ଧୂଲ୍‌‌ଙ୍କ କ୍ରିକେଟ୍‌ ଯାତ୍ରା: ବିରାଟଙ୍କ ଭଳି ବ୍ୟାଟିଂ, ଧୋନିଙ୍କ ଭଳି ନେତୃତ୍ବ

୧୯+ ବର୍ଷ ଖେଳାଳିଙ୍କୁ ଧରି ରଖିବ ଏନ୍‌ସିଏ

ନୂଆଦିଲ୍ଲୀ: ‘ମୁଝେ ବିରାଟ ଭାୟା ଜୈସା କ୍ରିକେଟର୍‌ ବନ୍‌ନା ହୈ ( ମୋତେ ବିରାଟ ଭାଇଙ୍କ ଭଳି କ୍ରିକେଟର୍‌ ହେବାର ଅଛି) ବୋଲି ଦିନେ କହିଥିଲେ ୟାଶ ଧୂଲ୍‌। ଏବେ ୟାଶ ଧୂଲ ‌ତାଙ୍କ ପାଖାପାଖି ପହଞ୍ଚିବାକୁ କିଛି ପାଦ ଆଗକୁ ବଢ଼ାଇ ସାରିଛନ୍ତି। ଏପରିକି କୋହଲିଙ୍କ ସହ ଗୋଟିଏ କୀର୍ତ୍ତିମାନରେ ସମକକ୍ଷ ହୋଇ ଗୌରବ ବଢ଼ାଇଛନ୍ତି। ଶନିବାର ରାତିରେ ଭାରତକୁ କନିଷ୍ଠ ବିଶ୍ବକପ୍ (୧୯ ବର୍ଷରୁ କମ୍‌) ବିଜେତା କରିବା ପରେ ଅଧିନାୟକ ୟାଶ ଧୂଲ୍‌‌ଙ୍କ ସ୍କୁଲ ବେଳର ଟୁର୍ଣ୍ଣାମେଣ୍ଟ ବାକ୍ୟକୁ ମନେ ପକାଇ କହିଛନ୍ତି ତାଙ୍କ ପ୍ରଶିକ୍ଷକ ରାଜେଶ ନାଗର। ଶନିବାର ରାତିରେ ଆଣ୍ଟିଗୁଆର ସାର୍‌ ଭିଭିଆନ୍‌ ରିଚାର୍ଡସ ଷ୍ଟାଡିୟମ୍‌ରେ ଭାରତ ୪ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରି ପଞ୍ଚମ ଥର ବିଜେତା ହୋଇଥିଲା। ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଚମତ୍କାର ଶତକ (୧୧୦) ହାସଲ କରିବା ପରେ ଧୂଲ ମଧ୍ୟ ବିରାଟ କୋହଲିଙ୍କ କ୍ଲବ୍‌ରେ ସାମିଲ ହୋଇଥିଲେ। ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଅଧିନାୟକ ଭାବେ ଧୂଲଙ୍କ ପୂର୍ବରୁ ବିରାଟ କୋହଲି (୧୦୦ ବନାମ ୱେଷ୍ଟଇଣ୍ଡିଜ୍, ୨୦୦୮, ଗ୍ରୁପ୍‌ ପର୍ଯ୍ୟାୟ) ଏବଂ ଉନ୍ମୁକ୍ତ ଚାନ୍ଦ (୧୧୧* ବନାମ ଅଷ୍ଟ୍ରେଲିଆ, ୨୦୧୨, ଫାଇନାଲ୍‌) କେବଳ ଶତକ ହାସଲ କରିଥିଲେ। ଏବେ କପ୍‌ ଧରି ଧୂଲ ସ୍ବଦେଶ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପ୍ରଶିକ୍ଷକ ରାଜେଶ ନାଗର। ‘ୟାଶ୍‌ ଭାରତ ପାଇଁ ବିଶ୍ବକପ୍‌ ଜିତିବେ‌ ବୋଲି ମୋର ଦୃଢ଼ ବିଶ୍ବାସ ଥିଲା। ମୁଁ ତାଙ୍କ ପାଇଁ ବହୁତ ଗର୍ବିତ। ମୁଁ ଏବେ ଗର୍ବିତ ପ୍ରଶିକ୍ଷକ। ସେ ଉଦାହରଣ ସହ ଦଳର ନେତୃତ୍ବ ନେଲେ ଏବଂ ଅନ୍ୟମାନେ ସମ୍ପୂର୍ଣ୍ଣ ଭାବେ ପ୍ରଦର୍ଶନ ଦେଲେ। ଏହି ଦଳ ଚମତ୍କାର ପ୍ରଦର୍ଶନ କଲା, ସମ୍ପୂର୍ଣ୍ଣ ବିଶ୍ବକପ୍‌ରେ ଭାରତ ପ୍ରଧାନ୍ୟ ବିସ୍ତାର କରି ଖେଳିଲା। ପ୍ରତିଯୋଗିତାରେ ବି ଭାରତ ସବୁଠୁ ଶକ୍ତିଶାଳୀ ଦଳ ଥିଲା’ ବୋଲି ନାଗର ପ୍ରକାଶ କରିଥିଲେ।

ଭାରତର ରନ୍‌ ମେସିନ୍‌ ବିରାଟ କୋହଲିଙ୍କୁ ଆଦର୍ଶ କରି ୟାଶ୍‌ ‌କ୍ରିକେଟ୍ ଖେଳିବାକୁ ଆସିଥିଲେ। ବିରାଟ କୋହଲିଙ୍କ ୧୯ ବର୍ଷରୁ କମ୍‌ ବେଳର କ୍ରିକେଟ୍‌କୁ ମଧ୍ୟ ମୁଁ ଦେଖିଥିଲି। କିଂବଦନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଛାୟାରେ ସେ ମଧ୍ୟ ତାଙ୍କୁ ଅନୁସରଣ କରିଥିଲେ। ଆପଣ ଯଦି ୟାଶ୍‌ଙ୍କ ବ୍ୟାଟିଂ ଦେଖିବେ ତେବେ ବିରାଟଙ୍କ ଝଲକ ପାଇବେ। ବ୍ୟାଟିଂ ବେଳେ ସେ ଭାରି ଅକ୍ରମଣତ୍ମକ ଏବଂ ବଲ୍‌କୁ‌‌ ଜୋରଦାର ପ୍ରହାର କରନ୍ତି। ତାଙ୍କ ନିକଟରେ ସେଭଳି କ୍ଷମତା ରହିଛି। ‌‌କ୍ଷେତ୍ରରକ୍ଷଣ ବେଳେ ମଧ୍ୟ ତୁମେ ୟାଶ୍‌ଙ୍କ ଢଙ୍ଗରେ ବିରାଟ କୋହଲିଙ୍କ ଆପଣ ପାଇବେ। କ୍ଷେତ୍ରରକ୍ଷଣ ବେଳେ ସେ ଅଦୌ ସୁଯୋଗ ଛାଡ଼ିବାକୁ ଚାହାଁନ୍ତି ନାହିଁ। ସେ ସବୁବେଳେ କୁହନ୍ତି ବିରାଟ ଭାଇଙ୍କ ଭଳି କ୍ରିକେଟର୍ ହେବାକୁ ଚାହେଁ। କିନ୍ତୁ ଅଧିନାୟକ ଭାବେ ସେ ମହେନ୍ଦ୍ର ସିଂହ‌ ଧୋନିଙ୍କ ଭଳି ଶାନ୍ତ ଓ ନିୟନ୍ତ୍ରିତ ଚରିତ୍ରର। ସେ ମଧ୍ୟ ଦଳୀୟ ସାଥିଙ୍କୁ ସମର୍ଥନ କରି ଆସନ୍ତି। ନିଷ୍ପତ୍ତି ନେବା ବେଳେ ଶାନ୍ତ ରହନ୍ତି।‌‌ ତେଣୁ ସେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ସମନ୍ବୟ। ବିରାଟଙ୍କ ଭଳି ବ୍ୟାଟିଂ ଏବଂ ମାହିଙ୍କ ଭଳି ଅଧିନାୟକତ୍ବ କରନ୍ତି’ ବୋଲି ନାଗର ପ୍ରକାଶ କରିଛନ୍ତି।

ଏକଦା ‌ଡେରାଡୁନ୍‌ରେଏକ ଅନ୍ତଃସ୍କୁଲ୍‌ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌‌ ଖେଳୁଥିଲୁ। ଆହତ କାରଣରୁ ଅଧିନାୟକଙ୍କ ବାହାରେ ବସିବାକୁ ପଡ଼ିଲା। ୟାଶ୍‌ ତାଙ୍କଠାରୁ ସାନ ଥିଲେ। ମୁଁ ତାଙ୍କ ପାଖକୁ ଯାଇ ନେତୃତ୍ବ ନେବାକୁ କହିଲି। କାରଣ ମୁଁ ଜାଣିଥିଲି ସେ ଜଣେ ଭଲ ନେତା ଥିଲା। ଜଣେ ଭଲ ନେତା ଭଲ ଅଧିନାୟକ‌ ହୋଇପାରେ। ଜଣେ ଭଲ ଅଧିନାୟକ ଭଲ ନେତା ହୋଇନପାରେ। ସେଥର ୟାଶ୍‌ ପରିପକ୍ବତାର ସହ ନେତୃତ୍ବ ନେଇଥିଲେ। ପ୍ରତିପକ୍ଷ ଦଳ ପାତିଆଲାର ଥିଲା ଏବଂ ପ୍ରଭସିମ୍ରନ ସିଂହଙ୍କ ଭଳି ଖେଳାଳି ସେହି ଦଳରେ ଥିଲେ। ୟାଶ୍‌ ଜଣେ ଅଫସ୍ପିନରଙ୍କୁ ବୋଲିଂ ଦେ‌ବା ସହ ନିର୍ଦ୍ଧିଷ୍ଟ ସ୍ଥାନରେ ବୋଲିଂ କରିବାକୁ ପରାମର୍ଶ ଦେଇଥିଲେ। ସେ ଅଫସ୍ପିନର ଜଣଙ୍କ ୭ ୱିକେଟ୍ ଦଖଲ କରିଥିଲେ। ୟାଶ୍‌ଙ୍କ ନି‌ଷ୍ପତ୍ତି ସେତେବେଳେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା, କାରଣ ପୂର୍ବ ମ୍ୟାଚ୍‌ରେ ସେ ଭଲ କରିନଥିଲେ। ମ୍ୟାଚ୍‌ ପୂର୍ବରୁ ମଧ୍ୟ ମୁଁ ସେହି ଅଫସ୍ପିନର୍‌କୁ ଖେଳାଇବା ସପକ୍ଷରେ ନ ଥିଲି। କିନ୍ତୁ ସେହି ଖେଳାଳି ଆମକୁ ମ୍ୟାଚ୍‌ ଜିତାଇଥିଲେ। ଜଣେ ‌ଖେଳାଳି ଭଲ କରୁନଥିବା ବେଳେ ସୁଯୋଗରୁ ବଞ୍ଚିତ‌ ହେଲେ ୟାଶ୍‌ ତାଙ୍କ ପାଇଁ ପ୍ରଶିକ୍ଷକଙ୍କ ସହ ଲଢ଼ୁଥିଲେ। ସେ ସବୁବେଳେ ଫଳାଫଳ ଚାହୁଥିଲେ।

