ଦିବ୍ୟାଙ୍ଗ ଦେବାମୃତଙ୍କୁ ମିଳୁନି ପ୍ରୋତ୍ସାହନ

ଯାଜପୁରସଦର, (ଇମିସ): ଯାଜପୁର ଜିଲ୍ଲାର ଦିବ୍ୟାଙ୍ଗ ଦେବାମୃତ ଏବେ ଜାତୀୟସ୍ତରର ଜଣେ ସଫଳ କ୍ରୀଡ଼ାବିତ୍‌। କ୍ରୀଡ଼ାରେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି ସେ। ଆନ୍ତର୍ଜାତୀୟସ୍ତରରେ ମଧ୍ୟ ନିଜ ସ୍ଥାନ ସଂରକ୍ଷଣ କରିପାରିଛନ୍ତି। ମାତ୍ର ତାଙ୍କୁ ଏଥିପାଇଁ ପ୍ରୋତ୍ସାହନ ମିଳୁ ନାହିଁ। ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଧିତ ବି’ କରାଯାଇ ନାହିଁ। ପ୍ରୋତ୍ସାହନ ଓ ସମ୍ବର୍ଧନା ଦୂର କଥା; ଏହି ସଫଳ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ଙ୍କ ସମ୍ପର୍କରେ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ପାଖରେ ଖବର ବି’ ନାହିଁ।
ଜାତୀୟସ୍ତରର ଏହି ଉଦୀୟମାନ କ୍ରୀଡ଼ାବିତ୍‌ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ ଟମକା ଅଞ୍ଚଳର ପ୍ରକାଶ ସାହୁଙ୍କ ପୁଅ ଦେବାମୃତ ସାହୁ। ୨୦୦୬ ମସିହାରେ ଏକ ଦୁର୍ଘଟଣାରେ ତାଙ୍କର ବାମ ଗୋଡ଼ ନଷ୍ଟ ହୋଇଯାଇଥିଲା। ତଥାପି, ଦୃଢ଼ ଇଚ୍ଛାଶକ୍ତି ବଳରେ ଆଗକୁ ବଢ଼ି ଚାଲିଛନ୍ତି। କ୍ରିକେଟ୍‌, ଦୌଡ଼କୁଦ ଓ ଫେନ୍‌ସିଂରେ ରୁଚି ରଖିଥିବା ଦେବାମୃତ ରାଜ୍ୟସ୍ତରର ୨୦ରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଛନ୍ତି। ହରିଆନାରେ ଆୟୋଜିତ ଫେନ୍‌ସିଂ(ଖଣ୍ଡାଯୁଦ୍ଧ) ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ମଧ୍ୟ ପାଇଛନ୍ତି। ଗତ ୩ ତାରିଖ ଭିନ୍ନକ୍ଷମ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ମାରାଥାନ୍‌ ଦୌଡ଼ରେ ଭାଗ ନେଇଥିବା ଦେବାମୃତ ଦ୍ଵିତୀୟ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ଏତେସବୁ ସତ୍ତ୍ୱେ ତାଙ୍କୁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା କି’ ପ୍ରୋତ୍ସାହନ ମିଳି ନାହିଁ।
ଆସନ୍ତାବର୍ଷ ଚୀନ୍‌ର ବେଜିଂରେ ଅନ୍ତର୍ଜାତିକ ଫେନ୍‌ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦେବାମୃତଙ୍କ ସମେତ ଜାତୀୟସ୍ତରର ସଫଳ କ୍ରୀଡ଼ାବିତ୍‌ ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ମନୋନୟନ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଲଣ୍ଡନ୍‌ରୁ ଆସିଥିବା ପ୍ରଶିକ୍ଷକ ଏଠାରେ ପ୍ରଶିକ୍ଷଣ ଦେଉଛନ୍ତି। ହେଲେ, ଷ୍ଟାଡିୟମ୍‌ ହଷ୍ଟେଲରେ ରହିବା ପାଇଁ ଦେବାମୃତଙ୍କୁ ସ୍ଥାନ ମିଳୁନି। ସେହିପରି ଶାରୀରିକ ଶିକ୍ଷା ଶିକ୍ଷକ ଭାବେ ତାଲିମ୍‌ ନେବାକୁ ସେ ମନୋନୀତ ହୋଇଛନ୍ତି। ସମ୍ବଲପୁରସ୍ଥିତ ଶିକ୍ଷାକେନ୍ଦ୍ରରେ ଏହି ପ୍ରଶିକ୍ଷଣ ନେବା ପାଇଁ ତାଙ୍କୁ କୁହାଯାଇଛି। ତେବେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ତାଲିମ୍‌ର ସୁଯୋଗ ରହିଥିବା ବେଳେ ସେ ସମ୍ବଲପୁର ଗଲେ ଆନ୍ତର୍ଜାତୀୟ ପ୍ରତିଯୋଗିତା ନିମନ୍ତେ ଅଭ୍ୟାସରୁ ବଞ୍ଚିତ ହେବେ ବୋଲି ଦେବାମୃତ କହିଛନ୍ତି। ଏ ସମ୍ପର୍କରେ ସେ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ଏଥିସହ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାରେ ଥିବା ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ସହ ରାଜ୍ୟସ୍ତରରେ ସହଯୋଗ ପାଇଁ ଅନୁରୋଧ କରାଯିବାକୁ ଆଶ୍ୱାସନା ଦେଇଛନ୍ତି। ସେହିପରି ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଓ କ୍ରୀଡ଼ା ସଚିବଙ୍କୁ ପତ୍ର ଲେଖାଯାଇ ଦେବାମୃତଙ୍କ ସମସ୍ୟା ସଂପର୍କରେ ଅବଗତ କରାଯିବା ସହ ସହଯୋଗ ପାଇଁ ନିବେଦନ କରାଯାଇଛି ବୋଲି ଜିଲ୍ଲା ଭିନ୍ନକ୍ଷମ କମିଟି ସଦସ୍ୟ ମଣ୍ଟୁ ଦାସ ସୂଚନା ଦେଇଛନ୍ତି।
ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବା ଦିବ୍ୟାଙ୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳୁଛି। ହେଲେ, ରାଜ୍ୟ ପାଇଁ ଗୌରବ ଆଣୁଥିବା ଦେବାମୃତଙ୍କ ପରି କିଛି କ୍ରୀଡ଼ାବିତ୍‌ ଆଜି ବି ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇରହିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର