ଧୋନିଙ୍କ ଯୁଗ ଶେଷ! ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍

ନୂଆଦିଲ୍ଲୀ: ଗତ ଦିନିକିଆ ବିଶ୍ବକପ୍‌ ପରଠାରୁ ଆଉ ଭାରତୀୟ ଦଳକୁ ଫେରିନାହାନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ପାଖାପାଖି ୬ ମାସ ଧରି ବିରତି ସମୟ ବିତାଉଥିବା ୩୮ ବୟସ୍କ ଧୋନି ମଧ୍ୟ ନିଜର ଅବସର ନେଇ କିଛି ସ୍ପଷ୍ଟ କରୁନାହାନ୍ତି। ଅନ୍ୟପକ୍ଷରେ ଅବସର ନିଷ୍ପତ୍ତି ଧୋନି ନିଜେ ନେବେ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) କହୁଛି। ଫଳରେ ଧୋନିଙ୍କ ଅବସର ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଚାଲୁଛି। ନିକଟରେ ଏନେଇ ଧୋନିଙ୍କ ସହ ଆଲୋଚନା କରିଥିବା କଥା ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ। ଧୋନି ଖୁବ୍‌ ଶୀଘ୍ର ଅବସର ସଂପର୍କରେ ନିଷ୍ପତ୍ତି ଶୁଣାଇବେ ବୋଲି ଶାସ୍ତ୍ରୀ କହିଥିଲେ। ଏପରିକି ଧୋନି ଯଦି ଆଗାମୀ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରନ୍ତି, ତେବେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିପାରନ୍ତି ବୋଲି ଶାସ୍ତ୍ରୀ ଏକାଧିକ ଥର କହିସାରିଛନ୍ତି। ହେଲେ ଗୁରୁବାର ବିସିସିଆଇ ତା’ର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ଏହି ବିଶ୍ବକପ୍‌ ବିଜେତା ଅଧିନାୟକଙ୍କୁ ବାଦ୍‌ ଦେଇଥିବାରୁ ଧୋନିଙ୍କ ଯୁଗ ଶେଷ ହୋଇଗଲା ବୋଲି ଆଲୋଚନା ହେଉଛି। ଧୋନିଙ୍କ ଭବିଷ୍ୟତ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଧୋନିଙ୍କ ବ୍ୟତୀତ ଅନ୍ୟ ପ୍ରମୁଖ ତାରକାଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ ଓ ଖଲିଲ ଅହମ୍ମଦଙ୍କ ନାମ ମଧ୍ୟ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ୍‌ ପଡ଼ିଛି। ଏହା ବାଦ୍‌ ଗତବର୍ଷର ତାଲିକାରେ ଆଉ ବିଶେଷ କିଛି ପରିବର୍ତନ କରାଯାଇନାହିଁ। ଅଷ୍ଟ୍ରେଲିଆରେ ପଦାର୍ପଣ କରିଥିବା ଟେ‌ଷ୍ଟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ ଚୟନକର୍ତାଙ୍କୁ ପ୍ରଭାବିତ କରିଥିବାରୁ ତାଲିକାରେ ଯୋଡ଼ି ହୋଇଛନ୍ତି। ‌ସେହିପରି ଟେଷ୍ଟ୍‌ ୱିକେଟ୍‌ରକ୍ଷକ ରିଦ୍ଧିମାନ ଶାହା ମଧ୍ୟ ପଦୋନ୍ନତି ପାଇଛନ୍ତି। ତାଲିକାରେ ନୂଆ ନାମ ମଧ୍ୟରେ ନଭ୍‌ଦୀପ୍‌ ସୈନି, ଦୀପକ ଚହର, ଶାର୍ଦୁଲ ଠାକୁର, ଶ୍ରେୟସ ଆୟର ଓ ୱାସିଂଟନ୍‌ ସୁନ୍ଦର ରହିଛନ୍ତି। ୨୦୧୯-୨୦୨୦ ଋତୁ ପାଇଁ ବିସିସିଆଇ ୪ଟି ଭିନ୍ନ ଭିନ୍ନ ଗ୍ରେଡ୍‌ରେ ମୋଟ ୨୭ ଜଣ ଖେଳାଳିଙ୍କୁ ସାମିଲ କରିଛି। ଗତବର୍ଷ ଏହି ତାଲିକାରେ ୨୯ ଜଣ ରହିଥିଲା ବେଳେ ଏଥର ୨୭କୁ ହ୍ରାସ କରାଯାଇଛି। ଏହି ତାଲିକାରେ ସବୁଠୁ ପ୍ରମୁଖ ଗ୍ରେଡ୍‌-ଏ+ରେ ତିନି ଜଣ ଖେଳାଳି ସାମିଲ ରହିଛନ୍ତି। ସେମାନଙ୍କୁ ୭ କୋଟି ଟଙ୍କା ଲେଖାଏଁ ମିଳିବ।

