ହିଟଲରଙ୍କୁ ଏମିତି କହିଥିଲେ ଧ୍ୟାନଚାନ୍ଦ: ‘ଭ‌ାରତ ବିକ୍ରି ହେବାର ନାହିଁ’

ନୂଆଦିଲ୍ଲୀ: ଭାରତ ସ୍ବାଧୀନ ହେବାର ୧୧ ବର୍ଷ ପୂର୍ବରୁ ଅଗଷ୍ଟ ୧୫ ତାରିଖ ମଧ୍ୟ ବଡ଼ ଗୁରୁତ୍ବପୂର୍ଣ୍ଣ ଦିନ ହୋଇସାରିଥିଲା। ଭାରତୀୟ ତ୍ରିରଙ୍ଗା ବିଶ୍ବର ଅନ୍ୟ ପ୍ରାନ୍ତରେ ଫର ଫର ହୋଇ ଉଡ଼ିଥିଲା। ଘଟଣାଟି ଥିଲା ୧୯୩୬ ବର୍ଲିନ ଅଲିମ୍ପିକ୍ସର ହକି ପ୍ରତିଯୋଗିତାର। ଭାରତୀୟ ହକି ଅବିଶ୍ବସନୀୟ ପ୍ରଦର୍ଶନ କରି ବିଶ୍ବବିଦିତ ହୋଇଥିଲା। ଭାରତ ସେମିଫାଇନାଲରେ ଶକ୍ତିଶାଳୀ ଫ୍ରାନ୍ସକୁ ୧୦ ଗୋଲ୍‌ ବ୍ୟବଧାନରେ ହରାଇଥିବାବେଳେ ମେଜର ଧ୍ୟାନଚାନ୍ଦ ଏକା ଦେଇଥିଲେ ୪ଟି। ଭାରତ ଅଗଷ୍ଟ ୧୫ ତାରିଖ ଫାଇନାଲରେ ଜର୍ମାନିକୁ ଭେଟିବା ପୂର୍ବରୁ ଦଳ ଭିତରେ ଯେତିକି ଉତ୍ସାହ ଥିଲା ସେତିକି ଉତ୍କଣ୍ଠା ଓ ଭୟ ବି ଥିଲା। କାରଣ ସେହି ଫାଇନାଲ୍ ମ୍ୟାଚ୍‌କୁ ଦୁର୍ଦ୍ଧର୍ଷ ନାଜି ଶାସକ ଆଡଲ୍‌ଫ ହିଟଲର୍‌ଙ୍କ ସହ ପ୍ରାୟ ୪୦,୦୦୦ ଜର୍ମାନ ଦେଖିବାକୁ ଆସିବା ଧାର୍ଯ୍ୟ ଥାଏ। ଭାରତ ଭରପୁର ବର୍ଲିନ ଷ୍ଟାଡିୟମ୍‌ରେ ଜର୍ମାନିକୁ ୮-୧ରେ ହରାଇ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିଥିଲା। ଫାଇନାଲ୍‌ରେ ଧ୍ୟାନଚାନ୍ଦ ଏକା ୬ ଗୋଲ୍ ଦେଇଥିଲେ। ଏହା ଦେଖି ହିଟଲର୍‌ ଦାଦା ଧ୍ୟାନଚାନ୍ଦଙ୍କୁ ସଲାମ କରିଥିଲେ ଏବଂ ତାଙ୍କୁ ‘ହକିର ଯାଦୁକର’ ଉପାଧି ପ୍ରଦାନ କରିଥିଲେ। ଏଥି ସହିତ ତାଙ୍କୁ ମଧ୍ୟ ଜର୍ମାନ ଆର୍ମିରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ।

ପୁରସ୍କାର ପ୍ରଦାନ ଉତ୍ସବରେ ନିରବତା ଛାଇଯାଇଥିଲା। ଧ୍ୟାନଚାନ୍ଦ ବି ନିରବ ଥିଲେ। ସମସ୍ତଙ୍କ ଡର ଥିଲା ଧ୍ୟାନଚାନ୍ଦ ଯଦି ଜର୍ମାନ ଆର୍ମିରେ ଯୋଗଦେବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦିଅନ୍ତି ତେବେ ହଟିଲର୍‌ ତାଙ୍କୁ ଗୁଳିରେ ଉଡ଼ାଇଦେବେ। ଧ୍ୟାନଚାନ୍ଦ କିନ୍ତୁ ସାମୟିକ ଆଖି ବୁଜି ସାହସର ସହ କହିଥିଲେ ‘ଭାରତ ବିକ୍ରି ହେବାର ନାହିଁ’। ଧ୍ୟାନଚାନ୍ଦଙ୍କ ଦେଶପ୍ରେମ ଓ ଦେଶଭକ୍ତିର ଭାବନା ଶୁଣି ଭରପୁର ଷ୍ଟାଡିୟମ୍‌ର ଦର୍ଶକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଏହା ପରେ ହିଟଲର୍‌ ତାଙ୍କୁ ସଲାମ କରିବା ସହ ହାତ ମିଳାଇ ହକି ଯାଦୁକର ଉପାଧି ପ୍ରଦାନ କରିଥିଲେ। ‘ଏଭଳି ଖେଳାଳି ଶତାବ୍ଦୀରେ ଥରେ ଜନ୍ମ ନିଅନ୍ତି’ ବୋଲି ନିଜ ଅଭିଜ୍ଞତା ବଖାଣିବା ବେଳେ ପ୍ରକାଶ କରିଥିଲେ ପୂର୍ବତନ ହକି ପ୍ରଶିକ୍ଷକ ସୟଦ ଅଲୀ ସିବଟେନ୍‌ ନକ୍‌ଭୀ।

ଭାରତ ଏବେ ବି ପୁରୁଣା ଦିନର ହକି ପ୍ରଦର୍ଶନକୁ ଅଲିମ୍ପିକ୍ସ୍ ମଇଦାନରେ ଦୋହରାଇବାରେ ସକ୍ଷମ ହେଉନାହିଁ। ଭାରତୀୟ ଦଳ ଏବଂ ଏହାର ଖେଳାଳିମାନେ ୟୁରୋପୀୟ ଏବଂ ଅଷ୍ଟ୍ରେଲୀୟମାନଙ୍କ ଦ୍ବାରା ପ୍ରଶିକ୍ଷିତ ହେବା ଫଳରେ ଭାରତୀୟ ହକି ୟୁରୋପୀୟ ଷ୍ଟାଇଲରେ ଖେଳାଯାଉଛି। କଳାତ୍ମକ ହକିର ମୌଳିକତା ହଜିଗଲାଣି, ୟୁରୋପୀୟ ମୁଖ୍ୟତଃ ଶାରୀରିକ ସକ୍ଷମତା ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି ନକଭୀ ପ୍ରକାଶ କରିଥିଲେ। ୧୯୭୮ ମସିହା ମାଡ୍ରିଡ୍‌ ବିଶ୍ବକପ୍‌ରେ ନକଭୀ ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷକ ଥିଲେ। ଟୋକିଓ ଅଲିମ୍ପିକ୍ସରେ ଭାରତ ଶୀର୍ଷ ୪ ଭିତରେ ରହି ପାରିବ ବୋଲି ନକଭୀ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର