ଧୋନିଙ୍କ ମନ୍ଥର ବ୍ୟାଟିଂ ଗାଙ୍ଗୁଲି, ଲକ୍ଷ୍ମଣଙ୍କ ଭିନ୍ନମତ

ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍‌ର ଗତ ଦୁଇ ମ୍ୟାଚ୍‌ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମନ୍ଥର ବ୍ୟାଟିଂ କରିବାକୁ ନେଇ ବିତର୍କ ଉଠିଛି। ଭାରତ ଉଭୟ ମ୍ୟାଚ୍‌ ଜିତିଥିଲେ ମଧ୍ୟ ଧୋନିଙ୍କ ବ୍ୟାଟିଂକୁ ନେଇ ବିଶେଷ ଆଲୋଚନା ହୋଇଛି। ଦୁଇ ପୂର୍ବତନ ଖେଳାଳି ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍ ଲକ୍ଷ୍ମଣ କିନ୍ତୁ ଭିନ୍ନ ମତ‌ ପୋଷଣ କରିଛନ୍ତି। ମଧ୍ୟକ୍ରମ ବ୍ୟାଟିଂରେ ଧୋନିଙ୍କ ଆଭିମୁଖ୍ୟକୁ ପୂର୍ବରୁ ସଚିନ ତେନ୍ଦୁଲକର ସମାଲୋଚନା କରିଥିଲେ। ଲକ୍ଷ୍ମଣ ମଧ୍ୟ ଏହି ମର୍ମରେ ମତ ରଖିଛନ୍ତି। ଗାଙ୍ଗୁଲି କିନ୍ତୁ ଧୋନିଙ୍କ ପ୍ରତି ତାଙ୍କ ସମର୍ଥନକୁ ଜାରି ରଖିଛନ୍ତି। ଧୋନି କିଭଳି ଖେଳିବା ଉଚିତ୍ ତାଙ୍କୁ ଜଣା ବୋଲି ଗାଙ୍ଗୁଲି କହିଛନ୍ତି। ମଧ୍ୟକ୍ରମରେ ଧୋନି ଷ୍ଟ୍ରାଇକ୍ ରୋଟେଟ୍ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସିମରଙ୍କ ବିପକ୍ଷରେ ଭଲ ଖେଳୁଥିବା ବେଳେ ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରୁଛନ୍ତି। ତାଙ୍କ ଭଳି ଜଣେ ଅଭିଜ୍ଞ ଖେଳାଳିଙ୍କଠାରୁ ଦଳ ଅଧିକ ଆଶା କରୁଛି। ଦ୍ରୁତ ରନ୍ ସଂଗ୍ରହ କରିବାର ଦକ୍ଷତା ତାଙ୍କ ନିକଟରେ ରହିଛି’ ବୋଲି ଲକ୍ଷ୍ମଣ କହିଛନ୍ତି। ଗୁରୁବାର ଇଣ୍ଡିଜ୍ ବିପକ୍ଷରେ ଧୋନି ଶେଷ ଓଭରରେ ୨ ଛକା ମାରିଥିଲେ ମଧ୍ୟ ୬୧ ବଲ୍‌ରୁ ୫୬* ରନ୍ କରିଥିଲେ। ଧୋନିଙ୍କ ପ୍ରଥମ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି, ‘ଧୋନି ଯେଭଳି ଖେଳୁଛନ୍ତି, ଆମକୁ ଗ୍ରହଣ କରିବାକୁ ହେବ’। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଧୋନି ମନ୍ଥର ଖେଳିଥିଲେ। କିନ୍ତୁ ଏହି ୩୭ ବର୍ଷୀୟ ପୂର୍ବତନ ଅଧିନାୟକଙ୍କୁ ଅଧିନାୟକ ବିରାଟ କୋହଲି ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ମଧ୍ୟକ୍ରମରେ ତାଙ୍କ ହିସାବୀ ବ୍ୟାଟିଂକୁ କୋହଲି ପ୍ରଶଂସା ବି କରିଛନ୍ତି। ୩୪୬ ମ୍ୟାଚ୍‌ ଖେଳି ସାରିଥିବା ଧୋନି ଭଲ ଭାବରେ ଜାଣିଛନ୍ତି କେଉଁ ପିଚ୍‌ରେ କେତେ ସ୍କୋର୍ ହେଲେ ଭଲ ବୋଲି କୋହଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର