ଭୁବନେଶ୍ୱର : ‘ଆମେ ଭାବୁ ଯେ ସାମ୍ବାଦିକତା କେବଳ ଖବର ସଂଗ୍ରହ କରି ତାହାକୁ ପ୍ରକାଶ କରିବା। କ୍ରୀଡ଼ା ସାମ୍ବାଦିକମାନେ ଖେଳ ବିଷୟରେ ଲେଖନ୍ତି। କିନ୍ତୁ ଏହି ଲେଖା ଭିତରେ ଲୁକ୍କାୟିତ ହୋଇ ରହିଥାଏ ଏମିତି କିଛି ପ୍ରେରଣା ଯାହା ଛୋଟପିଲା ଓ ଯୁଗବର୍ଗଙ୍କୁ ବେଶ ପ୍ରଭାବିତ କରିଥାଏ। ମୋ ଖେଳ ଜୀବନ ମଧ୍ୟ ଏମିତି ଆରମ୍ଭ ହୋଇଥିଲା। କୌଣସି ଏକ ଖବର କାଗଜର କ୍ରୀଡ଼ା ପୃଷ୍ଠାରେ ଜଣେ ଖେଳାଳିଙ୍କ ଫଟୋ ବାହାରିଥିଲା। ତାହା ଦେଖି ଉତ୍ସାହିତ ହୋଇଥିଲି। ଦିନେ ମୋ ଫଟୋ ବି ଖବର କାଗଜରେ ବାହାରିବ ବୋଲି ଆଶା ରଖିଥିଲି। ତା’ ପରେ ମୁଁ ଆଉ ପଛକୁ ଫେରିନି। ମୁଁ ଆଜି ଯେଉଁଠି ବି ପହଞ୍ଚି ପାରିଛି ତାହାର ପ୍ରଥମ ଶ୍ରେୟ ଦେବି କ୍ରୀଡ଼ା ସାମ୍ବାଦିକମାନଙ୍କୁ। ଯେଉଁମାନେ ମୋର ଚିର ନମସ୍ୟ’। ଏମିତି ଭାବପୂର୍ଣ୍ଣ ଅଭିବ୍ୟକ୍ତି ରଖିଛନ୍ତି ଅଲିମ୍ପିଆନ୍ ଧାବିକା ଶ୍ରାବଣୀ ନନ୍ଦ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଅବସରେ ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ଏହା କହିଛନ୍ତି ଶ୍ରାବଣୀ।

Advertisment

ମଦର୍ସ ପବ୍ଲିକ ସ୍କୁଲ ବାସ୍କେଟବଲ୍‌ କୋର୍ଟରେ ଅନୁଷ୍ଠିତ ଏହି ଉତ୍ସବରେ ଓସ୍‌ଜା କାର୍ଯ୍ୟକାରୀ ସଭାପତି କେ.ରବିଙ୍କ ଅଧ୍ୟକ୍ଷତା କରିଥିବାବେଳେ ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱରର ବିଭିନ୍ନ ସ୍କୁଲ ପିଲାମାନଙ୍କୁ ନେଇ ବ୍ଲୁ୍ ଓ ରେଡ୍ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଏହି ଅବସରରେ ଆୟୋଜିତ ହୋଇଥିଲା। ଅବସର ପରେ କ୍ରୀଡ଼ା ଲେଖାଲେଖିରେ ମ‌ନୋନିବେଶ କରିଥିବା ଶ୍ରୀ ମହାନ୍ତି କହିଥିଲେ ‘ଜଣେ ବିଦ୍ୱାନ କହିଥିଲେ, ସବୁ ଦିନ ଚା’ ପିଇଲା ବେଳେ ଖବର କାଗଜର ଶେଷ ପୃଷ୍ଠାଟି ପ୍ରଥମେ ପଢ଼େ। କାରଣ ଏହି ପୃଷ୍ଠାରେ ମଣିଷର ସଫଳତାର ବିଷୟ ଥାଏ। ପ୍ରଥମ ପୃଷ୍ଠା ପଛେ ପଢ଼େ କାରଣ, ଏହି ପୃଷ୍ଠାରେ ମଣିଷ ଜୀବନର ବିଫଳତାର କାହାଣୀ ଥାଏ ।। ଏଥିରୁ ଜାଣି ପାରୁଥିବ କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ କେତେ। କ୍ରୀଡ଼ା ଜୀବନକୁ କେବଳ ସୁସ୍ଥ ସବଳ କରି ଗଢ଼ିତୋଳେ ନାହିଁ ବରଂ ଏହା ତୁମ କ୍ୟାରିୟର ଗଢ଼ିବାରେ ସହାୟକ ହେବ ବୋଲି କାର୍ଯ୍ୟକାରୀ ସଭାପତି କେ.ରବି ପ୍ରକାଶ କରିଥିଲେ।

ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର କହିଥିଲେ, ‘ସାମ୍ବାଦିକତାରେ କ୍ରୀଡ଼ା ସାମ୍ବାଦିକତା ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ସେତିକି ନିଷ୍ଠା ନରହିଥିଲେ ଜଣେ କ୍ରୀଡ଼ା ସାମ୍ବାଦିକ ହୋଇପାରିବ ନାହିଁ । ଏସଜେଏଫଆଇର ବରିଷ୍ଠ ଉପସଭାପତି ସମ୍ବିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓସ୍‌ଜା ଯୁଗ୍ମ ସମ୍ପାଦକ ସୁରେଶ ସ୍ୱାଇଁ, କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ, ସଦସ୍ୟ ସନ୍ତୋଷ କୁମାର ମହାନ୍ତି, କୁମାର ବିମଳ ଓ ଶକ୍ତିପ୍ରସାଦ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ। ବାସ୍କେଟବଲ ପ୍ରଶିକ୍ଷକ ତଥା ମଦର୍ସ ପବ୍ଲିକ ସ୍କୁଲ୍‌ର କ୍ରୀଡ଼ା ଶିକ୍ଷକ ଅରୁଣ କୁମାର ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ।