ରାଞ୍ଚି: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଯାଇଛି। ଏପରିକି ବୁଧବାର ଟ୍ବିଟରରେ ଧୋନି ରିଟାୟାର୍ସ ହ୍ୟାସଟ୍ୟାଗ ଟ୍ରେଣ୍ଡିଂ କରିବା ଆରମ୍ଭ କରି ଦେଇଥିଲା। କେହି ଜଣେ ଧୋନି ଅବସର ନେଉଛନ୍ତି ବୋଲି ଲେଖିବା ପରେ ଏହି ଖବର ସାମାଜିକ ଗଣମାଧ୍ୟମରେ ନିଆଁ ଭଳି ବ୍ୟାପୀ ଯାଇଥିଲା। ଏହା କିନ୍ତୁ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କୁ ଅତ୍ୟନ୍ତ କ୍ଷୁବ୍ଧ କରିଥିଲା। ସାମାଜିକ ଗଣମାଧ୍ୟମରେ ବଢ଼ି ଚାଲିଥିବା ଚର୍ଚାକୁ ରୋକିବା ଲାଗି ସେ ମଧ୍ୟ ଟ୍ବିଟ୍ କରି ଏହାର ଜବାବ ଦେଇଥିଲେ। ‘‘ଏହା କେବଳ ଗୁଜବ, ମୁଁ ବୁଝି ପାରୁଛି ଲକଡାଉନ୍ ପାଇଁ କିଛି ଲୋକଙ୍କ ମତିଭ୍ରମ ହୋଇଛି’’ ବୋଲି ସାକ୍ଷୀ ନିଜ ଟ୍ବିଟର ପୃଷ୍ଠାରେ ଲେଖିଥିଲେ। ତାଙ୍କ ଟ୍ବିଟ୍ ମଧ୍ୟ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ବିବାଦ ବଢ଼ୁଥିବା ଦେଖି ସାକ୍ଷୀ ଅବଶ୍ୟ ଏହାକୁ ଡିଲିଟ୍ କରି ଦେଇଥିଲେ। ସାକ୍ଷୀଙ୍କ ଟ୍ବିଟ୍ ପରେ କିନ୍ତୁ ଧୋନିଙ୍କ ଅବସର ପରିବର୍ତ୍ତେ ଧୋନି କେବେ ବି ଅବସର ନେବେ ନି ବୋଲି ଲେଖା ବ୍ୟପୀବା ଆରମ୍ଭ ହୋଇ ଯାଇଥିଲା। ଧୋନିଙ୍କ ପ୍ରଶଂସକମାନେ ତାଙ୍କ ସମର୍ଥନରେ ବାହାରି ପଡ଼ିଥିଲେ।
‘‘ସାକ୍ଷୀ ଧୋନି ତାଙ୍କ ପତିଙ୍କ ଷ୍ଟାଇଲ୍ରେ ମ୍ୟାଚ୍ ଶେଷ କଲେ, ଅତି ଚମତ୍କାର ସଟ୍।’’ ବୋଲି କିଛି ପ୍ରଶଂସକ ଲେଖି ତାଙ୍କୁ ନିଜ ସମର୍ଥନ ଜଣାଇଥିଲେ। ‘‘ଦୁନିଆରେ ଅନେକ କ୍ରିକେଟର ଅଛନ୍ତି, ହେଲେ ଧୋନିଙ୍କ ସ୍ଥାନ କେହି ନେଇ ପାରିବେନି’’ ବୋଲି ଆଉ କିଛି ଲେଖିଥିଲେ। ତେବେ ଧୋନିଙ୍କ ସମୟ ସରି ଯାଇଛି ବୋଲି ବହୁ ପୂର୍ବତନ କ୍ରିକେଟର ପୂର୍ବରୁ ମତ ଦେଇ ସାରିଛନ୍ତି। ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ କିଛି ଦିନ ତଳେ କହିଥିଲେ ଯେ ମୋ ମତରେ ଧୋନି ସମ୍ଭବତଃ ତାଙ୍କ ଶେଷ ମ୍ୟାଚ୍ ଖେଳି ସାରିଛନ୍ତି। ୨୦୧୯ ମସିହାର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ୍ ସେମିଫାଇନାଲ ପରେ ଧୋନି ଆଉ କ୍ରିକେଟ୍ ଖେଳି ନଥିବାରୁ ଏହି ଆଶଙ୍କା ମଧ୍ୟ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ଚଳିତ ବର୍ଷର ଆଇପିଏଲ୍ରେ ସେ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ନେତୃତ୍ବ ନେବାର ଥିଲା। ଏଥିଲାଗି ଧୋନି ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଥିଲେ। ହେଲେ କରୋନା ମହାମାରୀ ପାଇଁ ଆଇପିଏଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହୋଇ ଯାଇଛି। ଏହି ଚର୍ଚିତ ଲିଗ୍ରେ ଭଲ କରି ଧୋନି ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିଲେ। ତେବେ ଏହି ଆଶା ମଧ୍ୟ ମଉଳି ଯାଇଛି। ତା’ ଛଡ଼ା ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳ ହେବା ନେଇ ମଧ୍ୟ ଆଶଙ୍କା ରହିଛି। ଏହି ସବୁ କାରଣ ଅନ୍ତର୍ଜାତୀୟ କ୍ରିକେଟ୍କୁ ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ଜଟିଳ କରି ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/5-Mahendra-Singh-Dhoni-with-his-wife-Sakshi..jpg)