ଧୋନିଙ୍କ ଆଇପିଏଲ୍ ବିବାଦ, ଶ୍ରୀକାନ୍ତଙ୍କ ସମାଲୋଚନା

ଦୁବାଇ: କ୍ୟାପ୍ଟେ‌ନ୍ କୁଲ୍ ଧୋନି ଆଉ ଆଗ ଭଳି ନାହାନ୍ତି! ବୟସ ବଢ଼ିବା ସହ ଅନେକ ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସୁଛନ୍ତି ‌ସେ। ଶାନ୍ତ ଓ ବରଫ ଭଳି ଶୀତଳ ସ୍ବଭାବ ପାଇଁ ପରିଚିତ ଧୋନି କେତେବେଳେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଛନ୍ତି ତ ଆଉ କେତେ ବେଳେ ପଡ଼ିଆ ଭିତରକୁ ଧଶେଇ ପଶୁଛନ୍ତି। ଧୋନିଙ୍କ ଏଭଳି ରୂପକୁ କିନ୍ତୁ ପ୍ରଶଂସକ ସହଜରେ ଗ୍ରହଣ କରିପାରୁନାହାନ୍ତି। ସାଥୀ ଓ ପୂର୍ବତନ ‌ଖେଳାଳି ବି ଚକିତ ହୋଇ ଯାଉଛନ୍ତି। ଚଳିତ ଋତୁରେ ଚେନ୍ନାଇ ସୁପରକିଙ୍ଗ୍ସର ଦୁର୍ବଳ ପ୍ରଦର୍ଶନ ସହ ବ୍ୟକ୍ତିଗତ ଭାବେ ଭଲ ଖେଳି ନପାରିବା ଧୋନି ଏଭଳି ବ୍ୟବହାର କରିବାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ରାଜସ୍ଥାନ ରୟାଲ୍ସଠାରୁ ଚେନ୍ନାଇ ସୁପରକିଙ୍ଗ୍ସ ୭ ୱିକେଟ୍‌ରେ ପରାଜିତ ହେବା ପରେ ଧୋନି ଦେଇଥିବା ମନ୍ତବ୍ୟ ମଧ୍ୟ ଏବେ ବିବାଦ ଘେରକୁ ଆସିଛି। ଏଭଳି ସ୍ଥିତିରେ ଧୋନିଙ୍କ ପ୍ରମୁଖ ଆଇପିଏଲ୍ ବିବାଦ ଉପରେ ଆସନ୍ତୁ ନଜର ପକାଇବା।

ଶ୍ରୀକାନ୍ତଙ୍କ ସମାଲୋଚନା
ବାଙ୍ଗାଲୋର: ଚଳିତ ଆଇପିଏଲ୍‌ରେ ୧୦ ମ୍ୟାଚ୍‌ ଖେଳିସାରିବା ପରେ ମଧ୍ୟ ପଏଣ୍ଟ୍‌ ତାଲିକାର ସର୍ବନିମ୍ନ ସ୍ଥାନରୁ ଉଠିପାରୁନଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋମବାର ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ହାରିଯିବା ପରେ ବିଶେଷକରି ଯୁବ ତାରକାଙ୍କ ଉପରେ ଯେଭଳି ଟିପ୍ପଣୀ ଦେଇଛନ୍ତି ତାକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ୧୯୮୩ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ କୃଷ୍ଣମାଚାରୀ ଶ୍ରୀକାନ୍ତ। ଚେନ୍ନାଇ ଦଳ ଚଳିତ ସଂସ୍କରଣରେ ପରାଜୟ ବରଣ କରିଚାଲିଥିଲେ ସୁ୍ଦ୍ଧା କେଦାର ଯାଦବ ଏବଂ ପୀୟୂଷ ଚାୱଲାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ବଜାୟ ରଖିବା ନେଇ ଧୋନିଙ୍କୁ ପ୍ରଶ୍ନ କରାଯାଇଥିଲା। ରାଜସ୍ଥାନ ରୟାଲ୍‌ସ ନିକଟରୁ ପରାସ୍ତ ହେବା ପରେ ‌ଧୋନି ମନ୍ତବ୍ୟ ରଖିଥିଲେ; ଅଧିକାଂଶ ଯୁବ ତାରକା ଚମକହୀନ ହୋଇଥିବା ସେ ଦେଖିଥିଲେ। ତେଣୁ ବରିଷ୍ଠ ତଥା ଅଭିଜ୍ଞତାକୁ ଦୃଷ୍ଟିରେ ରଖି କେଦାର ଓ ପୀୟୂଷଙ୍କୁ ୧୧ ଜଣଙ୍କ ମଧ୍ୟରେ ଖେଳାଯାଉଥିଲା। ଏହାର ମାନେ ଯୁବତାରକାଙ୍କ ପ୍ରତି ଧୋନିଙ୍କ ଆସ୍ଥା ଓ ବିଶ୍ବାସ ନଥିବା ତାଙ୍କ ଟିପ୍ପଣୀରୁ ସ୍ପଷ୍ଟ ହୋଇଯାଇଥିଲା। ଯୁବତାରକାଙ୍କ ସଂପର୍କରେ ଏଭଳି ଟିପ୍ପଣୀ ‌ଧୋନିଙ୍କଠାରୁ ଶୁଣିବା ପରେ ଶ୍ରୀକାନ୍ତଙ୍କ ଆଖିରେ ଲୁହ ଭରିଯାଇଥିଲା। କେଦାର ଯାଦବ ୮ ମ୍ୟାଚ୍‌ ଖେଳି ମାତ୍ର ୬୨ ରନ୍‌ କରିଥିଲା ବେଳେ ତାଙ୍କୁ ବାରମ୍ବାର ସୁଯୋଗ ମିଳୁଛି। ହେଲେ ପ୍ରଥମ ୧୦ ମ୍ୟାଚ୍‌ରେ ଜଣେ ହେଲେ ଯୁବ ତାରକାଙ୍କୁ ଖେଳାନଯିବା ଧୋନିଙ୍କ ମନମାନୀର ପରିଚାୟକ ବୋଲି ଶ୍ରୀକାନ୍ତ କହିଛନ୍ତି।

ଶ୍ରୀକାନ୍ତ ଷ୍ଟାର୍‌ ସ୍ପୋର୍ଟସ୍‌ ତାମିଲକୁ କହିଥିଲେ, ଧୋନି ନିସନ୍ଦେହରେ ଜଣେ ମହାନ୍‌ କ୍ରିକେଟର୍‌। କିନ୍ତୁ ରାଜସ୍ଥାନଠୁ ହାରିବା ପ‌ରେ ସେ ନିଜ ମତକୁ ସ୍ବୀକାର କରୁନଥିବା ଆଶ୍ଚର୍ଯ୍ୟର କଥା। ବିଶ୍ବାସର ପ୍ରକ୍ରିୟା ଉପରେ ଧୋନିଙ୍କ ଟିପ୍ପଣୀକୁ ମୁଁ ଆଦୌ ଗ୍ରହଣ କରିପାରିବିନି। ତୁମେ ପ୍ରକ୍ରିୟା ସଂପର୍କରେ କହିବାକୁ ଗଲେ ମନୋନୟନ ପ୍ରକ୍ରିୟା ହି ପୂରା ଭୁଲ୍‌। କେଦାର ଯାଦବ ଓ ପୀୟୂଷ ଚାୱଲାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ ହିଁ ପ୍ରଶ୍ନବାଚୀ। ଅନ୍ୟପକ୍ଷରେ ୨୪ ବର୍ଷୀୟ ଯୁବ ତାରକା ଏନ୍ ଜଗଦୀଶାନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସୁଯୋଗ ପାଇଥିଲେ। ସେହି ମ୍ୟାଚ୍‌ରେ ସେ ୨୮ ବଲ୍‌ରୁ ୩୩ ରନ୍ କରିଥିଲେ। ତାଙ୍କ ଉପରୁ କାହିଁକି ‌ଧୋନିଙ୍କ ଆସ୍ଥା ତୁଟିଥିଲା। ତାଙ୍କର କ’ଣ ଚମକ ନଥିଲା। ‌ପୁଣି ତୁମେ କହୁଛ ଯୁବତାରକାଙ୍କଠାରେ ଚମକ ନାହିଁ। କ’ଣ କେଦାର ଯାଦବଙ୍କ ପାଖରେ ଚମକ ଭରିରହିଛି? ପୀୟୂଷ ଚାୱଲା କ’ଣ ଚମକ ଦେଖାଇଥିଲେ? ଛାଡ଼, ଏସବୁ ହାସ୍ୟାସ୍ପଦ କଥା। ମୁଁ ତୁମର ଜବାବକୁ ଆଦୌ ଗ୍ରହଣ କରିପାରୁନି। ଏନେଇ ଧୋନିଙ୍କ ସୋମବାର ମ୍ୟାଚ୍‌ ପରବର୍ତୀ ଟିପ୍ପଣୀ ବିପକ୍ଷରେ ଜଗଦୀଶାନଙ୍କୁ ପ୍ରମାଣ ଭାବେ ବ୍ୟବହାର କରିଥିଲେ ଶ୍ରୀକାନ୍ତ।

