ଚଣ୍ଡିଖୋଲ: ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଛି ଶାରୀରିକ ଅକ୍ଷମତା। ଦୁଇ ଗୋଡ଼ ପୋଲିଓ ଆକ୍ରାନ୍ତ। ହେଲେ ଶକ୍ତି ଉତ୍ତୋଳନରେ ସେ ସ୍ବର୍ଣ୍ଣ ପଦକ ବିଜେତା ହୋଇପାରିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ପଞ୍ଚାୟତ ନାନପୁର ପଟଣା ଗ୍ରାମର ଦିବ୍ୟାଙ୍ଗ ଜ୍ଞାନ ରଞ୍ଜନ ସାହୁ (୩୦)ଙ୍କ ଏ ସଫଳତାର କାହାଣୀ ସମସ୍ତଙ୍କୁ ଚମତ୍କୃତ କରୁଛି। ବାହାବା ଶୁଣୁଛନ୍ତି ସତ କିନ୍ତୁ ଏହା ତାଙ୍କ ଜୀବିକା ଅର୍ଜନରେ ସହାୟକ ​ହୋଇପାରିନାହିଁ। ଜୀବିକା ପାଇଁ ତାଙ୍କ ଠିକଣା ପାଲଟିଛି ଏକ ପାନଦୋକାନ। ବାଲିଚନ୍ଦ୍ରପୁର ବଜାରରେ ଏକ ଛୋଟ ପାନଦୋକାନ କରିଛନ୍ତି ସେ। ସକାଳୁ ସଞ୍ଜଯାଏ କଟିଥାଏ ସେଠାରେ। ବାକି ସମୟରେ ସେ ନିଜ କ୍ରୀଡ଼ା ଅଭ୍ୟାସ କରି ରାଜ୍ୟ ପାଇଁ ଜିତିଛନ୍ତି ସ୍ବର୍ଣ୍ଣ ଓ ରୌପ୍ୟ ପଦକ।

Advertisment

୩ ବର୍ଷ ବୟସରେ ଜ୍ଞାନରଞ୍ଜନ ପୋଲିଓ ଆକ୍ରାନ୍ତ ହୋଇଥିଲେ। ଦୁଇଟି ଯାକ ଗୋଡ଼ ଅଚଳ ହୋଇଗଲା। ସେ ଠିକ ଭାବେ ଚାଲି ପାରିଲେନାହିଁ। ଏହାସତ୍ତ୍ବେ ନିଜ ଉଦ୍ୟମରେ ସେ ମାଟ୍ରିକ ପାସ୍‌ କରିଥିଲେ। ଶାରୀରିକ ଅକ୍ଷମତା ସତ୍ତ୍ବେ ସେ କିଛି କରିବାକୁ ଅଣ୍ଟା ଭିଡ଼ିଥିଲେ। ୫ ବର୍ଷ ତଳେ ଜିମ୍‌ ଯାଇ ନିଜ ଶାରୀରିକ ଗଢ଼ଣକୁ ସୁଦୃଢ଼ କରିଥିଲେ। ନିଷ୍ଠା ବଳରେ ପ୍ରଥମେ ସେ ଜିମ ସେଣ୍ଟରରେ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ଏଥିସହ ବାଲିଚନ୍ଦ୍ରପୁର ବଜାରରେ ପାନ ଦୋକାନ କରି କିଛି ରୋଜଗାର କରିଥିଲେ। ଏହି ସମୟରେ ୟୁଟ୍ୟୁବ୍‌ ଭିଡିଓ ଦେଖି ଶକ୍ତି ଉତ୍ତୋଳନ ପ୍ରତି ଆକୃଷ୍ଟ ହୋଇ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରଥମେ ୨୦୧୯ ନଭେମ୍ବର ୨୯ ତାରିଖରେ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ସାଧାରଣବର୍ଗ ଶ୍ରେଣୀର ଶକ୍ତି ଉତ୍ତୋଳନରେ ଭାଗନେଇଥିଲେ। ଏ ଦିଗରେ ଆଗକୁ ବଢ଼ିବା ପାଇଁ ଚେଷ୍ଟା ଜାରି ରଖିଥିଲେ। ଶେଷରେ ତାଙ୍କୁ ସଫଳତା ମିଳିଥିଲା। ଛତିଶଗଡ଼ରେ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ରୌପ୍ୟ ପଦକ ହାସଲ କରିଥିଲେ। ନୂଆଦିଲ୍ଲୀଠାରେ ଆୟୋଜିତ ସାଧାରଣ ଓ ଦିବ୍ୟାଙ୍ଗ ବର୍ଗ ପ୍ରତିଯୋଗିତାରେ ଦୁଇଥର ଭାଗନେଇ ରୌପ୍ୟ ଓ କୋଲକାତାଠାରେ ଦୁଇଥର ଭାଗନେଇ ଥରେ ସ୍ୱର୍ଣ୍ଣ ଓ ଆଉଥରେ ରୌପ୍ୟ ପଦକ ବିଜେତା ହୋଇଥିଲେ।

ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନରେ ୪ ଥର ଭାଗନେଇ ଦୁଇଥର ସ୍ୱର୍ଣ୍ଣ ଓ ଦୁଇଥର ରୌପ୍ୟ ପଦକ ହାସଲ କରି ପ୍ରଶଂସା ସାଉଁଟିଛନ୍ତି। ବିଡ଼ମ୍ବନା ହେଉଛି ଏଥିପାଇଁ ସେ ନିଜ ପାନ ଦୋକାନରୁ ହିଁ ସମ୍ବଳ ସଂଗ୍ରହ କରୁଛନ୍ତି। ବିନା ସରକାରୀ ସହାୟତାରେ ସେ ନିଜ ଉଦ୍ୟମରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ପିତା ତ୍ରିଲୋଚନ ସାହୁଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି ବୋଲି ସେ କୁହନ୍ତି। ତାଙ୍କୁ ଯଦି ସରକାରୀ ପ୍ରୋତ୍ସାହନ ଓ ସହାୟତା ମିଳିପାରନ୍ତା ତେବେ ସେ ଏଦିଗରେ ଆହୁରି ଆଗକୁ ଯାଇପାରନ୍ତେ ବୋଲି ଜ୍ଞାନରଞ୍ଜନ ‘ସମ୍ବାଦ’କୁ କହିଛନ୍ତି। ସଂପ୍ରତି ହକି କ୍ରୀଡ଼ା ମହାକୁମ୍ଭକୁ ନେଇ ସାରା ରାଜ୍ୟ ଉତ୍ସବମୁଖର। ଏପରିକି ଯାଜପୁର ଜିଲ୍ଲାରେ ମଧ୍ୟ ଆୟୋଜିତ ହୋଇଛି ହକି ମହୋତ୍ସବ। ଏଭଳି ସମୟରେ ସ୍ବର୍ଣ୍ଣ ପଦକ ବିଜେତା ଶକ୍ତି ଉତ୍ତୋଳକ ଜ୍ଞାନରଂଜନ ନିଜ ପାନ ଦୋକାନରେ ବସି ପୁଣି ଅନ୍ୟ ଏକ ପ୍ରତିଯୋଗିତା ପାଇଁ ସମ୍ବଳ ସଂଗ୍ରହ କରିବା ବିଡ଼ମ୍ବନା ବୋଲି ମତପ୍ରକାଶ ପାଇଛି।