ୟାଶଙ୍କ ଆରମ୍ଭ
ଦେଶର ପଞ୍ଚମ ଅଧିନାୟକ ଭାବେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଜିତିବା ପୂର୍ବରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ‌ସେମିଫାଇନାଲ୍‌ରେ ୧୧୦ ରନ୍‌ ପାଳି ଖେଳି ଚର୍ଚ୍ଚାକୁ ଆସିଥିଲେ। ଭାରତ ପାଇଁ ଏହି ମ୍ୟାଚ୍‌ ସବୁଠୁ କଷ୍ଟକର ଥିଲା। ଦଳ ଏକଦା ୩୭ ରନ୍‌ରେ ୨ ୱିକେଟ୍ ହରାଇ ଦେଇଥିଲା। ଧୂଲ ଓ ସେକ୍‌ ରସିଦ୍‌ ମ୍ୟାଚ୍‌ ବିଜୟୀ ୨୦୪ ରନ୍‌ ଭାଗୀଦାରି କରିଥିଲେ। ସ୍କୋର ବୋର୍ଡ ଚାପ ହେଉ କି ଅନ୍ୟ ଯେଉଁ ପରିସ୍ଥିତି ଧୂଲ୍‌ କେବେବି ବିଚଳିତ ହୁଅନ୍ତି ନାହିଁ। ତାଙ୍କୁ ପିଲାଦିନରୁ ଜାଣିଥିବା ପରିବାର ଓ ପ୍ରଶିକ୍ଷକ ଏହା ଭଲ ଭାବେ ଜାଣିଛନ୍ତି। ମାତ୍ର ୯ ବର୍ଷ ବୟସରେ ୟାଶ୍‌ଙ୍କୁ ତାଙ୍କ ଜେଜେବାପା ଦିଲ୍ଲୀର ଦ୍ବାରକାସ୍ଥିତ ବାଲ୍ ଭବନ ସ୍କୁଲ୍‌ କ୍ରିକେଟ୍ ଏକାଡେମିକୁ ଆଣିଥିଲେ। ନାଗର ବଲ୍‌ ଥ୍ରୋୟର ସହାୟତାରେ କିଛି ବଲ୍‌ ଫିଙ୍ଗାଇଥିଲେ। ୟାଶ କିନ୍ତୁ ଭଲ ଟେକନିକ୍‌ରେ ଅତି ସହଜରେଂ‌ ଖେଳିଦେଇଥିଲେ।

ଜଣେ ୯ ବର୍ଷ ବାଳକର ଟେକନିକ୍‌ ଦେଖି ନାଗର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ନାଗର ପ୍ରଦାନ କରିଥିବା ଆଉ ଏକ ଆହ୍ବାନକୁ ମଧ୍ୟ ୟାଶ୍‌ ଗ୍ରହଣ କରି ନେଇଥିଲେ। ନାଗର କହିଛନ୍ତି ‘ୟାଶ୍‌ଙ୍କ ଜେଜେବାପା ବାୟୁସେନାରେ ଥିଲେ ଏବଂ ତାଙ୍କୁ ମୋ ଏକାଡେମିକୁ ଆଣିଥିଲେ। କିଛି ପିଲାଙ୍କୁ ବୋଲିଂ କରିବାକୁ ଦେଇଥିଲି। କହିଥିଲି ରନ୍‌ କଲେ ତୁମ ନାମ‌ଲେଖା ହେବ। ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର ପ୍ରମାଣ ଦେଇଥିଲେ। ନିଜର ପ୍ରଥମ ପ୍ରତିଯୋଗିତାରେ ହିଁ ଶତକ ଜମାଇ ଦେଇଥିଲେ। ଏହା ପରେ ମୁଁ ତାଙ୍କ ନାମ ଲେଖାଇଥିଲି। ୟାଶ୍‌ ଯେତିକି ପ୍ରତିଭାସମ୍ପନ୍ନ, ଶୃଙ୍ଖଳିତ ସେତିକି ଉତ୍ସର୍ଗୀକୃତ। ଜେଜେବାପାଙ୍କା ସୂତ୍ରରୁ ସେ ପ୍ରତିଭା ପାଇଥିଲେ। ଖେଳ ପ୍ରତି ମଧ୍ୟ ୟାଶ ଭାରି ନିଷ୍ଠାବାନ’ ବୋଲି ନାଗର ଶେଷରେ ପ୍ରକାଶ କରିଥିଲେ।

