ଧୋନିଙ୍କ ନୀତି ଦ୍ରୁତ ବୋଲରଙ୍କୁ ଅସ୍ଥିର କରୁଥିଲା: ଈଶାନ୍ତ

ନୂଆଦିଲ୍ଲୀ: ଧୋନିଙ୍କ ଅଦଳବଦଳ ନୀତି ଦ୍ରୁତ ବୋଲରଙ୍କୁ ସ୍ଥିର ପ୍ରଦର୍ଶନ ଦେବାରେ ସହାୟକ ହେଉନଥିଲା। ତାଙ୍କ ‌‌ନେତୃତ୍ବ ସମୟରେ ଧୋନି ୭/୮ ଜଣ ଦ୍ରୁତ ବୋଲରଙ୍କୁ ମନଇଛା ଅଦଳବଦଳ କରି ଦଳରେ ଖେଳାଉଥିଲେ। ଯାହାକି କାହାରିକୁ ବି ସ୍ଥିର ପ୍ରଦର୍ଶନ ଦେବାରେ ସହାୟକ ହେଉନଥିଲା। ହେଲେ ବିରାଟ କୋହଲି ୩/୪ ଜଣ ବୋଲରଙ୍କୁ ନିୟମିତ ଭାବେ ଖେଳାଉଥିବାରୁ ଭାରତର ଦ୍ରୁତ ବୋଲିଂ ବାହିନୀ ଏବେ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଭାବେ ଉଭା ହୋଇଛନ୍ତି। ଏକଥା କହିଛନ୍ତି ଦଳର ଦ୍ରୁତ ବୋଲର ଈଶାନ୍ତ ଶର୍ମା। ଗତ ଦୁଇ ବର୍ଷ ଧରି ଈଶାନ୍ତ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ଅନ୍ୟତମ ପ୍ରମୋଘ ଅସ୍ତ୍ର ଭାବେ ପରିଗଣିତ ହୋଇଛନ୍ତି। ଏହି ୩୧ ବର୍ଷ ବୟସ୍କ ୨୦୦୭ରେ ରାହୁଲ ଦ୍ରାବିଡ୍‌ଙ୍କ ନେତୃତ୍ବାଧୀନ ଦଳରେ ଟେଷ୍ଟ୍‌ ପଦାର୍ପଣ କରିବା ପରଠୁ ଅନିଲ କୁମ୍ବଲେ, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ନେତୃତ୍ବରେ ଖେଳିଛନ୍ତି। ହେଲେ ପୂର୍ବରୁ ପାରମ୍ପରିକ ଭାବେ ବିଶ୍ବସ୍ତରର ସ୍ପିନର ସୃଷ୍ଟି କରି ପ୍ରସିଦ୍ଧି ଲାଭ କରିଥିବା ଭାରତ କିନ୍ତୁ ଏବେ ଦ୍ରୁତ ବୋଲିଂ ଆକ୍ରମଣ ପାଇଁ ବିଶ୍ବ କ୍ରିକେଟ୍‌ରେ ପତିଆରା ସୃଷ୍ଟି କରିପାରିଛି। ଏହା କେବଳ କୋହଲି ନେତୃତ୍ବ ନେବା ପରେ ସମ୍ଭବ ହୋଇପାରିଛି ବୋଲି ଈଶାନ୍ତ କହିଛନ୍ତି। ଧୋନିଙ୍କ ସମୟରେ ଆମେ କେହି ସ୍ଥିର ଭାବେ ଦଳରେ ରହିପାରୁନଥିଲୁ। ଯାହାଫଳରେ ଅଭିଜ୍ଞତା ସାଉଁଟିବାରେ ସମୟ ପାଉନଥିଲୁ। ଡ୍ରେସିଂ ରୁମ୍‌ରେ ଅଧିକ ସମୟ ବିତାଇବା ଏବଂ ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବାର ସୁଯୋଗ ଦେଉନଥିଲେ ଧୋନି। ଯାହାକି ତାଙ୍କ ଅହେତୁକ ଅଦଳବଦଳ ନୀତି ହିଁ ଦ୍ରୁତ ବୋଲରଙ୍କୁ ସ୍ଥିର ପ୍ରଦର୍ଶନ ଦେବାରେ ସହାୟକ ହେଉନଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର