ଧୂପର ଓ ସୁଶ୍ରୀ ବର୍ଷର ଶ୍ରେଷ୍ଠ କ୍ରିକେଟର୍‌

ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ ପୁରସ୍କାର

ଭୁବନେଶ୍ୱର: ରଣଜୀ ଓ୍ଵିକେଟ୍‌ରକ୍ଷକ ରାଜେଶ ଧୂପର ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ କ୍ରିକେଟର୍‌ ପୁରସ୍କାର ପାଇବେ। ଏହି ଯୁବ ତାରକା ଗତ ଋତୁରେ ଉଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଗତ ଋତୁରେ ମାତ୍ର ୩ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିବା ଧୂପର ୬୮.୭୫ ହାରରେ ୨୭୫ ରନ୍‌ କରିଥିଲେ। ଯାହାକି ରାଜ୍ୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଥିଲା। ତାଙ୍କର ୨୭୫ ରନ୍‌ ମଧ୍ୟରେ ଧୂପର ୩ ଅର୍ଧଶତକ ଜମାଇଥିଲେ। ତାମିଲନାଡୁ ବିପକ୍ଷ ୯୭ ରନ୍‌ର ପାଳି ହିଁ ଗତ ଋତୁରେ ଓଡ଼ିଶା ଦଳର ସମ୍ମାନ ରଖିଥିଲା। ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟ୍ରଫିରେ ସେ ୪ ମ୍ୟାଚ୍‌ ଖେଳି ସର୍ବାଧିକ ୧୪୬ ରନ୍‌ କରିଥିଲେ। ସେଥିମଧ୍ୟରେ ୯୦ ରନ୍‌ର ଚମତ୍କାର ପାଳି ସାମିଲ ଥିଲା। ପୁଣି ବିଜୟ ହଜାରେ ଟ୍ରଫିରେ ମଧ୍ୟ ସେ ୪ ମ୍ୟାଚ୍‌ରୁ ୬୫.୬୬ ହାରରେ ମୋଟ ୧୬୪ ରନ୍‌ କରିଥିଲେ। ବର୍ଷର ଶ୍ରେଷ୍ଠ କ୍ରିକେଟର୍‌ ପୁରସ୍କାର ବାବଦରେ ଧୂପରଙ୍କୁ ସ୍ୱତନ୍ତ୍ର ଟ୍ରଫି, ମାନପତ୍ର ଓ ବ୍ଲେଜର ସହ ୩୧ ହଜାର ଟଙ୍କା ମିଳିବ। ଅନ୍ୟପକ୍ଷରେ ଶ୍ରେଷ୍ଠ ମହିଳା କ୍ରିକେଟର୍‌ ଭାବେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ମନୋନିତ କରାଯାଇଛି। ପୁରସ୍କାର ବାବଦରେ ସୁଶ୍ରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ଟ୍ରଫି, ମାନପତ୍ର ଓ ବ୍ଲେଜର ସହ ୧୧ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସହିଦ ସ୍ପୋର୍ଟିଂ କ୍ଲବ୍‌ର ସଂପାଦକ ପଙ୍କଜ ପଟ୍ଟନାୟକ ଜଣାଇଛନ୍ତି। ସହିଦ ସ୍ପୋର୍ଟିଂ ପଡ଼ିଆରେ ନବନିର୍ମିତ ଦେବାଶିଷ ମହାନ୍ତି ପ୍ରେସ୍‌ ବକ୍ସରେ ମାରୁତି ଇଷ୍ଟେଟ୍‌ ଇଣ୍ଡିଆର ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହଙ୍କ ଅଧ୍ୟକ୍ଷତାରେ ମନୋନୟନ ସମିତିର ବୈଠକ ବସି ଧୂପର ଓ ସୁଶ୍ରୀଙ୍କୁ ଯଥାକ୍ରମେ ୨୬ତମ କ୍ରିକେଟର୍‌ ଅଫ୍‌ ଦି ଇୟର ଏବଂ ୫ମ ମହିଳା କ୍ରିକେଟର୍‌ ଅଫ୍‌ ଦି ଇୟର ପୁରସ୍କାର ପାଇଁ ବଛା ଯାଇଥିଲା। ସନାତନ ପାଣି, ସୁରେଶ ସ୍ୱାଇଁ, ସୁଶାନ୍ତ ମହାନ୍ତି, ସଂଜୀବ ବିଶ୍ୱାଳ, ସଂବିତ ମହାପାତ୍ର, ନିରଂଜନ ରେଡ୍ଡୀ, ସମୀର ରାଉତ, ତପନ ସ୍ୱାଇଁ, ଉମାକାନ୍ତ ମିଶ୍ର ଓ ପଙ୍କଜ ପଟ୍ଟନାୟକ ଏହ ଦୁଇ ଜଣଙ୍କୁ ବାଛିଥିଲେ।

ଏଠାରେ ସୂଚନାଯୋଗ୍ୟ, ୨୫ ବର୍ଷ ଧରି ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲା ବେଳେ ରଂଜୀବ ବିଶ୍ୱାଳ, ପି ଜୟଚନ୍ଦ୍ର, ରଶ୍ମିରଂଜନ ପରିଡ଼ା, ପ୍ରଶାନ୍ତ ମହାପାତ୍ର, ଦେବାଶିଷ ମହାନ୍ତି (୫), ପ୍ରଭଞ୍ଜନ ମଲ୍ଲିକ (୩), ଶିବସୁନ୍ଦର ଦାସ, ସଂଜୟ ଶତପଥୀ, ବିବିସିସି ମହାପାତ୍ର, ଦୀପକ ମଙ୍ଗରାଜ, ବସନ୍ତ ମହାନ୍ତି (୩), ଧୀରାଜ ସିଂହ, ବିପ୍ଲବ ସାମନ୍ତରାୟ, ନଟରାଜ ବେହେରା, ଦୀପକ ବେହେରା, ଗୋବିନ୍ଦ ପୋଦାର ଓ ଶୁଭ୍ରାଂଶୁ ସେନାପତି ପୁରସ୍କୃତ ହୋଇସାରିଛନ୍ତି। ସେହିପରି ୨୦୧୩-୧୪ରୁ ଆରମ୍ଭ ହୋଇଥିବା ଶ୍ରେଷ୍ଠ ମହିଳା କ୍ରିକେଟର୍‌ ପୁରସ୍କାର ମାଧୁରୀ ମେହେଟା, ସ୍ୱାଗତିକା ରଥ, ମଧୁସ୍ମିତା ବେହେରା ଓ କାଦମ୍ବିନୀ ମହାକୁଡ଼ ପାଇସାରିଛନ୍ତି।

ସମ୍ବନ୍ଧିତ ଖବର