ଦିବ୍ୟାଂଶ-ଶ୍ରେୟାଙ୍କୁ କାଂସ୍ୟ

ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତା: ବରିଷ୍ଠ ନିରାଶ

ଚାଙ୍ଗ୍‌ଓନ୍‌ (ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତାରେ ବୁଧବାର ଭାରତକୁ ମିଶ୍ର ଫଳ ମିଳିଛି। ବରିଷ୍ଠ ବର୍ଗରେ ପ୍ରତିଯୋଗୀମାନେ ନିରାଶ କରିଥିଲା ବେଳେ କନିଷ୍ଠ ବର୍ଗରେ ଭାରତକୁ କାଂସ୍ୟ ପଦକ ମିଳିଛି। କନିଷ୍ଠରେ ଦିବ୍ୟାଂଶ ସିଂହ ପନଓ୍ଵର ଓ ଶ୍ରେୟା ଅଗ୍ରଓ୍ଵାଲ୍‌ଙ୍କୁ ନେଇ ଗଠିତ ମିଶ୍ରିତ ଦଳ ୧୦ ମିଟର ଏୟାର ରାଇଫଲ୍‌ରେ କାଂସ୍ୟ ପଦକ ହାସଲ କରିଛନ୍ତି। ମୋଟ ୪୨ ଦଳ ମଧ୍ୟରେ ଦିବ୍ୟାଂଶ ଓ ଶ୍ରେୟା ପଞ୍ଚମ ତଥା ଶେଷ ସ୍ଥାନରେ ରହି ଯୋଗ୍ୟତା ସ୍ଥାନ ପକ୍କା କରିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ଦୁହେଁ ୮୩୪.୪ ସ୍କୋର୍‌ କରିଥିଲେ। ଏହାପରେ ଫାଇନାଲ୍‌ରେ ୪୩୫ ସ୍କୋର୍‌ କରି ତୃତୀୟ ସ୍ଥାନ ପାଇଥିଲେ। ଏହି ବର୍ଗରେ ଅନ୍ୟତମ ଭାରତୀୟ ଯୋଡ଼ି ଇଲାଭେନିଲ୍‌ ଭାଲାରିଭାନ୍‌ ଓ ହୃଦୟ ହଜାରିକା (୮୨୯.୫) ତ୍ରୟୋଦଶ ସ୍ଥାନରେ ଅଭିଯାନ ଶେଷ କରିଥିଲା ବେଳେ ଇଟାଲିକୁ ସ୍ୱର୍ଣ୍ଣ ଓ ଇରାନ୍‌କୁ ରୌପ୍ୟ ପଦକ ମିଳିଥିଲା। ବୁଧବାର କାଂସ୍ୟ ସହିତ ଭାରତ ଏହି ପ୍ରତିଯୋଗିତାରୁ ଚତୁର୍ଥ ଦିବସ ଶେଷରେ ୩ ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ସହ ମୋଟ ୯ ପଦକ ହାସଲ କରିସାରିଛି। ଏଥି ସହିତ ଭାରତ ମଧ୍ୟ ଚଳିତ ପ୍ରତିଯୋଗିତାରେ ଆୟୋଜକ କୋରିଆ ଓ ଚୀନ୍‌ ପଛକୁ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ୯ ପଦକ ଅମଳ ମଧ୍ୟ ବିଶ୍ୱ ପ୍ରତିଯୋଗିତାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହୋଇଛି। ୧୨ ବର୍ଷ ତଳେ ଜାଗ୍ରେବ୍‌ ସଂସ୍କରଣରେ ଭାରତ ମୋଟ ୬ ପଦକ ଜିତିଥିଲା। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ଭାବେ ଆୟୋଜିତ ଏହି ବିଶ୍ୱ ପ୍ରତିଯୋଗିତାରେ କିନ୍ତୁ ଭାରତୀୟ ବରିଷ୍ଠ ପ୍ରତିଯୋଗୀମାନେ କ୍ରମାଗତ ଦ୍ୱିତୀୟ ଦିନ ନିରାଶ ହୋଇଛନ୍ତିି। ଲଗାତାର ଦ୍ୱିତୀୟ ଦିବସରେ ମଧ୍ୟ କେହି ବି ଭାରତୀୟ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିପାରିନାହାନ୍ତି। ପୁରୁଷ ୫୦ ମିଟର ରାଇଫଲ୍‌ ପ୍ରୋନ୍‌ରେ ଚୈନ୍‌ ସିଂହ (୬୨୩.୯) ଚତୁର୍ଦଶ ସ୍ଥାନରେ ସନ୍ତୁଷ୍ଟ ରହିଥିଲା ବେଳେ ଏସୀୟ କ୍ରୀଡ଼ା ରୌପ୍ୟ ବିଜେତା ସଂଜୀବ ରାଜ୍‌ପୁତ (୬୨୦.୦) ୪୮ତମ ସ୍ଥାନ ପାଇଛନ୍ତି। ସେହିପରି ଚୈନ୍‌, ସଂଜୀବ ଓ ଗଗନ ନାରଙ୍ଗଙ୍କୁ ନେଇ ଗଠିତ ଦଳ (୧୮୫୬.୧) ପଞ୍ଚଦଶ ସ୍ଥାନରେ ରହିଛନ୍ତି। ମହିଳା ୫୦ ମିଟର ରାଇଫଲ୍‌ ପ୍ରୋନ୍‌ ବର୍ଗରେ ତେଜସ୍ୱିନୀ ସାଓ୍ଵନ୍ତ (୬୧୭.୪) ୨୮ତମ, ଅଞ୍ଜୁମ୍‌ ମୁଦ୍‌ଗିଲ୍‌ (୬୧୬.୫) ୫୪ତମ, ଶ୍ରେୟା ସାକ୍‌ସେନା (୬୦୯.୯) ୫୪ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା ବେଳେ ଦଳଗତ ଭାବେ (୧୮୪୮.୧) ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛି। କନିଷ୍ଠ ବର୍ଗରେ ଅଭିଜ୍ଞା ପାଟିଲ (୫୬୮) ୧୦ ମିଟର ଏୟାର ପିସ୍ତଲ ବାଳିକା ବର୍ଗରେ ତ୍ରୟୋଦଶ ସ୍ଥାନ ପାଇଛନ୍ତି। ଏପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରୁ କେବଳ ଅଞ୍ଜୁମ୍‌ ଓ ଅପୂର୍ବୀ ହିଁ ଅଲିମ୍ପିକ୍‌ କୋଟା ସ୍ଥାନ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର