିଜର ଉନ୍ନତି ଲାଗି ଆଗାମୀ ଆଇପିଏଲ୍ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ନେଟ୍ ବୋଲର ଭାବେ ସୁଯୋଗ ପାଇଥିବାରୁ ଜୋସ୍ ଲିଟ୍ଲିଙ୍କୁ ଅନେକ ଶୁଭେଚ୍ଛା। ସିଏସ୍କେର ନେଟ୍ ବୋଲର ଭାବେ ଅଭିଜ୍ଞତା ସାଉଣ୍ଟିବା ଏକ ସୁନ୍ଦର ଅନୁଭବ ହେବ’’ କ୍ରିକେଟ୍ ଆୟର୍ଲାଣ୍ଡ ଟ୍ବିଟ୍ କରି ଲିଟ୍ଲିଙ୍କୁ ଶୁଭେଚ୍ଛା ଜଣାଇଛି।
ଜାସନ୍ଙ୍କ ସ୍ଥାନ ନେଲେ ଗୁର୍ବାଜ
ଅହମଦାବାଦ: ଇଂଲଣ୍ଡର ଜାସନ ରୟଙ୍କ ବଦଳରେ ଗୁଜରାଟ ଟାଇଟାନ୍ସ ଆଗାମୀ ଆଇପିଏଲ୍ ଲାଗି ଆଫ୍ଗାନ୍ ଓପନର୍ ରହମନୁଲ୍ଲା ଗୁରବାଜଙ୍କୁ ଦଳରେ ସ୍ଥାନ ଦେଇଛି। ଜୈବ ବଳୟରେ ରହି ଏତେ ଦିନ ନ ଖେଳିବା ଲାଗି ରୟ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଧନୀ କ୍ରିକେଟ୍ ଲିଗ୍ରୁ ଓହରି ଯାଇଥିଲେ। ୬୯ ଟି-୨୦ ମ୍ୟାଚ୍ ଖେଳିଥିବା ୨୦ ବର୍ଷୀୟ ଗୁରବାଜ ୧୫୦ରୁ ଊର୍ଧ୍ବ ଷ୍ଟ୍ରାଇଟ୍ ରେଟ୍ରେ ୧୧୩ ଛକା ମାରିଛନ୍ତି। ଗୁର୍ବାଜ ମଧ୍ୟ ୯ ଦିନିକିଆ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେ ବ୍ୟାଟିଂ ସହ ୱିକେଟ୍ରକ୍ଷଣ ଦାୟିତ୍ବ ମଧ୍ୟ ସମ୍ଭାଳି ପାରିବେ। ଏହି ଆଫ୍ଗାନ ତାରକା ପାକିସ୍ତାନ ସୁପର ଲିଗ୍ରେ ମୁଲତାନ ସୁଲତାନ ଓ ଇସ୍ଲାମବାଦ ୟୁନାଇଟେଡ୍, ଲଙ୍କା ପ୍ରିମିୟର ଲିଗ୍ରେ କାଣ୍ଡି ତସ୍କର୍ସ ଏବଂ ବାଂଲାଦେଶ ପ୍ରିମିୟର ଲିଗ୍ରେ ଖୁଲନା ଟାଇଗର୍ସ ପକ୍ଷରୁ ଖେଳିଛନ୍ତି।