ଧୋନିଙ୍କ ନେତୃତ୍ବ ଶୈଳୀ ଚମତ୍କାର: ଡୁ’ପ୍ଲେସିସ୍‌

ସିଏସ୍‌କେ ସ୍ଥିରତା ପଛର କାହାଣୀ ବି କହିଲେ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଫାଫ୍‌ ଡୁ’ପ୍ଲେସିସ୍ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବ ଶୈଳୀକୁ ନେଇ ବଖାଣିଛନ୍ତି। ଧୋନି ଅତ୍ୟନ୍ତ ଶାନ୍ତ। ମୁଁ ଏମିତି ବ୍ୟକ୍ତି ସହିତ ଖେଳିନି, ଯିଏ ଧୋନିଙ୍କଠୁ ଶ୍ରେଷ୍ଠ ଫିନିସର୍‌ ହୋଇଥିବ। ତାଙ୍କୁ ପଡ଼ିଆରୁ ଦେଖିବା ଅତି ଚମତ୍କାର ବୋଲି ବାଂଲାଦେଶର ତମିମ ଇକବାଲଙ୍କ ସହ ଫେସବୁକ୍ ଚାଟ୍‌ରେ ଡୁ’ପ୍ଲେସିସ୍‌ କହିଛନ୍ତି। ଯଦି ତାଙ୍କ ପରି ଅନ୍ୟ କେହି ଏହା କରିବାକୁ ଚେଷ୍ଟା କରନ୍ତି ତେବେ ସକ୍ଷମ ହେବେ ନାହିଁ। ଚାପରେ କେମିତି ଖେଳାଯ‌ାଏ ତାଙ୍କୁ ଜଣା। ସେ ବଲ୍‌କୁ କିଛି ସମୟ ପାଖରେ ରଖି ବୋଲର୍‌କୁ ବାଛି ବୋଲିଂ କରିବାକୁ ଡାକିଥାନ୍ତି। ଯାହା ତାଙ୍କୁ ଅବିଶ୍ବାସନୀୟ ଶାନ୍ତି ଦେଇଥାଏ। ଏହା ହିଁ ତାଙ୍କ ନେତୃତ୍ବ ଶୈଳୀର ଭିନ୍ନତା ବୋଲି ୨୦୧୧ରୁ ୨୦୧୫ ଏବଂ ପରେ ୨୦୧୮ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ ‘ସିଏସ୍‌କେ’ ପାଇଁ ଖେଳିଥିବା ଡୁ’ପ୍ଲେସିସ୍‌ ପ୍ରକାଶ କରିଛନ୍ତି। ସେ ଅନ୍ୟ ଖେଳାଳିଙ୍କୁ ଭଲ ଭାବରେ ବୁଝନ୍ତି ଏବଂ ପଡ଼ିଆରେ ପ୍ରବୃତ୍ତିମୂଳକ ନିଷ୍ପତ୍ତି ନେବା ପାଇଁ ଏହାକୁ ବ୍ୟବହାର କରନ୍ତି। ଖେଳ ଉପରେ ତାଙ୍କର ଏକ ଅବିଶ୍ୱସନୀୟ ଅନ୍ତର ରହିଛି ଏବଂ ମୁଁ ଭାବୁଛି ଏହା ହେଉଛି ତାଙ୍କର ସବୁଠାରୁ ବଡ଼ ଶକ୍ତି ବୋଲି ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ ଅଧିନାୟକ କହିଛନ୍ତି। ଜଣେ ଅଧିନାୟକ ଭାବରେ ଧୋନି କେତେ ଭିନ୍ନ ତାହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ମୋ ମନରେ ଥିଲା ଜଣେ ଅଧିନାୟକ ଦଳର ଖେଳାଳିଙ୍କୁ ନେଇ ସବୁ ବେଳେ ବୈଠକ କରି ଆଲୋଚନା କରିବା