ସେହି ବର୍ଷ, ଆଜିର ତାରିଖ; ଧୋନି ହାସଲ କରିଥିଲେ ପ୍ରଥମ ଅନ୍ତର୍ଜାତୀୟ ଶତକ

ନୂଆଦିଲ୍ଲୀ: ୨୦୦୫ ମସିହା ଏପ୍ରିଲ ମାସ ୫ ତାରିଖରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ବ କ୍ରିକେଟର ଶ୍ରେଷ୍ଠ ଫିନିସର ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା। ଆଜିର ତାରିଖରେ ହିଁ ଧୋନି ବିଶାଖାପାଟଣାର ୱାଇ ଏସ୍ ରାଜଶେଖର ରେଡ୍ଡୀ କ୍ରିକେଟ୍ ଷ୍ଟାଡିୟମରେ ଜୀବନର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ହେଲେ ଚତୁର୍ଥ ଓଭରରେ ହିଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରଥମ କିଛି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେମିତି କିଛି ଖାସ୍ କମାଲ କରି ନଥିବା ସତ୍ତ୍ବେ ଧୋନିଙ୍କୁ ତୃତୀୟ ସ୍ଥାନରେ ଖେଳିବାର ସୁଯୋଗ ମିଳିଥିଲା ଏହି ହାଇଭୋଲଟେଜ୍ ମ୍ୟାଚ୍‌ରେ। ନିଜ ନିଆରା ତଥା ଲମ୍ବା ‌କେଶ ବିନ୍ୟାସ ପାଇଁ ଚର୍ଚାରେ ରହିଥିବା ଧୋନି ଏଥର ନିଜ ବ୍ୟାଟିଂ ଦକ୍ଷତାରେ ସମସ୍ତଙ୍କ ମନ ମୋହି ନେଇଥିଲେ। ବୀରେନ୍ଦ୍ର ସେହବାଗ ଓ ସେ ପାକିସ୍ତାନୀ ବୋଲରଙ୍କୁ ନିର୍ଧୂମ ଛେଚିଥିଲେ। ଉଭୟ ୯୬ ରନ୍‌ର ବିସ୍ଫୋରକ ଭାଗୀଦାରି କରିବା ସହ ସେହବାଗ ୫୦ ରନ୍ ଟପିଥିଲେ। ବ୍ୟକ୍ତିଗତ ଭାବେ ୭୪ ରନ୍‌ରେ ଥିଲା ବେଳେ ସେହବାଗ ନିଜ ଏକାଗ୍ରତା ହରାଇ ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ। ଧୋନି କିନ୍ତୁ ତାଙ୍କ ଆକ୍ରମଣ ଜାରି ରଖିଥିଲେ। ରାହୁଲ ଦ୍ରାବିଡ଼ଙ୍କ ସହ ମିଶି ସେ ୧୪୯ ରନ୍‌ର ଆଉ ଏକ ମହତ୍ବପୂର୍ଣ୍ଣ ଭାଗୀଦାରି କରି ପାକିସ୍ତାନ ଖେଳାଳିଙ୍କୁ ଚକିତ କରି ଦେଇଥିଲେ। ୧୫ ଚୌକା ଓ ୪ ଛକା ମାରି ସ୍ଥାନୀୟ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ୧୨୩ ବଲ୍‌ରୁ ୧୪୮ ରନ୍‌ର ପାଳି ଖେଳିଥିଲେ। ତାଙ୍କ ପ୍ରଥମ ଶତକ ବଳରେ ଭାରତ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୫୬ ରନ୍ କରିଥିଲା। ପରେ ଆଶିଷ ନେହରାଙ୍କ ୪ ୱିକେଟ୍ ବଳରେ ପାକିସ୍ତାନକୁ ଭାରତ ମାତ୍ର ୨୯୮ ରନ୍‌ରେ ଅଟକାଇ ଦେଇଥିଲା।

ଏହା ପରେ ‌ଧୋନି ୩୫୦ ଦିନିକିଆ ଖେଳିବା ସହ ଶ୍ରୀଲଙ୍କା ବିପକ୍ଷରେ ନିଜ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୮୩ ହାସଲ କରିଥିଲେ। ବ୍ୟକ୍ତିଗତ ଭାବେ ଅନେକ ସ୍ମରଣୀୟ ପାଳି ଖେଳିବା ସହ ପରବର୍ତୀ ସମୟରେ ସେ ଭାରତର ସଫଳତମ ଅଧିନାୟକ ହେବାର ଗୌରବ ଅର୍ଜନ କରିଥିଲେ। ଏକଦିବସୀୟ, ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ସେ ହେଉଛନ୍ତି ଏକମାତ୍ର ଅଧିନାୟକ। ତାଙ୍କ ନେତୃତ୍ବରେ ମଧ୍ୟ ଭାରତ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିଲା। ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପରକିଙ୍ଗ୍ସ ତିନି ଥର ଆଇପିଏଲ୍ ଟ୍ରଫି ଜିତିଥିଲା। ବିଶ୍ବକପ୍ (ଇଂଲଣ୍ଡ) ସେମିଫାଇନାଲ ପରେ ଗତ ମାସ ୨୯ ତାରିଖରେ ଆଇପିଏଲ୍ ଖେଳି ଧୋନି କ୍ରିକେଟକୁ ଫେରିବାର ଲକ୍ଷ୍ୟରେ ଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ଏହି ପ୍ରତିଯୋଗିତା କରୋନା ସଂକ୍ରମଣ ପାଇଁ ସ୍ଥଗିତ ହୋଇଯାଇଛି। ୩୮ ବର୍ଷୀୟ ଧୋନି ସଂପ୍ରତି ରାଞ୍ଚିରେ ନିଜ ପରିବାର ସହ ସମୟ କଟାଉଛନ୍ତି। ବିସିସିଆଇ ତାଙ୍କୁ ତା’ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରି ନଥିବାରୁ, ତାଙ୍କ କ୍ରିକେଟ୍ ଜୀବନ ଶେଷ ହୋଇଯାଇଛି ବୋଲି ଅନେକ ମତ ରଖନ୍ତି। ହେଲେ ଅସାଧ୍ୟକୁ ସାଧ୍ୟ କରିବାର କ୍ଷମତା ରଖୁଥିବା ଧୋନି ଯେ ଆଉ ଭାରତୀୟ ଦଳକୁ ଫେରିବେ ନାହିଁ, ସେ କଥା ଜୋର ଦେଇ କହି ହେବନି। ଧୋନି ୨୦୦୪ ମସିହାରେ ଚଟ୍ଟୋଗ୍ରାମଠାରେ ବାଂଲାଦେଶ ବିପକ୍ଷରେ ନିଜ ଦିନିକିଆ ଏବଂ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଚେନ୍ନାଇଠାରେ ନିଜ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ। ସେହିଭଳି ୨୦୦୬ରେ ଜୋହାନେସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ୩୫୦ ଦିନିକିଆରୁ ସେ ୧୦୭୭୩, ୯୦ ଟେଷ୍ଟରୁ ୪୮୭୬ ଓ ୯୮ ଟ୍ବେଣ୍ଟି-୨୦ରୁ ୧୮୧୭ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର