ଦୁବାଇ: ଚେନ୍ନାଇ ସୁପର୍ କିଙ୍ଗ୍ସର ତାଲିମ ଶିବିରରେ ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଅଭ୍ୟାସକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ୍। ଧୋନିଙ୍କ ପ୍ରଶିକ୍ଷଣ ଢାଞ୍ଚାକୁ ଯେଉଁମାନେ ଆଗରୁ ଜାଣିଛନ୍ତି ସେମାନେ ଏହାକୁ ଦେଖିପାରିବେ। ନେଟ୍ସରେ ଧୋନି କେବେ ବି ୱିକେଟ୍ରକ୍ଷଣ ଅଭ୍ୟାସ କରିନଥା’ନ୍ତି। କିନ୍ତୁ ସିଏସ୍ବିଟରରେ ଛାଡ଼ିଥିବା ଟ୍ରେନିଂ ଡ୍ରିଲ୍ର ଭିଡିଓରେ ଧୋନି ୱିକେଟ୍ ପଛପଟେ ଗ୍ଲୋଭ୍ସ ଧରିଥିବାର ଦେଖିବାକୁ ମିଳିଥିଲା। ମୁଁ ତାଙ୍କ ସହ ଅନେକ ବର୍ଷ ଖେଳିଛି, ଏଭଳି କେବେ ଦେଖିନଥିଲି ବୋଲି ଇର୍ଫାନ୍ ପ୍ରକାଶ କରିଛନ୍ତି। ପ୍ରାୟ ବର୍ଷକ ପରେ କ୍ରିକେଟ୍ ପଡିଆକୁ ଫେରିଥିବାରୁ କିମ୍ବା କିଛି ଲେଗ୍ ସ୍ପିନର ବୋଲିଂ କରୁଥିବାରୁ ସେମାନଙ୍କୁ ପରଖିବାକୁ ଧୋନି ଏଭଳି କରିଥାଇପାରନ୍ତି ବୋଲି ପଠାନ୍ ପ୍ରକାଶ କରିଛନ୍ତି। ସୁରେଶ ରାଇନା ଏବଂ ହରଭଜନ ସିଂହଙ୍କ ଅନୁପସ୍ଥିତିରେ ଧୋନିଙ୍କୁ ଅଧିକ ଦାୟିତ୍ବ ନେବାକୁ ପଡ଼ିବ ବୋଲି ମଧ୍ୟ ସେ କହିଥିଲେ। ସେପ୍ଟେମ୍ବର ୧୯ ତାରିଖରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଉଦ୍ଘାଟନୀ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳି ଆଇପିଏଲ୍ ଅଭିଯାନ ଆରମ୍ଭ କରିବ।
ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସର ଅଭ୍ୟାସ ଶିବିରରେ ମଧ୍ୟ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ୬ ଜଣ ଅଲଗା ଅଲଗା ପୂର୍ବତନ ଏବଂ ବର୍ତମାନର କ୍ରିକେଟରଙ୍କ ବୋଲିଂ ଢଙ୍ଗକୁ ନକଲ କରିବାର ପ୍ରୟାସ କରିଥିଲେ ବୁମ୍ରା। ବୁମ୍ରାଙ୍କ ଏହି ଅଭିନବ ପ୍ରୟାସକୁ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଫିସିଆଲ୍ ଟ୍ବିଟର୍ ହ୍ୟାଣ୍ଡଲରେ ଅପଲୋଡ୍ କରି ପ୍ରଶଂସକଙ୍କୁ ବି ଚକିତ କରିଛି। ଏହି ୬ ଭିନ୍ନ ଭିନ୍ନ ଆକ୍ସନର ବୋଲର ହେଲେ ମୁନାଫ ପଟେଲ୍, ଗ୍ଲେନ୍ ମ୍ୟାକଗ୍ରା, ମିଚେଲ୍ ଷ୍ଟାର୍କ, କେଦାର ଯାଦବ, ଶ୍ରେୟସ ଗୋପାଳ ଏବଂ ଅନିଲ କୁମ୍ବଲେ। ବୁମ୍ରା ପ୍ରଥମ ଥର ପାଇଁ ଏଭଳି ଅଭିନବ ପ୍ରୟାସ କରିନାହାନ୍ତି। ୨୦୧୭ରେ ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁ ଦିନିକିଆ ପୂର୍ବରୁ ନିଜକୁ ବାମହାତୀ ସ୍ପିନର୍ ଓ ସିମର୍ ଭାବେ ପରଖିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ୍ ବଜାୟ ରଖିବାକୁ ହେଲେ ବୁମ୍ରାଙ୍କ ଉପରେ ବୋଲିଂ ବିଭାଗ ଦାୟିତ୍ବ ରହିବ।