ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଦୀପକ ଚହର ପିଠି ଯନ୍ତ୍ରଣା ଯୋଗୁଁ ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳା ପରଠୁ ଆଉ କ୍ରିକେଟ୍କୁ ଫେରିନାହାନ୍ତି। କରୋନା ଯୋଗୁଁ ସବୁ କ୍ରିକେଟ୍ ବନ୍ଦ ଥିବାରୁ ଏହି ବାଧ୍ୟତାମୂଳକ ବିରତି ସମୟରେ ସେ ଏହି ଯନ୍ତ୍ରଣାରୁ ଉପଶମ ପାଇଗଲେଣି। ଲକ୍ଡାଉନ୍ ସମୟରେ ସେ ସର୍ବଦା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଯୋଗାଯୋଗରେ ରହିଥିଲେ। ଧୋନିଙ୍କ ପରାମର୍ଶ ତାଙ୍କୁ ଫିଟ୍ ରଖିବାରେ ସହଯୋଗ କରିଥିଲା। କିଂବଦନ୍ତି ଧୋନି ମୋ ସହ ରହିଥିବାରୁ ନିଜକୁ ଧନ୍ୟ ମନେକରୁଥିବା ଚହର ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।
ଏହି ସମୟରେ ମୁଁ ମାହି ଭାଇଙ୍କ ସହ ସବୁବେଳେ ଯୋଗାଯୋଗରେ ଥିଲି। ଦିନେ ସେ ମୋତେ ଫୋନ୍ କରିକି କହିଲେ, ‘ତୋ ଦେହରେ ଶକ୍ତିର ସ୍ତର ଆସିଲାଣି? ସବୁବେଳେ କ’ଣ ପାଇଁ ଆହତ ହୋଇଯାଉଛୁ?’ ତାଙ୍କ ଫୋନ୍ କଲ୍ ସତରେ ମୋତେ ପ୍ରେରଣା ଦେଇଥାଏ। ଯଦି ଜଣେ କିଂବଦନ୍ତି ତୁମକୁ ଫୋନ୍ କରି ପରାମର୍ଶ ଦେଉଛନ୍ତି ତା’ଠାରୁ ଭଲ ଅନୁଭବ କ’ଣ ହୋଇପାରେ। ମୁଁ ବହୁତ ଖୁସି ଯେ ମାହି ଭାଇଙ୍କ ଭଳି କିଂବଦନ୍ତି ମୋ ପକ୍ଷରେ ରହିଛନ୍ତି ବୋଲି ଚହର କହିଛନ୍ତି। ମାହି ଭାଇ ମୋତେ ଉପଯୁକ୍ତ ପରାମର୍ଶ ଦେଇଥିଲେ। ସେ ମୋତେ କିଛି ବ୍ୟାୟାମ କରିବାକୁ କହିଥିଲେ। ଯାହା ଦ୍ବରା ମୁଁ ଫିଟ୍ ରହିପାରିବି। ଉପଯୁକ୍ତ ବିଶ୍ରାମ ନେବାକୁ ବି ପରାମର୍ଶ ଦେଇଥିଲେ। ସବୁବେଳେ କହୁଥିଲେ, ‘ତୁମେ ଅନ୍ଫିଟ୍ ମୋଟେ ହୁଅନି’ ବୋଲି ୨୮ ବର୍ଷୀୟ ଚହର ପ୍ରକାଶ କରିଛନ୍ତି। ଧୋନିଙ୍କ ନେତୃତ୍ବରେ ମୁଁ ବହୁତ ମ୍ୟାଚ୍ ଖେଳିଛି। ମୁଁ ସିଏସ୍କେ ପକ୍ଷରୁ ୪ ବର୍ଷ ହେଲା ଖେଳୁଛି। ସିଏସ୍କେ ଏକ ପରିବାର ଭଳି ଏବଂ ମାହି ଭାଇ ଏହାକୁ ଠିକ୍ ଭାବରେ ଚଳାଉଛନ୍ତି। ମାହି ଭାଇ ଅଚାନକ ଅବସର ଘୋଷଣା କରିବା ସମସ୍ତଙ୍କ ଭଳି ମୋତେ ମଧ୍ୟ ଚକିତ କରିଛି। ତେବେ ତାଙ୍କ ନେତୃତ୍ବରେ ଚଳିତ ବର୍ଷ ଆଇପିଏଲ୍ରେ ଆମେ ପୂର୍ବାପେକ୍ଷା ଭଲ କରିବୁ ବୋଲି ଆଶା ରଖିଛୁ। ତାଙ୍କ ଅବସର ପରେ ଭାରତୀୟ କ୍ରିକେଟ୍ରେ ଏକ ଯୁଗର ଅବସାନ ହୋଇଛି।
ଭାରତୀୟ କ୍ରିକେଟ୍ ଏବେ ବନ୍ଦ ରହିଥିବାରୁ ଆଇପିଏଲ୍ ଉପରେ ନଜର ରଖିଛି। ଏହି ପ୍ରତିଯୋଗିତା ଆରମ୍ଭ ହେଉଥିବାରୁ ମୁଁ ଉତ୍ସାହିତ ଅଛି। ମାହି ଭାଇଙ୍କ ନେତୃତ୍ବରେ ଦଳ ଏଥର ଟ୍ରଫି ଜିତିବ ବୋଲି ମୋର ପୂରା ବିଶ୍ବାସ ଅଛି। ଗତ ଡିସେମ୍ବରରେ ମୁଁ ଆହତ ହୋଇଥିଲି। ଏହାପରଠୁ ଏପର୍ଯ୍ୟନ୍ତ କ୍ରିକେଟ୍ ଖେଳିନି। ଫେରିବା ଲାଗି ଆଇପିଏଲ୍ ଭଲ ପ୍ଲାଟଫର୍ମ ହେବ ବୋଲି ମୁଁ ଭାବୁଛି। ମୁଁ ଏବେ ଫିଟ୍ ଏବଂ ଖେଳିବାକୁ ପ୍ରସ୍ତୁତ ଅଛି। ଲକ୍ଡାଉନ୍ ମୋତେ ପ୍ରସ୍ତୁତ ହେବାକୁ ସହାୟତା କରିଛି। ଏହି ସମୟରେ ବିଶ୍ରାମ ଏବଂ ଆହତରୁ ମୁକୁଳି ପାରିଥିଲି। ମୋ ଘର ନିକଟରେ ଗୋଟିଏ ଏକାଡେମି ଥିବାରୁ ମୁଁ ଭାଗ୍ୟବାନ। କାରଣ ସବୁଦିନ ସେଠାକୁ ଯାଏ ଏବଂ ଅଭ୍ୟାସ କରିଥାଏ ବୋଲି ୩୫ ଆଇପିଏଲ୍ ମ୍ୟାଚ୍ରୁ ୩୩ ୱିକେଟ୍ ନେଇଥିବା ଚହର କହିଛନ୍ତି।
ଆଇପିଏଲ୍ ମୋତେ ବହୁତ କିଛି ଶିଖାଇଛି। ଚାପକୁ କିଭଳି ନିୟନ୍ତ୍ରଣ କରି ହେବ ଏହି ପ୍ରତିଯୋଗିତାରୁ ଶିଖିଛି। ଡଗ୍ଆଉଟ୍ରେ ବସି ନିଜ ସାଥୀ ଖେଳାଳି କିଭଳି ରନ୍ କରୁଛନ୍ତି ଏବଂ ୱିକେଟ୍ ନେଉଛନ୍ତି ତାହା ଦେଖିବାର ସୁଯୋଗ ମିଳିଥାଏ। ଏହିଭଳି ଏକାଧିକ ମ୍ୟାଚ୍ ଦେଖିଲେ ନିଶ୍ଚିତ ଅଭିଜ୍ଞତା ମିଳିବ। ଆଇପିଏଲ୍ ହେଉଛି ଏକ ମଜାଦାର ଏବଂ ଶିଖିବାର ଏକ ବଡ଼ ପ୍ଲାଟଫର୍ମ। ୱିକେଟ୍ ନେଲେ କି ଛକା ମାରିଲେ ପ୍ରଶଂସକମାନେ ସ୍ବାଗତ କରିଥା’ନ୍ତି। ଏଭଳି ଅନୁଭବ ହୋଇଥାଏ ଯେ ପରିପ୍ରକାଶ କରିହୁଏନି। କିନ୍ତୁ ଚଳିତ ସଂସ୍କରଣରେ ଦର୍ଶକଙ୍କୁ ପଡ଼ିଆରେ ଦେଖିବାକୁ ମିଳିବନି। ହେଲେ ସେମାନେ ଟିଭିରେ ଏହାର ମଜା ନେବାର ସୁଯୋଗ ପାଇବେ ବୋଲି ୧୯ ଅନ୍ତର୍ଜାତୀୟ ୱିକେଟ୍ ହାସଲ କରିଥିବା ଚହର କହିଛନ୍ତି। ହଳଦିଆ ଜର୍ସି ଏବଂ ମାହି ଭାଇଙ୍କ ନେତୃତ୍ବରେ ସବୁବେଳେ ଖେଳିବାକୁ ମୁଁ ଚାହେଁ। ସେ ହେଉଛନ୍ତି ଚମତ୍କାର ଅଧିନାୟକ। ମ୍ୟାଚ୍ ଖେଳିବା ପୂର୍ବରୁ ଏବଂ ପରେ ସେ ଆମକୁ ପରାମର୍ଶ ଦେଇଥା’ନ୍ତି। ଥରେ ମୁଁ ତାଙ୍କୁ ପଚାରିଲି, ‘ମାହି ଭାଇ, କ’ଣ କରିବି?’ ସେ ସଙ୍ଗେ ସଙ୍ଗେ କହିଥିଲେ, ‘ତାହା ତୁମର କାମ’। କିନ୍ତୁ ତାପରେ ସେ ମୋ ପାଖକୁ ଆସି ପରାମର୍ଶ ଦେଇଥିଲେ। ସେ ଏମିତି ଜଣେ ବ୍ୟକ୍ତି ସର୍ବଦା ଆତ୍ମବିଶ୍ବାସକୁ ହିଁ ବଢ଼ାଇ ଥାଆନ୍ତି। ତୁମର ଶକ୍ତି କେତେ ସେ ମନେ ପକାଇ ଦେଇଥା’ନ୍ତି ବୋଲି ଚହର କହିଛନ୍ତି।