ୱାଇଡ୍ ବଲ୍‌କୁ ନେଇ ପଲ୍ ରିଫେଲଙ୍କ ଉପରେ ଚାପ
ଚଳିତ ମାସ ୧୩ ତାରିଖରେ ଖେଳା ଯାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଧୋନି ପୁଣି ଥରେ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ଜାହିର କରିଥିଲେ। ସନରାଇଜର୍ସ ପଶ୍ଚାତଧାବନର ଊନ୍ନବିଂଶ ଓଭରରେ ସାର୍ଦୁଲ ଠାକୁର ଏକ ୱାଇଡ୍ ଫୁଲଟସ୍ ବଲ୍ ପକାଇଥିଲେ। ଯାହା ଅଫ୍ ଷ୍ଟମ୍ପ ଲାଇନ୍‌ର ଢେର ବାହାରେ ଥିଲା। ଅମ୍ପାୟାର ପଲ୍ ରିଫେଲ୍‌ ଏହାକୁ ୱାଇଡ୍ ସଙ୍କେତ ଦେବାକୁ ପ୍ରସ୍ତୁତ ‌ହେଉଥିଲା ବେଳେ ଧୋନି ତାଙ୍କ ଉପରେ ପାଟି କରିବା ଆରମ୍ଭ କରି ଦେଇଥିଲେ। ଫଳରେ ରିଫେଲ ଚାପଗ୍ରସ୍ତ ହୋଇ ଦୁଇ ବାହୁ ଉପରକୁ ଅଧା ଉଠାଇବା ସତ୍ତ୍ବେ ନିଜ ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ। ସେତେବେଳକୁ ବିଜୟ ପାଇଁ ହାଇଦ୍ରାବାଦକୁ ୧୧ ବଲ୍‌ରୁ ୨୪ ରନ୍‌ର ଦରକାର ଥିଲା। ଶେଷରେ ଅବଶ୍ୟ ଚେନ୍ନାଇ ଏହି ମ୍ୟାଚ୍‌କୁ ଜିତି ନେଇଥିଲା। ୧୬୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ମାତ୍ର ୧୪୭ ରନ୍ କରି ପାରିଥିଲା। ଧୋନିଙ୍କ ଏଭଳି ବ୍ୟବହାର କିନ୍ତୁ ଅନେକଙ୍କୁ ବିସ୍ମିତ କରିଥିଲା।