୧୯ + ବର୍ଷ ଖେଳାଳିଙ୍କୁ ଧରି ରଖିବ ଏନ୍‌ସିଏ

ନୂଆଦିଲ୍ଲୀ: କିଛି ଋତୁ ତଳେ କମଲ ପାସି ପଞ୍ଜାପ ପାଇଁ ଖେଳିଥିଲେ। ୧୦ ବର୍ଷ ତଳେ ଭାରତ ପାଇଁ ଗୌରବ ଆଣିଥିବା ରବିକାନ୍ତ ସିଂହ ଏବେ ପ୍ରାୟ ବ୍ୟବସ୍ଥା ବାହାରେ। ସେହିଭଳି ଆଉ ଜଣେ ହେଲେ ମନଜୋତ କାଲରା, ଯାହାଙ୍କ ଖେଳ ଜୀବନ ଆଗକୁ ବଢ଼ି ପାରିନାହିଁ। ଏମା‌ନେ ସଭିଏଁ ଦିନେ ଭାରତ ପାଇଁ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଜିତିଥିଲେ। କାରଣ ୧୯ ବର୍ଷ ପୂର୍ଣ୍ଣ ହୋଇଯିବା ପରେ ଏମାନେ କନିଷ୍ଠ ବର୍ଗକୁ ଅତିକ୍ରମ କରିବା ସହ ବରିଷ୍ଠ ବର୍ଗକୁ ପ୍ରବେଶ କରିପାରିନଥିଲେ। ଏହା ଏବେ ବିସିସିଆଇ ପାଇଁ ଚିନ୍ତାର କାରଣ ହୋଇଛି। ଏମାନଙ୍କୁ ବ୍ୟବସ୍ଥା ଭିତରେ ଧରି ରଖିବା ଲାଗି ବୋର୍ଡ ଏବେ ଚିନ୍ତା କରୁଛି। ସଦ୍ୟ ୧୯ ବର୍ଷ ଅତିକ୍ରମ କରିଥିବା (୧୯+) ‌ଖେଳାଳିମାନଙ୍କୁ ଠିକଣା ପଥରେ ରଖିବା ଏବଂ ପରିଚାଳିତ କରିବାକୁ ବିସିସିଆଇ ଏବେ ଯୋଜନା କରିଛି।

ସେକ୍ ରସିଦ୍‌ (ଆନ୍ଧ୍ରପ୍ରଦେଶ), ରବି କୁମାର (ବେଙ୍ଗଲ), ରାଜ ଅଙ୍ଗଦ ବାୱା (ଚଣ୍ଡୀଗଡ଼) କିମ୍ବାା ୟାଶ ଧୂଲ୍‌ (ଦିଲ୍ଲୀ)ଙ୍କୁ ସେମାନଙ୍କ ରାଜ୍ୟ ସିଧାସଳଖ ସ‌ୁଯୋଗ ଦେଇପାରେ କିନ୍ତୁ ଅନ୍ୟମାନେ ୧୯ ବର୍ଷରୁ କମ୍ ଏବଂ ରଣଜୀ ଟ୍ରଫି ପ୍ରବେଶ ମଧ୍ୟରେ ହଜିଯିବାର ବିପଦ ରହିଛି। ପୂର୍ବରୁ ୨୩ ବର୍ଷରୁ କମ୍‌ ପ୍ରତ‌ିଯୋଗିତା ଥିବା ସିକେ ନାୟୁଡୁକୁ ଏବେ ୨୫ ବର୍ଷକୁ ବଢ଼ାଇ ଦିଆଯାଇଥିବାରୁ ପ୍ରବଳ ଦାବିଦାର ରହୁଛି। ତେଣୁ ୧୯+ ବର୍ଗର ପ୍ରତିଭାବାନ ତଥା ସଫଳ ଖେଳାଳିଙ୍କୁ ଗଢ଼ି ତୋଳିବା ଲାଗି ବିସିସିଆଇ ଏନ୍‌ସିଏ ଢାଞ୍ଚାର ଉପଯୋଗ ଯୋଜନା କରିଛି। ଏନ୍‌ସିଏରେ ୫ ଥାକିଆ ବ୍ୟବସ୍ଥା ରହିଛି। ୧୬ ବର୍ଷରୁ କମ୍‌, ୧୯ ବର୍ଷରୁ କମ୍‌, ୨୩ ବର୍ଷରୁ କମ୍‌ ଇମର୍ଜିଂ ଏବଂ ‘ଏ’ ଦଳ। ଏବେ ୧୯+ ବର୍ଗକୁ ସାମିଲ କରାଯିବ। ଫଳରେ କୌଣସି ରାଜ୍ୟ ଦଳରେ ସ୍ଥାନ ନପାଇଲେ ବଞ୍ଚିତ ଖେଳାଳି ମା‌ନେ ବିସିସିଆଇ ରାଡ଼ାର ବାହାରକୁ ଯିବେ ନାହିଁ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର