ନିଜକୁ ଦାମୀ କାର୍ ଉପହାର ଦେଲେ ଧୋନି, ସାକ୍ଷୀ ଦେଖାଇଲେ ଝଲକ

ରାଞ୍ଚି: ଅବସର ନେବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜକୁ ଏକ ଦାମୀ ପୋଣ୍ଟିଆକ ଫାୟାରବାର୍ଡ ଟ୍ରାନ୍ସ ଏଏମ୍ କାର୍ ଉପହାର ଦେଇଛନ୍ତି। ଯାହାର ଝଲକ ପତ୍ନୀ ସାକ୍ଷୀ ଧୋନି ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଭିଡିଓ ପ୍ରକାଶ କରି ଦେଇଛନ୍ତି। ବାମପଟେ ଷ୍ଟିୟରିଂ ଥିବା ଏହି କାର୍‌ଟି ୧୯୭୧ରୁ ୧୯୭୩ ମସିହା ଭିତରେ ନିର୍ମିତ ହୋଇଥିଲା। ଭିଡିଓରେ କେବଳ କାର୍‌ର ଅଗ୍ରଭାଗ ଦେଖିବାକୁ ମିଳୁଛି। କେହି ଜଣେ ଏହାକୁ ଚଲାଇ ‌ଧୋନିଙ୍କ ରାଞ୍ଚି ଫାର୍ମ ହାଉସସ୍ଥିତ ଗ୍ୟାରେଜରେ ପୂର୍ବରୁ ରଖା ଯାଇଥିବା ରୋଲ୍ସ ରୟାଲ୍ସ ଓ ଜିପ୍ ଗ୍ରାଣ୍ଡ କେରୋକି ସମ୍ମୁଖରେ ରଖୁଥିବା ଦେଖିବାକୁ ମିଳୁଛି।

ଧୋନିଙ୍କ ପାଖରେ ପୂର୍ବରୁ ଅନେକ ଦାମୀ ବାଇକ୍ ଓ କାର୍ ଥିଲା ବେଳେ ପୋଣ୍ଟିଆକ୍ ଫାୟାରବାର୍ଡ ଏଥିରେ ସାମିଲ ହୋଇଛି। କାର୍‌ଟିରେ ଭି-୮ ବିଗ୍ ବ୍ଲକ୍ ଇଞ୍ଜିନ ଲାଗିଥିଲା ବେଳେ ଏହା ୩୨୫ ହର୍ସ ପାୱାର ବିଶିଷ୍ଟ। ଦୁଇଟି ଡୋର ଥିବା ଏହି କାର୍ ସ୍ବାଧୀନତା ଦିବସରେ ହିଁ ଧୋନିଙ୍କ ଘରେ ପହଞ୍ଚିଥିବା ଜଣା‌ପଡ଼ିଛି। ଧୋନି ସଂପ୍ରତି ଚେନ୍ନାଇରେ ସିଏସ୍‌କେର ପ୍ରଶିକ୍ଷଣ ଶିବିରରେ ଥିଲା ବେଳେ ନିଜେ ଏହାକୁ ଚଲାଇବାର ସୁଯୋଗ ଏ ପର୍ଯ୍ୟନ୍ତ ପାଇ ନାହାନ୍ତି। ଏହି କାର୍‌ ପାଇଁ ଧୋନି କେତେ ଟଙ୍କା ଖର୍ଚ କରିଥିବା ଜଣାପଡ଼ିନି। ତେବେ ଏହାର ମୂଲ୍ୟ ପାଖାପାଖି ୬୦ ଳକ୍ଷ ଟଙ୍କା ହୋଇଥିବା ଅନୁମାନ କରାଯାଉଛି। ଧୋନିଙ୍କ ପାଖରେ ମିତସୁବିସି ପାଜେରୋ ଏସଏଫ୍ଏକ୍ସ, ଟୟୋଟା କରୋଲା, ନିସାନ ୪ଡବ୍ଲ୍ୟୁ୭୩, ଅଡି କ୍ୟୁ ସେଭେନ, ମର୍ସିଡିଜ୍ ବେଞ୍ଜ ଜିଏଲଇ, ଲ୍ୟାଣ୍ଡ ରୋଭର ଓ ଫ୍ରି ଲାଣ୍ଡର-୨ ଭଳି ବହୁ କାର୍‌ ରହିଛି।

ସମ୍ବନ୍ଧିତ ଖବର