ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଶ୍ରୀଲଙ୍କା ଗସ୍ତ ଲାଗି ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀର କରିଥିବା ଦୁଇଟି ଦାବିକୁ ବିସିସିଆଇ ଗ୍ରହଣ କରି ନେଇଛି। ତଦନୁଯାୟୀ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟର ଓ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ରିୟାନ୍ ଟେନ୍ ଡସେଟ୍ ଏହି ଗସ୍ତରେ ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। କେକେଆର୍ର ମାର୍ଗଦର୍ଶକ ଭାବେ ଉଭୟ ନାୟର ଓ ଡସେଟ୍ଙ୍କ ସହ ଗମ୍ଭୀର କାମ କରି ସାରିଥିବାରୁ ବିସିସିଆଇ ତାଙ୍କ ସୁପାରିସ୍କୁ ସମ୍ମାନ ଜଣାଇଛି। ତେବେ ପୁରୁଣା କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି.ଦିଲୀପ ଭଲ କାମ କରିଥିବାରୁ ଦଳ ସହ ସଂପ୍ରତି ରହିବେ ବୋଲି ଗମ୍ଭୀରଙ୍କୁ ବିସିସିଆଇ ଜଣାଇ ଦେଇଥିବା ସୂଚନା ମିଳିଛି। ଭାରତୀୟ କ୍ରିକେଟ୍ ଦଳର ନୂଆ ବୋଲିଂ ପ୍ରଶିକ୍ଷକ କିଏ ହେବେ? ସେ ନେଇ କଳ୍ପନା ଜଳ୍ପନା କିନ୍ତୁ ଲାଗି ରହିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମନି ମର୍କେଲଙ୍କୁ ଭାରତର ନୂଆ ବୋଲିଂ ପ୍ରଶିକ୍ଷକ କରିବାକୁ ଗମ୍ଭୀର ଚାହୁଛନ୍ତି। ହେଲେ ଏହି ବିଷୟରେ ବିସିସିଆଇ ତାଙ୍କ ସହ ଏକମତ ନଥିବା ଜଣାପଡ଼ିଛି। ମର୍କେଲଙ୍କର ମଧ୍ୟ ପୂର୍ବରୁ ଗମ୍ଭୀରଙ୍କ ସହ କାମ କରିବାର ଅଭିଜ୍ଞତା ରହିଛି। ସେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଆଇପିଏଲ୍ରେ କେକେଆର୍ର ପ୍ରତିନିଧିତ୍ବ କରିଥିଲେ। ଏପରିକି ଗମ୍ଭୀରଙ୍କ ନେତୃତ୍ବରେ ୨୦୧୪ରେ ଆଇପିଏଲ୍ ବିଜେତା ହୋଇଥିବା କେକେଆର୍ ଦଳର ଅନ୍ୟତମ ସଦସ୍ୟ ଥିଲେ।
ଗମ୍ଭୀରଙ୍କ ଟିମ୍ରେ ରହିଲେ ଦିଲୀପ; ଅଭିଷେକ ଓ ଡସେଟ୍ ସହକାରୀ ପ୍ରଶିକ୍ଷକ
/sambad/media/post_attachments/wp-content/uploads/2024/07/gambhir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)