ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ଆଇଓଏର ପୁରସ୍କାର: ଦୂତି ପାଇଲେ ୬ ଲକ୍ଷ

ଚେକ୍‌ରେ ନାଁ ଭୁଲ୍‌କୁ ନେଇ ସମାଲୋଚିତ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ନିଜ ଇତିହାସରେ ପ୍ରଥମ ଥର ଲାଗି ଆଥ୍‌ଲେଟ୍‌ମାନଙ୍କୁ ଅର୍ଥ ପୁରସ୍କାର ଦେଇଛି। ଅବଶ୍ୟ ଏହି ପୁରସ୍କାର କେବଳ ନିକଟରେ ଶେଷ ହୋଇଥିବା ଜାକର୍ତା-ପାଲେମ୍‌ବାଙ୍ଗ୍‌ ଏସୀୟ କ୍ରୀଡ଼ାର ପଦକ ବିଜେତାଙ୍କୁ ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ପାଇଁ ୩ ଏବଂ କାଂସ୍ୟ ପାଇଁ ୨ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଥିଲା ବେଳେ ଦଳଗତ ବର୍ଗରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପାଇଁ ଯଥାକ୍ରମେ ୩, ୨ ଓ ୧ ଲକ୍ଷ ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଆ ଧାବିକା ଦୁତି ଚାନ୍ଦ ୬ ଲକ୍ଷ ଟଙ୍କାର ପୁରସ୍କାର ଚେକ୍‌ ଗ୍ରହଣ କରିଛନ୍ତି। ଦୂତି ଗତ ଏସୀୟ କ୍ରୀଡ଼ାରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ପାଇଥିଲେ। ଏହା ପୂର୍ବରୁ ଆଇଓଏ କେବେ ବି କୌଣସି ବହୁଦଳୀୟ ପ୍ରତିଯୋଗିତାର ପଦକ ବିଜେତାଙ୍କୁ ସମ୍ବର୍ଧିତ କରିନଥିଲା। ହେଲେ ଗତ ଏସୀୟ କ୍ରୀଡ଼ାରେ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଆଥ୍‌ଲେଟ୍‌ମାନଙ୍କୁ ପୁରସ୍କୃତ ସହ ସମ୍ବର୍ଧିତ ବେଳେ କିଛି ଆଥ୍‌ଲେଟ୍‌ଙ୍କ ନାଁ ଚେକ୍‌ରେ ଭୁଲ୍‌ଭାଲ୍‌ ରହିଥିବା ଦେଖାଯାଇଥିଲା। ଅଧିକାଂଶଙ୍କ ନାଁ ଭୁଲ୍‌ ଉଲ୍ଲେଖ ହୋଇଥିଲା ବେଳେ ଜଣଙ୍କ ନାମ ଆଦୌ ନଥିଲା। ଫଳରେ ତୀରନ୍ଦାଜ ଜ୍ୟୋତି ସୁରେଖା ଭେନମ୍‌ ଓ ଅଭିଷେକ ବର୍ମାଙ୍କ ସହିତ ୧୫ ପଦକ ବିଜେତା କେବଳ ଫୁଲତୋଡ଼ା ଧରି ଫେରିଥିଲେ। ଏମାନଙ୍କ ନାମ ଚେକ୍‌ରେ ଭୁଲ୍‌ ଭାବେ ଛପା ଯାଇଥିଲା ବେଳେ ମହିଳା କୁସ୍ତି ଯୋଦ୍ଧା ଦିବ୍ୟା କାକ୍ରନ୍‌ଙ୍କ ନାମରେ ଆୟୋଜକମାନେ ଚେକ୍‌ ଲେଖିବାକୁ ସଂପୂର୍ଣ୍ଣ ଭୁଲିଯାଇଥିଲେ। ଏପରିକି ଉତ୍ସବରେ କାକ୍ରନ୍‌ଙ୍କ ନାମ ଘୋଷଣା ନହେବାରୁ ତାଙ୍କ ମା ଆଇଓଏ ସଭାପତି ନରିନ୍ଦର ଧ୍ରୁବ ବାତ୍ରାଙ୍କ ନିକଟରେ ଅଭିଯୋଗ କରିଥିଲେ। ସଙ୍ଗେ ସଙ୍ଗେ ବାତ୍ରା କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋରଙ୍କୁ ଡାକି ପଚାରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ତାଲିକାରେ କାକ୍ରନ୍‌ଙ୍କ ନାମ ନଥିବା କହିଥିଲା ବେଳେ ଆମେ ତାଙ୍କ ନାମ ପଠାଇଥିଲୁ ବୋଲି ଆଇଓଏ ପକ୍ଷରୁ କୁହାଯାଇଥିଲା। ଏଭଳି ଅଶୋଭନୀୟ ଘଟଣାକୁ ନେଇ ଆଇଓଏ ସମାଲୋଚିତ ହୋଇଥିଲା। ଅବଶ୍ୟ ଏଭଳି ତ୍ରୁଟି ପାଇଁ ଆଇଓଏ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଆଗୁଆ କ୍ଷମା ମାଗି ନେଇଥିଲେ। ଆମେ ସଠିକ୍‌ ନାମ ଥିବା ଚେକ୍‌ ପରେ ପଠାଇଦେବୁ ଏବଂ ସେଥିପାଇଁ କିଛି ବ୍ୟସ୍ତ ହେବାର ନାହିଁ ବୋଲି ବାତ୍ରା କହିଥିଲେ।

ସମ୍ବନ୍ଧିତ ଖବର