ଧୋନିଙ୍କ ଫିଟନେସ୍ କମିଛି: ବିନ୍ନି

ଶ୍ରେଷ୍ଠ ସମୟ ଅତିବାହିତ କରିସାରିଛନ୍ତି

ନୂଆଦିଲ୍ଲୀ: ‘‘ମହେନ୍ଦ୍ର ସିଂହ ଧୋନିଙ୍କ ଫିଟ୍‌ନେସ୍ ସ୍ତର ପୂର୍ବାପେକ୍ଷା କମିଛି। ସେ ମଧ୍ୟ ଶ୍ରେଷ୍ଠ ସମୟ ଅତିବାହିତ କରିସାରିଛନ୍ତି। ଏଣୁ ଧୋନି ଯୁବ ପିଢ଼ିଙ୍କ ପାଇଁ ବାଟ ଛାଡ଼ିବାର ସମୟ ଆସି ଯାଇଛି’’। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତ ନେଇ ହେଉଥିବା ଆଲୋଚନା ଓ ପର୍ଯ୍ୟାଲୋଚନା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏଭଳି ମନ୍ତବ୍ୟ ଦେଇଛନ୍ତି ବିଶ୍ବ ବିଜୟୀ ଅଲରାଉଣ୍ଡର ତଥା ପୂର୍ବତନ ଚୟନକର୍ତ୍ତା ରୋଜର ବିନ୍ନି। ଭାରତର ୧୯୮୩ ମସିହା ବିଶ୍ବକପ୍ ବିଜୟୀ ଦଳର ଅନ୍ୟତମ ସଦସ୍ୟ ଥିବା ବିନ୍ନି ଗତ ଦୁଇ ବର୍ଷ ହେବ ଧୋନିଙ୍କ ଖେଳ ଦେଖିବା ପରେ ଏଭଳି ଆକଳନ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘‘ ଧୋନିଙ୍କ ଗତ ଦୁଇ ବର୍ଷର ଖେଳକୁ ଆଧାର କରି ମୁଁ ଏହି ନିଷ୍କର୍ସରେ ପହଞ୍ଚିଛି ଯେ ସେ ଆଉ ଆଗ ଭଳିଆ ନାହାନ୍ତି। ମ୍ୟାଚ୍‌ର ମୋଡ଼ ବଦଳାଇ, ହାରିବା ମ୍ୟାଚ୍‌କୁ ଜିତିବାରେ ପରିଣତ କରିବାରେ ତାଙ୍କର ଯେଉଁ ଦକ୍ଷତା ଥିଲା, ତାହା ଆଉ ପୂର୍ବଭଳି ନାହିଁ। ତାଙ୍କ ଫିଟ୍‌ନେସ୍‌ ସ୍ତର ବି କମିଛି। ସତ କହିବାକୁ ଗଲେ ଧୋନି ଆଉ ତାଙ୍କ ଶ୍ରେଷ୍ଠ ସମୟରେ ନାହାନ୍ତି। ତା’ ଛଡ଼ା ଅନେକ ପ୍ରତିଭାବାନ ଯୁବ ଖେଳାଳି ମଧ୍ୟ ଦଳକୁ ଆସୁଛନ୍ତି।

ତେବେ ନିଜ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ଧୋନିଙ୍କର ରହିଛି’’। ବିନ୍ନି କିନ୍ତୁ ଧୋନିଙ୍କୁ ଜଣେ ମହାନ କ୍ରିକେଟର ଭାବେ ବର୍ଣ୍ଣନା କରିଛନ୍ତି। ସେହିଭଳି ବରିଷ୍ଠ କ୍ରିକେଟରଙ୍କ ପ୍ରତି ଧୋନିଙ୍କ ମନରେ ଢେର ସମ୍ମାନ ଓ ଭକ୍ତି ରହୁଥିଲା ବୋଲି ମତ ରଖିଛନ୍ତି। ‘‘ ଧୋନିଙ୍କ ବିଷୟରେ ଗୋଟିଏ କଥା ମୁଁ କହିପାରିବି ଅତୀତର ଖେଳାଳିଙ୍କ ପ୍ରତି ତାଙ୍କ ମନରେ ଗଭୀର ସମ୍ମାନ ରହୁଥିଲା। ସେ ଜଣେ ସରଳ ମଣିଷ। କୌଣସି କଥାରେ ଗର୍ବ କରନ୍ତି ନାହିଁ। ଦରକାର ପଡ଼ିଲେ ପାଖକୁ ଆସି ଆଲୋଚନା କରନ୍ତି ଏବଂ ତାଙ୍କୁ କ’ଣ ଦରକାର ନମ୍ରତାର ସହ କୁହନ୍ତି। ଆମର ତାଙ୍କ ସହ କୌଣସି ଯୁକ୍ତି ତର୍କ କିମ୍ବା ମତାନ୍ତର ହୋଇ ନଥିଲା। ତାଙ୍କ ସହ କାମ କରିବା ଅତି ସହଜ ଥିଲା’’ ବୋଲି ବିନ୍ନି ଭାରତୀୟ ଦଳ ସହ ନିଜ କାର୍ଯ୍ୟକାଳକୁ ମନେ ପକାଇ କହିଥିଲେ।

ସମ୍ବନ୍ଧିତ ଖବର