‘ଆଗରୁ ଅବଗତ କରାଯାଇଥିଲା’
ତେବେ ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ୍‌ ଦିଆଯିବା ପୂର୍ବରୁ ଧୋନିଙ୍କୁ ସୂଚାଇ ଦିଆଯାଇଥିଲା ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି। ଜାତୀୟ ଚୟନ କମିଟି ଏହି ତାଲିକା ଚୂଡାନ୍ତ ବରିବା ପୂର୍ବରୁ ଧୋନିଙ୍କୁ ଅବଗତ କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି। ବିଶ୍ବକପ୍‌ ପରଠାରୁ ସେ କୌଣସି ମ୍ୟାଚ୍‌ ଖେଳିନଥିବାରୁ ତାଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି। କିନ୍ତୁ ଭାରତୀୟ ଦଳରୁ ଖେଳିବାର ସମ୍ଭାବନା ଆଦୌ ଟଳିନାହିଁ। ଯଦି ସେ ଭଲ ପ୍ରଦର୍ଶନ ଜରିଆରେ ପୁନର୍ବାର ଟ୍ବେଣ୍ଟି-୨୦ ଦଳକୁ ଫେରନ୍ତି ତେବେ ପ୍ରୋ-ରାଟା ଭିତ୍ତିରେ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ସାମିଲ ହୋଇପାରିବେ ବୋଲି ବିସିସିଆଇର ଜଣେ ପ୍ରମୁଖ ଅଧିକାରୀ ଧୋନିଙ୍କୁ ଆଭାସ ଦେଇଛନ୍ତି। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହା କିମ୍ବା ସିଇଓ ରାହୁଲ ଜୋହରିଙ୍କ ମଧ୍ୟରୁ କିଏ ତାଙ୍କୁ ଏନେଇ ସୂଚନା ଦେଇଛନ୍ତି କି ବୋଲି ପଚରାଯିବାରୁ ଅଧିକାରୀ ଜଣକ କାହାରି ନାଁ ନେବାକୁ ମନା କରିଦେଇଥିଲେ। କିଏ କହିଥିଲେ ବଡ଼ କଥା ନୁହେଁ, ବରଂ ଧୋନି କିଛି ସମୟ ପାଇଁ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ୍‌ ପଡ଼ିଛନ୍ତି ଏବଂ କେନ୍ଦ୍ରୀୟ ଚୁକ୍ତିର ନିୟମ ଅନୁଯାୟୀ ଏହା କରାଯାଇଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ଚୁକ୍ତି ତାଲିକାରେ ସାମିଲ ହେବାକୁ ହେଲେ ଅତି କମ୍‌ରେ ୩ ଟେଷ୍ଟ୍‌ କିମ୍ବା ୮ ଦିନିକିଆ ମ୍ୟାଚ୍‌ ଖେଳିଥିବା ଜରୁରି। ଏହା ବ୍ୟତୀତ ସେହି ଋତୁରେ ନିର୍ଦିଷ୍ଟ ସଂଖ୍ୟକ ଟ୍ବେଣ୍ଟି-୨୦ ମଧ୍ୟ ଖେଳିବା ନିୟମ ରହିଛି। ଯାହାକି ଧୋନିଙ୍କ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲା। କିନ୍ତୁ ଧୋନି ଯଦି ଚଳିତ ବର୍ଷ ଆୟୋଜିତ ଏସିଆ କପ୍‌ ଟ୍ବେଣ୍ଟି-୨୦ ହେଉ ବା ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଖେଳିବାକୁ ମନୋନୀତ ହୁଅନ୍ତି, ତେବେ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ସିଧାସଳଖ ସାମିଲ ହୋଇପାରିବେ ବୋଲି ଅଧିକାରୀ ଜଣକ କହିଛନ୍ତି।

‘କେନ୍ଦ୍ରୀୟ ଚୁକ୍ତି ସହ ଧୋନିଙ୍କ ଭବିଷ୍ୟତର ସଂପର୍କ ନାହିଁ’
ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ୍‌ ପଡ଼ିଥିବା ଧୋନିଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହେଲେ ଭାରତୀୟ ଦଳରେ ଧୋନିଙ୍କ ଭବିଷ୍ୟତ କେନ୍ଦ୍ରୀୟ ଚୁକ୍ତି ସହ କୌଣସି ସଂପର୍କ ରଖେନାହିଁ ବୋଲି ବିସିସିଆଇ କହିଛି। ଭାରତୀୟ ଦଳ ପକ୍ଷରୁ ଖେଳିବାରେ କେନ୍ଦ୍ରୀୟ ଚୁକ୍ତି ସହ କିଛି ସଂପର୍କ ନାହିଁ। ଅବସର ନେବା ପର୍ଯ୍ୟନ୍ତ ଧୋନି ମ୍ୟାଚ୍‌ ଖେଳି ପ୍ରଦର୍ଶନ ଦେବା ସାଙ୍ଗକୁ ଭାରତୀୟ ଦଳରେ ସାମିଲ ହେବାର ଦାବି ଉପସ୍ଥାପନ କରିପାରିବେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ନିୟମିତ ଖେଳାଳିଙ୍କୁ ଏହି ଚୁକ୍ତିରେ ସାମିଲ କରାଯାଏ। ଯେହେତୁ ଧୋନି ୬ ମାସ ଧରି ଖେଳିନାହାନ୍ତି, ସେଥିପାଇଁ ବାଦ୍‌ ପଡ଼ିଛନ୍ତି। ହେଲେ ଏଥି ସହିତ ଦଳକୁ ଫେରିବାରେ ଧୋନିଙ୍କ ସବୁରାସ୍ତା ବନ୍ଦ ହୋଇଗଲା ବୋଲି ଯେଉଁମାନେ ଭାବୁଛନ୍ତି, ତାହା ଠିକ୍‌ ନୁହେଁ ବୋଲି ବିସିସିଆଇ କହିଛି।

କେନ୍ଦ୍ରୀୟ ଚୁକ୍ତି ତାଲିକା
ଗ୍ରେଡ୍‌ ଏ+ (୭ କୋଟି): ବିରାଟ କୋହଲି, ରୋହିତ ଶର୍ମା ଓ ଯଶ୍‌ପ୍ରୀତ୍‌ ବୁମ୍‌ରା।
ଗ୍ରେଡ୍‌ ଏ (୫ କୋଟି): ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରହାଣେ, ଶିଖର ଧାୱନ୍‌, ମହମ୍ମଦ ସାମି, ଈଶାନ୍ତ ଶର୍ମା, କୁଲ୍‌ଦୀପ ଯାଦବ, ଋଷଭ ପନ୍ତ୍‌ ଓ ଲୋକେଶ ରାହୁଲ୍‌।
ଗ୍ରେଡ୍‌ ବି (୩ କୋଟି): ଉମେଶ ଯାଦବ, ୟୁଜ୍‌ବେନ୍ଦ୍ର ଚହଲ୍‌, ହାର୍ଦିକ୍‌ ପାଣ୍ଡ୍ୟା, ରିଦ୍ଧିମାନ ଶାହା, ମୟଙ୍କ ଅଗ୍ରୱାଲ।
ଗ୍ରେଡ୍‌ ସି (୧ କୋଟି): କେଦାର ଯାଦବ, ମନୀଷ ପାଣ୍ଡେ, ହନୁମା ବିହାରୀ, ନଭ୍‌ଦୀପ ସୈନି, ଦୀପକ ଚହର, ଶାର୍ଦୁଲ ଠାକୁର, ଶ୍ରେୟସ ଆୟର ଓ ୱାସିଂଟନ୍‌ ସୁନ୍ଦର।

କେନ୍ଦ୍ରୀୟ ଚୁକ୍ତି ତାଲିକା (ମହିଳା)
ଗ୍ରେଡ୍‌ ଏ (୫୦ ଲକ୍ଷ): ହର୍‌ମନ୍‌ପ୍ରୀତ୍‌ କୌର, ସ୍ମୃତି ମନ୍ଧାନା, ପୁନମ୍‌ ଯାଦବ।
ଗ୍ରେଡ୍‌ ବି (୩୦ ଲକ୍ଷ): ମିତାଲି ରାଜ, ଝୁଲଣ ଗୋସ୍ବାମୀ, ଏକ୍‌ତା ବିସ୍ତ, ରାଧା ଯାଦବ, ତାନିୟା ଭାଟିଆ, ଶିଖା ପାଣ୍ଡେ, ଜେମିମା ରୋଦ୍ରିଗ୍ବେଜ୍‌, ଦୀପ୍ତି ଶର୍ମା।
ଗ୍ରେଡ୍‌ ସି (୧୦ ଲକ୍ଷ): ବେଦ କୃଷ୍ଣମୂର୍ତ୍ତି, ପୂର୍ଣ୍ଣିମା ରାଉତ, ଅନୁଜା ପାଟିଲ, ମାନସୀ ଜୋଷୀ, ଡି ହେମଲତା, ଅରୁନ୍ଧତୀ ରେଡ୍ଡୀ, ରାଜେଶ୍ବରୀ ଗାଏକ୍ବାଡ, ପୂଜା ଭସ୍ତ୍ରକାର, ହର୍ଲିନ୍‌ ଦେଓଲ, ପ୍ରିୟା ପୁନିଆ ଓ ଶେଫାଳି ବର୍ମା।

ସାମାଜିକ ଗଣମାଧ୍ୟମରେ ‘ଧନ୍ୟବାଦ ଧୋନି’
ବିସିସିଆଇର ବାର୍ଷିକ ଚୁକ୍ତିରୁ ଭାରତୀୟ କ୍ରିକେଟ୍ ଦଳର ବିଶ୍ବବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବାଦ୍ ପଡ଼ିବା ପରେ ଗୁରୁବାର ଦିନସାରା ସେ ହିଁ ସାମାଜିକ ଗଣମାଧ୍ୟମରେ ଚର୍ଚାର ବିଷୟ ହୋଇ ରହିଥିଲେ। ସବୁଠି ଭାରତୀୟ କ୍ରିକେଟ୍ ପାଇଁ ଧୋନି ଦେଇଥିବା ଅବଦାନକୁ ‌କ୍ରିକେଟ୍ ପ୍ରେମୀ ପ୍ରଶଂସା କରିଥିଲେ। ‘ଧନ୍ୟବାଦ ଧୋନି’ ହ୍ୟାସଟ୍ୟାଗ୍ ଅଧିକରୁ ଅଧିକ ଟ୍ରେଣ୍ଡ ହୋଇଥିଲା। ପ୍ରଶଂସକମାନେ ଧୋନିଙ୍କ ଫଟୋ ପ୍ରକାଶ କରି ତାଙ୍କୁ ଧନ୍ୟବାଦ ଦେଇଥିଲେ। ଅନେକ ଆବେଗଭରା ବାର୍ତା ବି ଲେଖିଥିଲେ। କେହି କେହି ଏକ ଯୁଗର ଅବସାନ ହେଲା ବୋଲି ମତ ରଖିଥିଲେ। ବ୍ୟକ୍ତିଗତ ସ୍ବାର୍ଥ ଅପେକ୍ଷା ଦଳୀୟ ସ୍ବାର୍ଥକୁ ଧୋନି ସବୁ ବେଳେ ଉପରେ ରଖୁଥିଲେ ବୋଲି ଅନେକ କହିଥିଲେ। ବହୁ ପ୍ରଶଂସକ ରାଞ୍ଚି କିମ୍ବା ବିଶାଖାପାଟଣାରେ ଧୋନିଙ୍କୁ ବିଦାୟୀ ଏକଦିବସୀୟ ଖେଳିବାର ସୁଯୋଗ ଦେବାକୁ ବିସିସିଆଇକୁ ଅନୁରୋଧ କରିଥିଲେ। ବିସିସିଆଇ ମାହିଙ୍କ ଭଳି ମହାନ ତାରକାଙ୍କୁ ଏଭଳି ଭାବେ ବିଦା କରିବାକୁ ସେମାନେ ଯେମିତି ସହଜରେ ଗ୍ରହଣ କରି ପାରି ନଥିଲେ।

ସମ୍ବନ୍ଧିତ ଖବର