ଧ୍ୟାନ ଚାନ୍ଦଙ୍କୁ ଭାରତ ରତ୍ନ ଦାବି ଜୋର୍‌ଦାର

ନୂଆଦିଲ୍ଲୀ: ହକି କିଂବଦନ୍ତି ମେଜର ଧ୍ୟାନ ଚାନ୍ଦଙ୍କ ୧୧୫ତମ ଜନ୍ମ ବାର୍ଷିକୀ ପୂର୍ବରୁ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ମିଳୁ ବୋଲି ଦାବି ଜୋରଦାର ହୋଇଛି। ଦେଶର ପୂର୍ବତନ ଓ ଏବର ହକି ଖେଳାଳିମାନେ ଏହି ଦାବି କରିଛନ୍ତି। ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ଏହା ପୂର୍ବରୁ ଏକ ଭର୍ଚୁଆଲ ବୈଠକରେ ପୂର୍ବତନ ହକି ଖେଳାଳି ଗୁରୁବକ୍ସ ସିଂହ, ହରବିନ୍ଦର ସିଂହ, ଅଶୋକ କୁମାର ଏବଂ ଏବର ଖେଳାଳି ଯୁବରାଜ ୱାଲମିକି ଧ୍ୟାନ୍‌ ଚାନ୍ଦଙ୍କ ଖେଳ ଜୀବନ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ମେଜର ଧାନ ଚାନ୍ଦଙ୍କ ପାଇଁ ‘ଭାରତ ରତ୍ନ’ ଦାବିର ଡିଜିଟାଲ ଅଭିଯାନର ଏକ ଅଂଶ। ଗତବର୍ଷ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ‌ସୌରଭ ଗାଙ୍ଗୁଲି, ଅଭିନେତା ବାବୁଶାନ ମହାନ୍ତି ଏବଂ ରାହୁଲ ହ୍ବାଇଟ ଏହି ଅଭିଯାନ ଆରମ୍ଭ କରିଥିଲେ।

ଆମ ପାଇଁ ଧାନ ଚାନ୍ଦ ଭଗବାନ ଥିଲେ। ତାଙ୍କ ସହ ପୂର୍ବ ଆଫ୍ରିକା ଏବଂ ୟୁରୋପ ଗସ୍ତ କରିବାର ସୌଭାଗ୍ୟ ପାଇଥିଲୁ। ଏଭଳି ମହାନ ଖେଳାଳିଙ୍କୁ ପାଇବା କଷ୍ଟକର। ସେ ହେଉଛନ୍ତି ଜଣେ ସଂପୂର୍ଣ୍ଣ ଖେଳାଳି ବୋଲି ଅର୍ଜୁନ ପୁରସ୍କାର ପ୍ରାପ୍ତ ଗୁରୁବକ୍ସ କହିଛନ୍ତି। ୮୫ ବର୍ଷୀୟ ଏହି ତାରକା ୧୯୬୪ ଟୋକିଓ ଅଲିମ୍ପିକ୍ସର ଅଭିଜ୍ଞତା ବାଣ୍ଟି କହିଥିଲେ ଯେ “ଆମେ ୧୯୬୦ରେ ସ୍ବର୍ଣ୍ଣ ପଦକ ହରାଇଥିଲୁ, ତେଣୁ ଏହାକୁ ଫେରାଇ ଆଣିବାକୁ ଚାହୁଁଥିଲୁ। ୧୯୬୪ରେ ଏହା କରି ଦେଖାଇଥିଲୁ। ସ୍ୱର୍ଣ୍ଣ ଜିତିଲା ବେଳେ ଯେଭଳି ତ୍ରିରଙ୍ଗା ଜାତୀୟ ସଙ୍ଗୀତର ତାଳେତାଳେ ଉଡ଼ୁଥିଲା ସେତେବେଳେ ‌ମୋ ଆଖିରେ ଲୁହ ଆସିଯାଇଥିଲା। ଭାରତ ପାଇଁ କିଛି କରିଥିବାରୁ ଗର୍ବ ଅନୁ‌ଭବ କରେ”। ଧ୍ୟାନ ଚାନ୍ଦଙ୍କ ବିଷୟରେ ଆଲୋଚନା ବେଳେ ହରବିନ୍ଦର କହିଥିଲେ ଯେ “ଦାଦା”ଙ୍କ ପାଇଁ ମୋର ବହୁତ ସମ୍ମାନ ଅଛି। ମୋ ପାଖରେ ଭଲ ଗତି ଥିଲା। ୧୦୦ ମିଟର ଦୌଡ଼କୁ ୧୦.୮ ସେକେଣ୍ଡ ସମୟ ନେଉଥିଲି। ସେ ମୋତେ କହିଥିଲେ ଯେ ମୁଁ ବଲ୍ ଆଗରେ ରଖିବା ଉଚିତ। ଟିକେ ନିୟନ୍ତ୍ରଣ ରଖିଲେ ଏହା ବହୁତ ସାହାଯ୍ୟ କରିବ। ତାଙ୍କର ଏହି ଉପଦେଶକୁ ଗୁରୁମନ୍ତ୍ର ଭାବେ ପାଳନ କରି ଏହା ଉପରେ ବେଶି ଅଭ୍ୟାସ କ‌ଲି ଏବଂ ସଫଳ ହୋଇଥିଲି।

ଅର୍ଜୁନ ପୁରସ୍କାର ପ୍ରାପ୍ତ ଏବଂ ଧ୍ୟାନ ଚାନ୍ଦଙ୍କ ପୁଅ ଅଶୋକ କୁମାର ମଧ୍ୟ ପିତାଙ୍କ ବିଷୟରେ କିଛି ଅଜଣା କଥା ବାଣ୍ଟିଥିଲେ। “ସେ ମୋତେ ଏବଂ ବଡ଼ ଭାଇଙ୍କୁ ହକି ଖେଳିବାକୁ ଅଟକାଉଥିଲେ। ଏହାର କାରଣ ଆମେ ପରେ ଅନୁଭବ କରିଥିଲୁ। କ୍ରୀଡ଼ାରେ ଆର୍ଥିକ ପ୍ରୋତ୍ସାହନ ଅଭାବକୁ ନେଇ ସେ ଚିନ୍ତିତ ଥିଲେ।” ବୋଲି ଅଶୋକ କହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ୧୯୩୬ ମସିହା ଅଗଷ୍ଟ ୧୫ ତାରିଖରେ ଖେଳାଯିବାକୁ ଥିବା ବର୍ଲିନ ଅଲିମ୍ପିକ୍ସର ଶେଷ ମ୍ୟାଚ୍‌ ସ୍ଥଗିତ ରହିଥିଲା। ପ୍ରଥମାର୍ଧରେ ଭାରତ ଗୋଟିଏ ଗୋଲ୍‌ ଦେଇଥିବାରୁ ବିପକ୍ଷ ଦଳକୁ ହରାଇବା ସହଜ ହୋଇଥିଲା। ଦ୍ୱିତୀୟାର୍ଧ ପୂର୍ବରୁ ମେଜର ଧ୍ୟାନ ଚାନ୍ଦ ଏବଂ କିମ୍ବଦନ୍ତୀ ରୂପ ସିଂହ ଜୋତା କାଢ଼ିି ୩୫ ମିନିଟ ଖାଲି ପାଦରେ ଖେଳିଥିଲେ। ଓଦା ପଡ଼ିଆକୁ ନିଜ ନିୟନ୍ତ୍ରଣରେ ରଖି ଉଭୟ ସାତୋଟି ଗୋଲ ସ୍କୋର କରିଥିଲେ। ମ୍ୟାଚ୍ ଶେଷ ହେବା ବେଳକୁ ଷ୍ଟାଡିୟମ ଖାଲି ଥିଲା ଏବଂ ଭାରତ ହିଟଲରଙ୍କ ସାମ୍ନାରେ ୮-୧ ଗୋଲ୍‌ରେ ଜର୍ମାନିକୁ ପରାସ୍ତ କରିଥିଲା ବୋଲି ଅଶୋକ କହିଛନ୍ତି। ଭାରତରେ ହକି ମେଜର ଧ୍ୟାନ୍‌ ଚାନ୍ଦଙ୍କ ସହ ସମାନ। ୧୦୦ ବର୍ଷ ପରେ ମଧ୍ୟ ଏହା ରହିବ। ମୁଁ ଯେତେବେଳେ ଜର୍ମାନୀରେ ଖେଳିଥିଲି, ସମସ୍ତେ ମୋତେ କହୁଥିଲେ ଯେ ମେଜର ଧ୍ୟାନ ଚାନ୍ଦଙ୍କ ଦେଶରୁ ଆସିଛି। ଏହା ମୋ ପାଇଁ ଗର୍ବର ବିଷୟ ଥିଲା ବୋଲି ଜର୍ମାନି ଲିଗ୍‌ରେ ୮ ବର୍ଷ ଖେଳିବାର ଅଭିଜ୍ଞତା ରଖିଥିବା ୱାଲମିକି କହିଛନ୍ତି।

ସମ୍ବନ୍ଧିତ ଖବର