ଆବଶ୍ୟକ। ହେଲେ ଧୋନି ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ଦଳୀୟ ବୈଠକକୁ ‌ସେ ବିଶ୍ୱାସ କରନ୍ତି ନାହିଁ। ସେ ଜଣେ ଅତି ପ୍ରବୃତ୍ତ ଅଧିନାୟକ, ତାଙ୍କୁ ଏତେ ଭଲ କ୍ରିକେଟ୍ ମସ୍ତିଷ୍କ ମିଳିଛି ଯେ ପଡ଼ିଆରେ ସଠିକ୍ ନିଷ୍ପତ୍ତି ନେବାକୁ ସେ ଏହା ଉପରେ ହିଁ ନିର୍ଭର କରନ୍ତି ବୋଲି ୩୬ ଟେଷ୍ଟ୍‌, ୩୯ ଦିନିକିଆ ଓ ୪୦ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେଇଥିବା ଡୁ’ପ୍ଲେସିସ୍‌ କହିଛନ୍ତି। ମୁଁ ‘ସିଏସ୍‌କେ’ରେ ରହି ବହୁତ କିଛି ଶିଖିପାରିଛି। ଧୋନି ଏବଂ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କଠାରୁ ଯଥାସମ୍ଭବ ଶିଖିବାକୁ ଚେଷ୍ଟା କରିଥିଲି, କାରଣ ଉଭୟ ଜଣେ ଜଣେ ମହାନ ଅଧିନାୟକ ବୋଲି ଡୁ’ପ୍ଲେସିସ୍‌ କହିଛନ୍ତି।

ଧୋନିଙ୍କ ୱିକେଟ୍ ନେବାକୁ ଷ୍ଟୋକ୍ସଙ୍କୁ ଆହ୍ବାନ କଲେ ଶ୍ରୀଶାନ୍ତ
ନୂଆଦିଲ୍ଲୀ: ନିଜ ରଚିତ ପୁସ୍ତକ ‘ବେନ୍ ‌ଷ୍ଟୋକ୍ସ ଅନ୍‌ ଫାୟାର୍‌’ରେ ଇଂଲଣ୍ଡ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ଆଚରଣଙ୍କୁ ନେଇ ବେନ୍ ‌ଷ୍ଟୋକ୍ସ ସନ୍ଦେହ ପ୍ରକଟ କରିବା ପରେ ୨ ଥର ବିଶ୍ବକପ୍‌ ବିଜେତା ଭାରତୀୟ ଦ୍ରୁତ ବୋଲର ସାନ୍ତାକୁମାରନ ଶ୍ରୀଶାନ୍ତ ତାଙ୍କୁ ଆହ୍ବାନ କରିଛନ୍ତି। ମୁଁ ଷ୍ଟୋକ୍ସଙ୍କୁ ଖୋଲାଖୋଲି ଭାବେ ଆହ୍ବାନ କରୁଛି ଧୋନିଙ୍କୁ ଆଉଟ୍ କରନ୍ତୁ। ତୁମେ ବିଶ୍ବର ଏକ ନମ୍ବର ଅଲରାଉଣ୍ଡର୍‌ (ବାସ୍ତବରେ ଆଇସିସି ଦିନିକିଆ ମାନ୍ୟତାରେ ଦ୍ବିତୀୟ)। ତୁମେ ବିଗତ ୪/୫ ବର୍ଷ ହେବ ଖେଳୁଛ,‌ ଯେବେଠାରୁ ମୁଁ ଖେଳୁନାହିଁ। ମୁଁ ତୁମ ବୋଲିଂକୁ ନଜରରେ ରଖିଛି, ଦୟାକରି ଧୋନିଙ୍କ ସମ୍ପର୍କରେ ତୁମେ କ’ଣ କହିଛ ଉତ୍ତର ଦିଅ’‌ ବୋଲି ଶ୍ରୀଶାନ୍ତ ପ୍ରଶ୍ନ କରିଛନ୍ତି। ୨୦୧୩ ମସିହାର ଆଇପିଏଲ୍‌ ସ୍ପଟ ଫିକ୍ସିଂ ପାଇଁ ଶ୍ରୀଶାନ୍ତ ନିଲମ୍ବିତ ହେବା ପରଠାରୁ ଆଉ କ୍ରିକେଟ୍‌ ଖେଳିନାହାନ୍ତି। ‌ଧୋନିଙ୍କ ଅଧିନରେ ୨୦୦୭ ଟି-୨୦ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟୀ ଦଳରେ ଶ୍ରୀଶାନ୍ତ ସଦସ୍ୟ ଥିଲେ। ‘ମୁଁ ଆଶା କରୁଛି ଷ୍ଟୋକ୍ସ ଆଉ କେବେ ଧୋନିଙ୍କ ବିପକ୍ଷରେ ନ ଖେଳନ୍ତୁ, କାରଣ ଧୋନି କିଛି ଭୁଲନ୍ତି ନାହିଁ। ଆଇପିଏଲ୍ ହେଉ କି କୌଣସି ଭାରତ-ଇଂଲଣ୍ଡ ମ୍ୟାଚ୍‌ କେହି ବାଟ ହୁଡିବେ ନାହିଁ। ଜଣେ ନୁହଁନ୍ତି ଅନେକ ଷ୍ଟୋକ୍ସ ଆସିଲେ ବି ଧୋନିଙ୍କୁ ଆଉଟ୍ କରିପାରିବେ ନାହିଁ, ଏପରିକି ଧୋନି ତାଙ୍କ ଖେଳ ଜୀବନକୁ ଶେଷ କରିଦେଇପାରନ୍ତି’ ବୋଲି ଶ୍ରୀଶାନ୍ତ କହିଛନ୍ତି।

ସିଏସ୍‌କେ ସ୍ଥିରତା ପଛର କାହାଣୀ ବି କହିଲେ
ଚେନ୍ନାଇଏ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଦଳର ‌ସ୍ଥିରତା ପଛର କାରଣ କହିଛନ୍ତି ଏହି ଦଳର ଦକ୍ଷିଣ ଆଫ୍ରିକୀୟ ସଦସ୍ୟ ଫାଫ୍‌ ଡୁ’ ପ୍ଲେସିସ୍‌। ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ ଅଧିନାୟକ ଆଇପିଏଲ୍‌ରେ ଆରମ୍ଭରୁ ସିଏସ୍‌କେ ଦଳର ଆଭ୍ୟନ୍ତରିଣ ଅଂଶବିଶେଷ ରହିଆସିଛନ୍ତି। ପାଳି ଆରମ୍ଭ କରିବାର ସୁଯୋଗ ପାଇବାଠାରୁ ସେ ଦଳ ପାଇଁ ସ୍ଥିର ପ୍ରଦର୍ଶନ ଦେଇ ଅସୁଛନ୍ତି। ଦଳ ସହ ତାଙ୍କର ୫ ଋତୁ ମଧ୍ୟରେ ଡୁ ପ୍ଲେସିସ୍‌ ପ୍ରତିବର୍ଷ ୩୦୦ରୁ ଅଧିକ ରନ୍‌ କରିଛନ୍ତି। ଗତ ଋତୁରେ ମୋଟ ୧୨ ମ୍ୟାଚ୍‌ ଖେଳିଥିଲା ବେଳେ ମୋଟ ୩୯୬ ରନ୍‌ ସଂଗ୍ରହ କରିଥିଲେ। ତାଙ୍କ ହାରାହାରି ୩୬ ଥିଲା ବେଳେ ସିଏସ୍‌କେକୁ ଫାଇନାଲ୍‌ ପହଞ୍ଚାଇବାରେ ସହାୟତା କରିଥିଲେ। ନିକଟରେ ଜିମ୍ବାୱେର ପୂର୍ବତନ ଦ୍ରୁତ ବୋଲର ପୋମି ବଙ୍ଗୱାଙ୍କ ସହ ଏକ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ସେସନ୍‌ ଅବସରରେ ସିଏସ୍‌କେ ସହ ତାଙ୍କ ସଂପୃକ୍ତି ନେଇ ପଚରାଯାଇଥିଲା ବେଳେ ଡୁ ପ୍ଲେସିସ୍‌ ଦଳର ସ୍ଥିରତା ପଛର କାରଣ ବଖାଣିଥିଲେ।

ସିଏସ୍‌କେ ଡ୍ରେସିଂ ରୁମ୍‌ରେ ଏକପ୍ରକାର ଆତ୍ବବିଶ୍ବାସର ବାତାବରଣ ରହିଥାଏ। ଡ୍ରେସିଂ ରୁମ୍‌ ବାତାବଣର ସବୁବେଳେ ଶାନ୍ତ ରହୁଥିବା ମୋ ଅଭିଜ୍ଞତାରୁ ଜାଣିଛି। ଏକାଧିକ ଭାବୁକ କ୍ରିକେଟର୍‌ ଡ୍ରେସିଂ ରୁମ୍‌ରେ ରହିଥା’ନ୍ତି। ସେହି ଭାବୁକମା‌ନେ ସବୁବେଳେ ଆମକୁ ଉପାଦେୟ ପରାମର୍ଶ ଦେଇଥାନ୍ତି। ଯାହାକି ଅନ୍ୟ ଦଳର ଡ୍ରେସିଂ ରୁମ୍‌ ବାତାବରଣଠୁ ଫରକ ଥାଏ। ମ୍ୟାଚ୍‌ ଜିତିବା ପାଇଁ ଦଳର ସଦସ୍ୟମାନେ ବୋଝକୁ ବାଣ୍ଟି ନେଇଥାନ୍ତି। ତେଣୁ ବାରମ୍ବାର ଏହା ଆମମାନଙ୍କ ମଧ୍ୟରେ ବିଶ୍ବାସ ଜାଗ୍ରତ କରିଥାଏ ବୋଲି କହିଛନ୍ତି ଡୁ’ପ୍ଲେସିସ୍‌। ବଙ୍ଗୱାଙ୍କ ସହ ବାର୍ତାଳାପ ବେଳେ ଡୁ’ ପ୍ଲେସିସ୍‌ ମଧ୍ୟ ସିଏସ୍‌କେ ଦଳକୁ ମା‌ଞ୍ଚେଷ୍ଟର ୟୁନାଇଟେଡ୍‌ ଫୁଟ୍‌ବଲ୍‌ ଦଳ ସହ ତୁଳନା କରିଛନ୍ତି। ସାର୍‌ ଆଲେକ୍ସ ଫର୍ଗୁସନ୍‌ଙ୍କ ନେତୃତ୍ବରେ ଏହି ଦଳ ଯେଭଳି ଏକ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଥିଲା ଠିକ୍‌ ସେହିଭଳି ଆଇପିଏଲ୍‌‌ରେ ସିଏସ୍‌କେ ଯେକୌଣସି ପରିସ୍ଥିତିରେ ମ୍ୟାଚ୍‌ ଜିତିବାରେ ସଫଳ ହୁଏ ବୋଲି ଡୁ’ ପ୍ଲେସିସ୍‌ କହିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ୩ ଥର ଆଇପିଏଲ୍‌ ବିଜେତା ହୋଇଛି। ଯାହାକି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍‌ସଠାରୁ ଗୋଟିଏ କମ୍। ଗତ ଋତୁରେ ଆଧିପତ୍ୟ ବିସ୍ତାର କରୁଥିବା ସିଏସ୍‌କେ ଫାଇନାଲ୍‌ ମୁକାବିଲାରେ ରୋହିତଙ୍କ ଦଳଠାରୁ ଗୋଟିଏ ରନ୍‌ରେ ହାରି ଟ୍ରଫି ବଜାୟ ରଖିବାରେ ବିଫଳ ହୋଇଥିଲା। ସବୁଠୁ ଅଧିକ ଥର ବିଜେତା ହେବାରୁ ଯଦିଓ ବଞ୍ଚିତ ରହିଛି ତଥାପି ଆଇପିଏଲ୍‌‌ ଇତିହାସରେ ସିଏସ୍‌କେ ପ୍ରତିବର୍ଷ ହିଁ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିବାରେ ଏକମାତ୍ର ଦଳ ହୋଇ ରହିଛି ବୋଲି କହିଛନ୍ତି ଡୁ’ପ୍ଲେସିସ୍‌।

ସମ୍ବନ୍ଧିତ ଖବର