ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବ ଜାଭଲିନ୍‌ ଦୁନିଆର ଅନ୍ୟତମ ଦୁଇ ଶ୍ରେଷ୍ଠ ‌ଖେଳାଳି ଭାରତୀୟ ତାରକା ନୀରଜ ଚୋପ୍ରା ଏବଂ ଅଲିମ୍ପିକ୍ ବିଜେତା ପାକିସ୍ତାନର ଅର୍ସଦ ନଦୀମଙ୍କ ସମ୍ପର୍କକୁ ନେଇ ଅତୀତରେ ଅନେକ ଚର୍ଚ୍ଚା ହୋଇଛି। ବିଗତ କିଛି ବର୍ଷ ହେବ ଉଭୟଙ୍କ ମଧ୍ୟରେ ଘନିଷ୍ଠ ବଂଧୁତା ରହିଥିବା ଉଭୟ ସ୍ବୀକାର ବି କରିଥିଲେ। ଏପରିକି ନୀରଜଙ୍କ ମା’ ମଧ୍ୟ ଅର୍ସଦଙ୍କୁ ପୁଅ ଭଳି ଦେଖନ୍ତି ବୋଲି ସ୍ବୀକାର କରିଥିଲେ। ଅବଶ୍ୟ ଏଥିପାଇଁ ତାଙ୍କୁ ଢେର୍‌ ଟ୍ରୋଲ୍ କରିଛନ୍ତି ନୀରଜଙ୍କ ଭାରତୀୟ ପ୍ରଶଂସକମାନେ। ଦୁଇ ଥର ଅଲିମ୍ପିକ୍ ପଦକ ଜିତିଥିବା ନୀରଜଙ୍କୁ ବୁଧବାର ଭାରତ ସରକାର ଟେରିଟୋରିଆଲ୍ ଆର୍ମିର ସମ୍ମାନସୂଚକ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ ପଦ ପ୍ରଦାନ କରିଛନ୍ତି। ଏହା ପରେ ନୀରଜଙ୍କ ପ୍ରତିକ୍ରିୟା ତାଙ୍କ ପୂର୍ବ ମନ୍ତବ୍ୟର ୟୁ ଟର୍ଣ୍ଣ ଭଳି ହୋଇଛି। ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଦେଖା ଦେଇଥିବା ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତି ପରେ ନୀରଜ କହିଛନ୍ତି ‘‘ଅର୍ସଦ ବାସ୍ତବରେ କେବେ ବି ମୋର ଘନିଷ୍ଠ ବଂଧୁ ନଥିଲେ। ସମସ୍ତଙ୍କ ପାଇଁ ମୁଁ ସ୍ପଷ୍ଟ କରିଦେବାକୁ ଚାହେ କି ଅର୍ସଦଙ୍କ ସହ ସେଭଳି ଦୃଢ଼ ସମ୍ପର୍କ ନାହିଁ। ଖେଳାଳି ଭାବେ ଆମେ ପରସ୍ପର ସହ ଆଲୋଚନା କରିଥାଉ। ବିଶ୍ବବ୍ୟାପୀ ଖେଳାଳିଙ୍କ ଗୋଷ୍ଠୀ ଭିତରେ ବଂଧୁତା ରହିଥାଏ।

Advertisment

ଏମିତି ବି ମୋତେ ଯିଏ ସମ୍ମାନ ଦିଏ, ମୁଁ ବି ତାକୁ ସେଭଳି ବ୍ୟବହାର କରେ’’। ଜାଭଲିନ୍ ପରିବାର ଏକ ଛୋଟିଆ ଗୋଷ୍ଠୀ, ସମସ୍ତେ ନିଜ ନିଜ ଦେଶ ପାଇଁ ଖେଳିଥାନ୍ତି ଏବଂ ଶ୍ରେ‌ଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରନ୍ତି। କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ଦୃ‌‌ଷ୍ଟିରୁ ଅର୍ସଦଙ୍କ ସହ ପୂର୍ବ ଭଳି ସମ୍ପର୍କ ରହିପାରିବ ନାହିଁ ବୋଲି ମଧ୍ୟ ନୀରଜ ପ୍ରକାଶ କରିଛନ୍ତି। ଦୋହା ଡାଏମଣ୍ଡ୍ ଲିଗ୍ ପୂର୍ବରୁ ନୀରଜ ଏଭଳି କହିଛନ୍ତି। ଦୋହାରେ ନୀରଜଙ୍କୁ ଦୁଇ ଥର ଅଲିମ୍ପିକ୍ ବିଜେତା ତଥା ୨୦୨୪ ଅଲିମ୍ପିକ୍ସ କାଂସ୍ୟ ବିଜେତା‌ ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ଏବଂ ୨୦୨୪ ଦୋହା ଡାଏମଣ୍ଟ୍ ଲିଗ୍ ବିଜେତା ଚେଚିଆର ଜ୍ୟାକବ୍‌ ଭାଦଲେଚ୍‌, ଜର୍ମାନୀ ଯୋଡ଼ି ଜୁଲିଆନ୍‌ ୱେବର୍‌ ଓ ମ୍ୟାକ୍ସ ଡେନିଙ୍ଗ୍‌, ଜାପାନର ଗେଙ୍କି ଡିନ୍‌ ପ୍ରମୁଖ ଆହ୍ବାନ ଦେବେ। ଓଡ଼ିଆ ପୁଅ କିଶୋର ଜେନା ବି ଏଠାରେ ଗତବର୍ଷ ନବମ ସ୍ଥାନ ପ୍ରଦର୍ଶନକୁ ପଛରେ ପକାଇବା ଆଶା ରଖିଛନ୍ତି। ଏସିଆଡ୍ ରୌପ୍ୟ ବିଜେତା ନୀରଜ ଗତବର୍ଷ ଏଠାରେ ୭୬.୩୧ ମିଟର୍ ଥ୍ରୋ କରିଥିଲେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୭.୫୪ ମିଟର୍ ପର୍ଯ୍ୟନ୍ତ ଲମ୍ବିଛି। ନୀରଜ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଏବଂ ଗତବର୍ଷ ପ୍ୟାରିସ୍‌ ଅଲିମ୍ପିକ୍ସରେ ଅର୍ସଦଙ୍କ ପଛରେ ରହି ରୌପ୍ୟ ଜିତିଥିଲେ।