ଯୁବାଙ୍କ ଭିତରେ ଚମକର ଅଭାବ ମନ୍ତବ୍ୟ
ଚଳିତ ଆଇପିଏଲ୍‌ରେ ସପ୍ତମ ପରାଜୟ ବରଣ କରିବା ପରେ ଧୋନି ମଧ୍ୟ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯୁବ ଖେଳାଳିଙ୍କ ମଧ୍ୟରେ ଚମକର ଅଭାବ ରହୁଥିବାରୁ ସେମାନଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳୁନଥିବା ଧୋନି ମ୍ୟାଚ୍ ପରବର୍ତ୍ତୀ ସାକ୍ଷାତକାରରେ କହିଥିଲେ। ଧୋନି କହିଥିଲେ ଯେ ଅଭିଜ୍ଞଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ଆମ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନଦେବାର କାରଣ ହେଉଛି ସେମାନଙ୍କ ଭିତରେ ମୁଁ ସେହି ଚମକ ଓ ଭୋକ ଦେଖିବାକୁ ପାଉନି। ତଥାପି ବଳକା ମ୍ୟାଚ୍‌ରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚେଷ୍ଟା କରିବି। ଏହା ପରେ ଧୋନିଙ୍କୁ ଏକାଧିକ ପୂର୍ବତନ ଖେଳାଳି ସମାଲୋଚନା କରିଥିଲେ।

ପଡ଼ିଆ ଭିତରକୁ ଧଶେଇ ପଶିଥିଲେ
ଗତବର୍ଷର ଆଇପିଏଲ୍ ବେଳେ ମଧ୍ୟ ଧୋନି ବିବାଦ ଘେରରେ ରହିଥିଲେ। ଗତ ଋତୁରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଇଥିବା ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ଉତ୍କଣ୍ଠାପୂର୍ଣ୍ଣ ଶେଷ ଓଭରରେ ‌ପଡ଼ିଆ ଭିତରକୁ ପଶି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ସେ। ଜୟପୁରରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଚେନ୍ନାଇକୁ ବିଜୟ ପାଇଁ ଶେଷ ଓଭରରୁ ୧୮ ରନ୍‌ ଦରକାର ଥିଲା। ବେନ୍ ଷ୍ଟୋକ୍ସଙ୍କ ପ୍ରଥମ ବଲ୍‌କୁ ରବୀନ୍ଦ୍ର ଜାଦେଜା ଛକା ମାରିଥିଲେ। ତେବେ ଅର୍ଧଶତକ ହାସଲକାରୀ ଧୋନିଙ୍କୁ ଏକ ୟର୍କରରେ ଆଉଟ୍ କରି ଦେଇଥିଲେ। ଫଳରେ ଶେଷ ୩ ବଲ୍‌ରୁ ଚେନ୍ନାଇକୁ ଆଉ ୮ ରନ୍‌ର ଆବଶ୍ୟକତା ଥିଲା। ଏହା ପରେ ଷ୍ଟୋକ୍ସ ଏକ ଫୁଲଟସ୍ ବଲ୍ ପକାଇଥିଲେ। ପଡ଼ିଆ ଅମ୍ପାୟାର ଏହାକୁ ନୋ’ ବଲ୍ ଡାକିବା ଲାଗି ପ୍ରସ୍ତୁତି ହୋଇ ପରେ ନିଜ ନିଷ୍ପତ୍ତି ବଦଳାଇ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ଧୋନି ପଡ଼ିଆର ମଧ୍ୟଭାଗକୁ ଯାଇ ଅମ୍ପ‌ାୟାରଙ୍କ ସହ ଯୁକ୍ତି ତର୍କ କରିଥିଲେ। ଯାହାକୁ କ୍ରିକେଟ୍ ଜଗତ ଆଦୌ ପସନ୍ଦ କରି ନଥିଲା।

ସମ୍ବନ୍ଧିତ ଖବର