ଆଜିର ଅର୍ଜୁନ: ନିଆରା ନାୟକ ନେମାର

ମସ୍କୋ ବିଶ୍ୱକପ୍‌ର ଅନ୍ୟତମ ଆକର୍ଷଣ ହେଉଛନ୍ତି ବ୍ରାଜିଲର ୨୬ ବର୍ଷୀୟ ଅଗ୍ରଭାଗ ଖେଳାଳି ନେମାର। ଘୋର ଆର୍ଥିକ ଅନଟନ ମଧ୍ୟରେ ଗଳି ଫୁଟବଲ୍‌ ଖେଳି ବ୍ରାଜିଲ ଏବଂ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ପାଲଟିଥିବା ନେମାରଙ୍କ ଖେଳରେ ଦେଖାଯାଏ ମହାନ ତାରକା ପେଲେଙ୍କ ଝଲକ। ଦ୍ୱିତୀୟ ପଦାର୍ପଣରେ ବ୍ରାଜିଲକୁ ଷଷ୍ଠ ଥର ବିଶ୍ୱ ବିଜୟୀ କରି ପାରିଲେ ନେମାର ନିଜ ଆଦର୍ଶ ପେଲେଙ୍କ ଭଳି ବିଶ୍ୱକପ୍‌ର ଅନ୍ୟତମ ନାୟକ ଭାବେ ଉଭା ହେବେ। ବ୍ରାଜିଲ ମସ୍କୋ ବିଶ୍ୱକପ୍‌ର ପ୍ରମୁଖ ଦାବିଦାର ହୋଇଥିଲା ବେଳେ ନେମାରଙ୍କ ସଫଳତା ଉପରେ ଏହା ଅଧିକ ନିର୍ଭରଶୀଳ। ବ୍ରାଜିଲକୁ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଉପହାର ଦେଇଥିବା ନେମାର କିନ୍ତୁ ଗତ ଫେବ୍ରୁଆରିରେ ଆହତ ହୋଇ ଦୀର୍ଘ ବ୍ୟବଧାନ ପରେ ବ୍ରାଜିଲ ଜାତୀୟ ଦଳକୁ ଫେରିଛନ୍ତି। ସେଥିପାଇଁ ତାଙ୍କ ଫିଟ୍‌ସେନ୍‌କୁ ନେଇ କିଛିଟା ଆଶଙ୍କା ରହିଛି। ହେଲେ ବିଶ୍ୱକପ୍‌ ବେଳକୁ ସେ ପୂରା ସୁସ୍ଥ ହୋଇ ଯାଇଥିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ୨୦୧୪ ବିଶ୍ୱକପ୍‌ରେ ଆୟୋଜକ ବ୍ରାଜିଲ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲା। ହେଲେ ନେମାର ତୃତୀୟ ସର୍ବାଧିକ ଗୋଲ୍‌ ଦେଇ କାଂସ୍ୟ ଜୋତା ଜିତିଥିଲେ। ସେ ମଧ୍ୟ ବିଶ୍ୱକପ୍‌ ଏକାଦଶରେ ସ୍ଥାନ ପାଇଥିଲେ। ୨୦୧୪ର ଅଧୁରା ବିଶ୍ୱକପ୍‌ ସ୍ୱପ୍ନକୁ ୨୦୧୮ରେ ପୂରଣ କରିବାକୁ ନେମାର ନିଶ୍ଚିତ ଭାବେ ଚେଷ୍ଟା କରିବେ। ୧୯୯୨ ମସିହା ଫେବ୍ରୁଆରି ୫ ତାରିଖରେ ଜନ୍ମଗ୍ରହଣ କରିଥିବା ନେମାର ଡିସିଲଭା ସାଣ୍ଟୋସ୍‌ ଜୁନିଅର ‘ନେମାର’ ନାମରେ ଅଧିକ ପରିଚିତ। ବ୍ରାଜିଲର ସାଓ ପାଓଲୋ ସ୍ଥିତ ମୋଗି ଦାସ୍‌ କ୍ରୁଜେସ୍‌ରେ ବଢ଼ିଥିବା ନେମାର ପିତା ନେମାର ସାଣ୍ଟୋସ୍‌ ସିନିଅରଙ୍କ ପ୍ରେରଣାରେ ହିଁ ଫୁଟବଲ୍‌ ଜଗତରେ ପାଦ ଥାପିଥିଲେ। ନେମାର ସିନିଅର ନିଜେ ଜଣେ ଫୁଟବଲ୍‌ ଖେଳାଳି ଥିଲା ବେଳେ ପରବର୍ତୀ ସମୟରେ ନେମାର ଜୁନିଅରଙ୍କ ପରାମର୍ଶଦାତା ପାଲଟି ଯାଇଥିଲେ। ନେମାର ଫୁଟସାଲ୍‌ ଏବଂ ଗଳି ଫୁଟବଲ୍‌ ଖେଳି ବଡ଼ ହୋଇଥିଲେ। ୨୦୦୩ ମସିହାରେ ନେମାର ନିଜ ପରିବାର ସହ ବ୍ରାଜିଲର ଅନ୍ୟତମ ବ୍ୟସ୍ତ ବହୁଳ ସହର ସାଓ ଭିସେଣ୍ଟକୁ ଚାଲି ଯାଇଥିଲେ। ସେଠାରେ ସେ ପର୍ତୁଗିଜା ସାନିଷ୍ଟା ପକ୍ଷରୁ କନିଷ୍ଠ ସ୍ତରୀୟ ଫୁଟ୍‌ବଲ୍‌ ଖେଳିବା ଆରମ୍ଭ କରିଥିଲେ। କିଛି ମାସ ପରେ ନେମାର ପରିବାର ସଣ୍ଟୋସ୍‌କୁ ଚାଲି ଯାଇଥିଲେ। ସେଠାରେ ଯୁବ ନେମାର ସାଣ୍ଟୋସ୍‌ ଏଫ୍‌ସିରେ ଯୋଗ ଦେଇଥିଲେ। କନିଷ୍ଠ ସ୍ତରୀୟ ଫୁଟ୍‌ବଲ୍‌ରେ ସଫଳ ପ୍ରଦର୍ଶନ ଏବଂ ରୋଜଗାର ବଳରେ ନେମାର ଜୁନିଅର ତାଙ୍କ ପରିବାର ପାଇଁ ବହୁ କଷ୍ଟରେ ଏକ ଘର କିଣିଥିଲେ। ୧୫ ବର୍ଷ ବୟସରେ ହିଁ ପରିବାରର ସମସ୍ତ ବୋଝ ତାଙ୍କ ଉପରେ ପଡ଼ି ଯାଇଥିଲା। ୧୭ ବର୍ଷ ବୟସରେ ପୂର୍ଣ୍ଣ କାଳୀନ ପ୍ରାୟୋଜକ ଚୁକ୍ତି ସ୍ୱାକ୍ଷର କରିଥିବା ନେମାର ଅଳ୍ପ କେତେକ କନିଷ୍ଠ ସ୍ତରୀୟ ମ୍ୟାଚ୍‌ ପରେ ସାଣ୍ଟୋସର ବରିଷ୍ଠ ଦଳରେ ସ୍ଥାନ ପାଇଥିଲେ। ସାଣ୍ଟୋସକୁ ଏକାଧିକ କ୍ଷେତ୍ରୀୟ ପ୍ରତିଯୋଗିତାରେ ବିଜୟୀ କରାଇବା ପରେ ସେ ୟୁରୋପ ଯାଇ ସେଠାକାର କ୍ଲବ୍‌ ଫୁଟବଲ୍‌ ଖେଳିଥିଲେ। ବାର୍ସିଲୋନା ଥିଲା ତାଙ୍କ ପ୍ରଥମ ୟୁରୋପୀୟ କ୍ଲବ୍‌। ଲିଓନେଲ୍‌ ମେସି ଏବଂ ଲୁଇସ୍‌ ସୁଆରେଜଙ୍କ ସହ ମିଶି ସେ ବାର୍ସିଲୋନାକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଥିଲେ। ହେଲେ ୨୦୧୭ରେ ୨୨୨ ନିୟୁତ ପାଉଣ୍ଡ ବିନିମୟରେ ବାର୍ସିଲୋନା ଛାଡ଼ି ଫ୍ରାନ୍ସର ପ୍ରତିଷ୍ଠିତ କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ ଜର୍ମେନରେ ଯୋଗ ଦେଇଥିଲେ। ତା’ ସହ ସେ ମଧ୍ୟ ବିଶ୍ୱର ସବୁଠାରୁ ଦାମୀ ଫୁଟ୍‌ବଲର୍‌ ମାନ୍ୟତା ଲାଭ କରିଥିଲେ।

ମାତ୍ର ୧୮ ବର୍ଷ ବୟସରେ ବ୍ରାଜିଲ ଜାତୀୟ ଦଳରୁ ଖେଳିବାର ସୁଯୋଗ ପାଇଥିଲେ ନେମାର। ଏବେ ସୁଦ୍ଧା ସେ ବ୍ରାଜିଲ ପକ୍ଷରୁ ୮୪ ମ୍ୟାଚ୍‌ ଖେଳି ୫୪ ଗୋଲ୍‌ ଦେଇ ସାରିଲେଣି। ଯାହା ବ୍ରାଜିଲ ଖେଳାଳିଙ୍କ ମଧ୍ୟରେ ଚତୁର୍ଥ ସର୍ବାଧିକ। ୨୦୧୧ରେ ବ୍ରାଜିଲ ଦକ୍ଷିଣ ଆମେରିକା ଯୁବ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଜୟୀ ହେବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ୨୦୧୩ ଫିଫା କନ୍‌ଫେଡେରେସନ କପ୍‌ରେ ସେ ସ୍ୱର୍ଣ୍ଣ ଜୋତା ଜିତିଥିଲେ। ଆହତ ହୋଇ ୨୦୧୪ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ସେ ବିଶ୍ୱକପ୍‌ରେ ନିଜ ଅସଲ ଦକ୍ଷତା ଦେଖାଇବାର ସୁଯୋଗ ହରାଇଥିଲେ। ହେଲେ ୨୦୧୬ ରିଓ ଅଲିମ୍ପିକ୍ସରେ ତାଙ୍କ ନେତୃତ୍ୱରେ ହିଁ ବ୍ରାଜିଲ ସ୍ୱର୍ଣ୍ଣ ପଦକ ଜିତିଥିଲା। ବିଚକ୍ଷଣ ପାଦ ଚାଳନା, ଉଭୟ ଗୋଡ଼ରେ ଡ୍ରିଭିଲିଂ କରିବାର ଦକ୍ଷତା ଏବଂ ଶ୍ରେଷ୍ଠ ଫିନିସ୍‌ ପାଇଁ ନେମାର ସଂପ୍ରତି ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲର। ଅନେକ ତାଙ୍କୁ ବ୍ରାଜିଲର ମହାନ ତାରକା ପେଲେଙ୍କ ସହ ତୁଳନା କରନ୍ତି।

ସମ୍ବନ୍ଧିତ ଖବର