ସେମିରେ ପହଞ୍ଚିବାରେ ଦ୍ବିତୀୟ କ୍ବାଲିଫାୟାର

ମେଲ୍‌ବର୍ଣ୍ଣ: ୟୁକ୍ରେନ୍‌ର ଡାଏନା ୟାସ୍ତ୍ରିମସ୍କା ବୁଧବାର ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଛନ୍ତି। ସେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଇତିହାସରେ ଦ୍ବିତୀୟ କ୍ବାଲିଫାୟର ଭାବେ ଏହି ସଫଳତା ପାଇବା ସହ ୪୪ ବର୍ଷ ପରେ ପ୍ରଥମ ହେବାର ଗୌରବ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର କ୍ରିଷ୍ଟାଇନ୍‌ ମାଟିସନ୍‌ ୧୯୭୮ରେ ପ୍ରଥମ କ୍ବାଲିଫାୟର ଭାବେ ଶୀର୍ଷ ୪ରେ ସ୍ଥାନ ପକ୍କା କରିଥିଲେ। ବୁଧବାର ରଡ ଲାଭର ଏରିନାରେ ଖେଳାଯାଇଥିବା ମହିଳା ଏକକ ମୁକାବିଲାରେ ୯୩ ମାନ୍ୟତାପ୍ରାପ୍ତ ଡାଏନା ୭୮ ମିନିଟ୍‌ର ସଂଘର୍ଷ ପରେ ସିଧାସଳଖ ୬-୩, ୬-୪ ସେଟ୍‌ରେ ଅଣମାନ୍ୟତାପ୍ରାପ୍ତ ଚେକ୍‌ଗଣରାଜ୍ୟରୁ ଲିଣ୍ଡା ନୋସ୍କୋଭାଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍‌ ସ୍ଥାନ ଲାଗି ସେ ଦ୍ବାଦଶ ମାନ୍ୟତାପ୍ରାପ୍ତ ଚୀନ୍‌ର କ୍ବିନ୍‌ୱେନ୍‌ ଝେଙ୍ଗଙ୍କୁ ଭେଟିବେ। ଚୀନ୍‌ର ଝେଙ୍ଗ ୬-୭, ୬-୩, ୬-୧ ସେଟ୍‌ରେ ରୁଷିଆର ଆନ୍ନା କାଲିନସ୍କାୟାଙ୍କୁ ହରାଇଥିଲେ। ଏହି ବିଜୟ ସହ ସେ ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି।

ବିଶ୍ବର ୧ ନମ୍ବର ହେବାରେ ବୋପାନ୍ନା ବୟସ୍କ

Advertisment

ଭେଟେରାନ ଭାରତୀୟ ଟେନିସ ଖେଳାଳି ୪୩ ବର୍ଷ ବୟସରେ ବିଶ୍ବର ୧ ନମ୍ବର ‌ପୁରୁଷ ଯୁଗଳ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ସ୍ଥାନ ହାସଲ କରିବାରେ ସେ ସବୁଠୁ ବୟସ୍କ ଖେଳାଳି ହୋଇଛନ୍ତି। ବୁଧବାର ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କୁ ସାଥୀ କରି ସେ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଯୁଗଳ ସେମିଫାଇନାଲ୍‌ରେ ପହଞ୍ଚି ଏହି ସଫଳତା ପାଇଥିଲେ। କ୍ବାର୍ଟରଫାଇନାଲ୍‌ରେ ଏହି ଭାରତ-ଅଷ୍ଟ୍ରେଲୀୟ ଯୋଡ଼ି ୬-୪, ୭-୬ ସେଟ୍‌ରେ ଆର୍ଜେଣ୍ଟିନାର ମାକ୍ସିମୋ ଗୋଞ୍ଜାଲେଜ ଓ ଆନ୍ଦ୍ରେସ ମୋଲତେନିଙ୍କୁ ପରାସ୍ତ କରିଥିଲେ। ବୋପାନ୍ନାଙ୍କ ସହ ୩ ପ୍ରତିଯୋଗିତା ଖେଳିଥିବା ଏବଡେନ୍‌ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଗତ ବର୍ଷ ଏବଡେନ୍‌ଙ୍କ ସହ ବୋପାନ୍ନା ଇଣ୍ଡିଆନ୍‌ ‌ୱେଲ୍ସ ଯୁଗଳ ମୁକୁଟ ଜିତି ଏଟିପି ମା‌ଷ୍ଟର୍ସ ୧୦୦୦ ଟ୍ରଫି ହାତେଇବାରେ ସବୁଠୁ ବୟସ୍କ ଖେଳାଳି ହୋଇଥିଲେ। ଗୁରୁବାର ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ରେ ବୋପାନ୍ନା-ଏବ୍‌ଡେନ ଚୀନ୍‌ ଓ ଚେକ୍‌ଗଣରାଜ୍ୟ ଯୋଡ଼ି ଝାଙ୍ଗ ଝିଝେନ ଓ ତୋମାସ ମାଚାକଙ୍କୁ ଭେଟିବେ।

ପୁରୁଷ ଏକକ ସେମିଫାଇନାଲ୍‌ରେ ତୃତୀୟ ମାନ୍ୟତାପ୍ରାପ୍ତ ତଥା ପୂର୍ବ ୟୁଏସ୍‌ ଓପନ୍‌ ବିଜେତା ଡାନିଲ ମେଦଭେଦେଭ ଓ ପଞ୍ଚମ ମାନ୍ୟତାପ୍ରାପ୍ତ ଆଲେକ୍‌ଜାଣ୍ଡର ଭେରେଭ ମୁହାଁମୁହିଁ ହେବେ। ବୁଧବାର ‌କ୍ବାର୍ଟରଫାଇନାଲ୍‌ରେ ମେଲ୍‌ବର୍ଣ୍ଣ ପାର୍କର ଦୁଇ ଥରର ଉପବିଜେତା ରୁଷିଆର ମେଦଭେଦେଭ ୭-୬, ୨-୬, ୬-୩, ୫-୭, ୬-୪ ସେଟ୍‌ରେ ନବମ ମାନ୍ୟତାପ୍ରାପ୍ତ ପୋଲାଣ୍ଡର ହୁବର୍ତ ହର୍କାରାଜଙ୍କୁ ହରାଇଥିଲେ। ଅନ୍ୟଏକ କ୍ବାର୍ଟରଫାଇନାଲ୍‌ରେ ଜର୍ମାନିର ଭେରଭ ୬-୧, ୬-୩, ୬-୭, ୬-୪ ସେଟ୍‌ରେ ୨ ଥରର ଗ୍ରାଣ୍ଡସ୍ଲାମ୍‌ ବିଜେତା ଦ୍ବିତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍‌ର ଅଲ୍‌କାରାଜଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ୨୬ ବର୍ଷୀୟ ‌‌ଭେରଭ ଦ୍ବିତୀୟ ଲାଗି ଏଠା‌ରେ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି।