ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭିନ୍ନ ରୂପ: ଟସ୍ ହିଁ ବସ୍

ଦୁବାଇ: ୟୁଏଇ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଶେଷ ହେବା ପରେ ‘ଟସ୍‌’କୁ ନେଇ ପୁଣି ଥରେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। କାରଣ ଏଥରର ବିଶ୍ବକପ୍‌ରେ ଟସ୍ ଯେଭଳି ନିର୍ଣ୍ଣାୟକ ଭୂମିକା ନେଇଛି ସମ୍ଭବତଃ ପୂର୍ବ ୬ ସଂସ୍କରଣକୁ ମିଶାଇଲେ ବି ତା ସହ ସମକକ୍ଷ ହେବନି। ଅଧିକାଂଶ ମ୍ୟାଚ୍‌ର ଫଳାଫଳ ପଛୁଆ ବ୍ୟାଟିଂ କରିଥିବା ଦଳ ସପକ୍ଷରେ ଯାଇଛି। ଫାଇନାଲ୍‌ ମଧ୍ୟ ପଶ୍ଚାତଧାବନ କରିଥିବା ଦଳ ଅଷ୍ଟ୍ରେଲିଆ ଜିତିଛି। ଅଷ୍ଟ୍ରେଲିଆ ଦଳରେ ବହୁ ବିଶ୍ବସ୍ତରୀୟ ଖେଳାଳି ଥିଲେ ମଧ୍ୟ ଏହି ଦଳ ଗୋଟିଏ କାରଣରୁ ଅନ୍ୟ ସମସ୍ତଙ୍କଠାରୁ ଭାଗ୍ୟଶାଳୀ ରହିଛି। କଙ୍ଗାରୁ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ବ୍ୟାଟ୍ ପୂରା ପ୍ରତିଯୋଗିତାରେ ଆପାତତଃ ଶାନ୍ତ ରହିଥିଲେ ମଧ୍ୟ ଟସ୍ ଜିତିବାରେ ସେ ଅନ୍ୟ ସବୁ ଅଧିନାୟକଙ୍କୁ ପଛରେ ପକାଇ ଦେଇଛନ୍ତି। ଅଷ୍ଟ୍ରେଲିଆ ଖେଳିଥିବା ୭ ମ୍ୟାଚ୍ ଭିତରୁ ୬ଥର ସେ ଟସ୍ ଜିତିଛନ୍ତି। ଏହି କ୍ଷେତ୍ରରେ ଭାରତୀୟ ଅଧିନାୟକ ବିରାଟ ‌କୋହଲି ସେତେଟା ଭାଗ୍ୟଶାଳୀ ନଥିଲେ। କାରଣ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଯାକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ହିଁ ଟସ୍ ହାରି ଯାଇଥିଲେ ସେ। ଏହି ଦୁଇ ମ୍ୟାଚ୍ ସହ ଭାରତ ଖେଳିଥିବା ୫ ମ୍ୟାଚ୍‌ରୁ କୋହଲି ଆଫଗାନିସ୍ତାନ ମ୍ୟାଚ୍ ସହ ମୋଟ ତିନିଟି ଟସ୍ ହାରିଥିଲେ। ‌କେବେଳ ଓମାନ ଓ ନାମିବ୍ୟା ବିପକ୍ଷ ମ୍ୟାଚ୍‌ରେ କୋହଲି ଟସ୍ ଜିତିଥିଲେ।

ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟରେ ଆଇସିସିର ପୂର୍ଣ୍ଣକାଳୀନ ସଦସ୍ୟଙ୍କ ମଧ୍ୟରେ ଖେଳାଯାଇଥିବା ୨୩ ମ୍ୟାଚ୍ ମଧ୍ୟରୁ ୧୮ ମ୍ୟାଚ୍ ପଛୁଆ ବ୍ୟାଟିଂ କରିଥିବା ଦଳ ଜିତିଛନ୍ତି। ଆଉ ସେଥିମଧ୍ୟରୁ ୧୫ ମ୍ୟାଚ୍‌ରେ ଟସ୍ ଜିତିଥିବା ଦଳ ହିଁ ବିଜୟୀ ହୋଇଛନ୍ତି। ପୂରା ବିଶ୍ବକପ୍‌ରେ ଖେଳାଯାଇଥିବା ୪୫ ମ୍ୟାଚ୍‌ରୁ ୨୫ ମ୍ୟାଚ୍ ଟସ୍ ଜିତିଥିବା ଦଳ ଜତି ନେଇଥିଲେ। ଏହି କ୍ଷେତ୍ରରେ କାକର ହିଁ ମୁଖ୍ୟ ଖଳନାୟକ ସାବ୍ୟସ୍ତ ହୋଇଛି। ରାତି ମ୍ୟାଚ୍‌ଗୁଡ଼ିକର ଦ୍ବିତୀୟ ପାଳିରେ କାକର ପଡ଼ୁଥିବାରୁ ପଛୁଆ ବ୍ୟାଟିଂ କରୁଥିବା ଦଳ ଅହେତୁକ ଫାଇଦାରେ ରହୁଥିଲେ। ଯାହା ଫଳରେ ଏଥରର ଟ୍ବେଣ୍ଟି-୨୦ ବିଶ୍ବକପ୍ ବେଳେ କ୍ରିକେଟ୍ ବିଶେଷଜ୍ଞ ଏକ ନୂଆ ସ୍ଲୋଗାନ ‘ ଟସ୍ ଜିତ, ମ୍ୟାଚ୍ ଜିତ’ କହିବା ଆରମ୍ଭ କରି ଦେଇଥିଲେ। ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଭରତ ଅରୁଣ ବି ଏକଥା ଉଠାଇଥିଲେ। ସେଥିପାଇଁ ଏହି ଅନୁଚିତ ଫାଇଦାକୁ ଦୂର କରିବା ପାଇଁ ବାଟ ବାହାର କରିବା ଲାଗି କିଂବଦନ୍ତି କ୍ରିକେଟର୍‌ ସୁନିଲ ଗାଭାସ୍କର ଆଇସିସିକୁ ଆହ୍ବାନ କରିଛନ୍ତି। ୟୁଏଇର ତିନିଟି ଯଥା ଷ୍ଟାଡିୟମ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍, ଆବୁଧାବିର ଶେଖ୍ ଜାୟେଦ ଷ୍ଟାଡିୟମ୍ ଓ ସାରଜା କ୍ରିକେଟ୍ ଷ୍ଟାଡିୟମ୍‌ର ମ୍ୟାଚ୍ ଫଳାଫଳକୁ ତର୍ଜମା କଲେ ଏଥରର ବିଶ୍ବକପ୍‌ରେ ଟସ୍ କେତେ ଗୁରୁତ୍ବପୂର୍ଣ୍ଣ ଥିଲା ତାହା ସ୍ପଷ୍ଟ ହୋଇଯାଏ। ଆସନ୍ତୁ ସୁପର-୧୨, ସେମିଫାଇନାଲ୍ ଓ ଫାଇନାଲ୍ ପର୍ଯ୍ୟାୟରେ ଏହି ତିନିଟି ଷ୍ଟାଡିୟମ୍‌ରେ ଟସ୍ କିଭଳି ଭୂମିକା ତୁଲାଇଥିଲା ତା ଉପରେ ନଜର ପକାଇବା।

ଆବୁଧାବି: ଆବୁଧାବିର ଶେଖ୍ ଜାୟେଦ ଷ୍ଟା‌ଡିୟମ୍‌ରେ ୧୧ ମ୍ୟାଚ୍ ଖେଳା ଯାଇଥିଲା। ସେଥିମଧ୍ୟରୁ ଟସ୍ ଜିତିଥିବା ଦଳ ୭ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ପାଳିରେ କାକର ବୋଲିଂ କରୁଥିବା ଦଳଗୁଡ଼ିକ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଥିଲା। ବୋଲରମା‌ନେ ବଲ୍ ଧରିବାକୁ କଷ୍ଟ ଅନୁଭବ କରିବା ସହ କାକର ପଡ଼ିବା ପରେ ନିଜ ଲାଇନ ଓ ଲେନ୍ଥ୍‌ରେ ନିୟନ୍ତ୍ରଣ ରଖି ପାରୁ ନଥିଲେ ସେମାନେ। ଟସ୍ ଜିତି ପ୍ରତିପକ୍ଷକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ଏଠାରେ ବିଜୟର ମନ୍ତ୍ର ପାଲଟି ଯାଇଥିଲା। ଟସ୍ ଜିତି କ୍ଷେତ୍ରରକ୍ଷଣ କରୁଥିବା ଦଳ ପୂରା ପଏଣ୍ଟ ହାସଲ କରିବାର ସର୍ବାଧିକ ସମ୍ଭାବନା ଏଠାରେ ଥିଲା।

ସାରଜା: ଐତିହାସିକ ସାରଜା ଷ୍ଟାଡିୟମ୍‌ରେ ଏଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୯ ମହତ୍ବପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା। ସେଥିମଧ୍ୟରୁ ଟସ୍ ଜିତିଥିବା ଦଳ ୫ ମ୍ୟାଚ୍‌ରେ ବିଜୟର ମିଠା ମିଠା ସ୍ବାଦ ଚାଖିଥିଲେ। ଏଠାରେ ମଧ୍ୟ ଦ୍ବିତୀୟ ବ୍ୟାଟିଂ କରିଥିବା ଦଳକୁ କାକର ବେଶ୍ ସହାୟକ ହୋଇଥିଲା।

ଦୁବାଇ: ସୁପର-୧୨ ପର୍ଯ୍ୟାୟ ଆରମ୍ଭ ହେବାପରଠାରୁ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ ଏଥରର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସର୍ବାଧିକ ମ୍ୟାଚ୍ ଆୟୋଜନ କରିଥିଲା। ଏହି ଷ୍ଟାଡିୟମ୍‌ରେ ଟସ୍ ମ୍ୟାଚ୍ ଫଳାଫଳ ଉପରେ ସର୍ବାଧିକ ପ୍ରଭାବ ପକାଇଥିଲା। ସେଥିପାଇଁ ଟସ୍ ଜିତୁଥିବା ଦଳ ସଙ୍ଗେସଙ୍ଗେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇ ଯାଉଥିଲେ। କାରଣ ରାତିରେ ବ୍ୟାଟିଂ କରିବା ବ୍ୟାଟର୍‌ଙ୍କ ପାଇଁ ସହଜ ହେଉଥିଲା। ବୋଲର କିନ୍ତୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। କହିବାକୁ ଗଲେ ଟସ୍ ଜିତିଥିବା ଅଧିନାୟକଙ୍କ କାମ ସେହିଠାରେ ଅଧା ଶେଷ ହୋଇ ଯାଉଥିଲା। ଏହି ପଡ଼ିଆରେ ଫାଇନାଲ୍ ସହ ୧୩ ମ୍ୟାଚ୍ ଖେଳା ଯାଇଥିଲା। ସେଥିମଧ୍ୟରୁ ୧୧ ମ୍ୟାଚ୍‌ରେ ଟସ୍ ଜିତିଥିବା ଦଳ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର