ଦିଲୀପ ହେଲେ ପିଟିଆର୍‌ ଭାରତ ନିର୍ଦେଶକ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବରିଷ୍ଠ ଟେନିସ ଖେଳାଳି ତଥା ପ୍ରଶିକ୍ଷକ ଓଡ଼ିଶାର ଦିଲୀପ ମହାନ୍ତି ପ୍ରଫେସନାଲ ଟେନିସ ରେଜିଷ୍ଟ୍ରି (ପିଟିଆର୍‌)ର ଭାରତ ନିର୍ଦ୍ଦେଶକ ଭାବେ ଗତ ୨୫ ତାରିଖରେ ନିଯୁକ୍ତି ପାଇଛନ୍ତି। ସେ ନିର୍ଦେଶକ ଭାବେ ପିଟିଆର୍‌ ପାଇଁ ସଦସ୍ୟତା ଯୋଗାଡ଼, କ୍ରୀଡ଼ାଭିତ୍ତିକ ଶିକ୍ଷାଦାନ ଏବଂ ପ୍ରଶିକ୍ଷକଙ୍କ ପାଇଁ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟ କରିବେ। ଶ୍ରୀ ମହାନ୍ତି ଜାତୀୟ କନିଷ୍ଠ ଏବଂ ମାଲେସିଆ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ଯୁଗଳ ବିଜେତା ହୋଇଥିଲା ବେଳେ ସଂପ୍ରତି ସେ ଅନ୍ତର୍ଜାତୀୟ ବରିଷ୍ଠ ଖେଳାଳି ମାନ୍ୟତାରେ ୮୪ତମ ସ୍ଥାନରେ ରହିଛନ୍ତି। ୨୦୦୭ରେ ସେ ପିଟିଆର୍‌ ପକ୍ଷରୁ ଭାରତ ରାଷ୍ଟ୍ରପତି ପୁରସ୍କାର ଏବଂ ୨୦୧୨ରେ ପିଟିଆର୍‌ ବର୍ଷର ଶ୍ରେଷ୍ଠ ଭାରତୀୟ ପ୍ରଶିକ୍ଷକ ପୁରସ୍କାର ପାଇଥିଲେ। ‌ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖେଳିବା ପରେ ପ୍ରଶିକ୍ଷଣ ପ୍ରତି ଆଗ୍ରହ କରିଥିଲେ। ୧୮ ବର୍ଷ ଧରି ସେ ନିଜ ଉଦ୍ୟମରେ ‘ନୀଳାଚଳ ଟେନିସ ଏକାଡେମି ପ୍ରତିଷ୍ଠା କରି ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଓଡ଼ିଶାରେ ‌ମଧ୍ୟ ଟେନିସ୍‌ର ଉନ୍ନତି ପାଇଁ କାର୍ଯ୍ୟ କରିବାର ଯୋଜନା ରଖିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ତାଙ୍କ ଏକାଡେମି ପକ୍ଷରୁ ଗତ ଦୁଇ ବର୍ଷ ହେଲା ଓଡ଼ିଶାରେ ଟେନିସ୍‌ ପ୍ରିମିୟର ଲିଗ୍‌ ଆୟୋଜନ କରିଆସୁଛି।

ପିଟିଆର୍‌ କ’ଣ?
ପିଟିଆର୍‌ ହେଉଛି ଟେନିସ ପ୍ରଶିକ୍ଷକଙ୍କୁ ନେଇ ଗଠିତ ଏକ ବିଶ୍ବସ୍ତରୀୟ ସଂସ୍ଥା। ଏଥିରେ ୧୨୫ ଦେଶର ୧୬,୩୦୦ରୁ ଊର୍ଧ୍ବ ସଦସ୍ୟ ରହିଛନ୍ତି। ଅନ୍ୟ ସଂସ୍ଥାଗୁଡ଼ିକ ତୁଳନାରେ ପିଟିଆର୍‌ରେ ବିଭିନ୍ନ ଦେଶର ପ୍ରତିନିଧି ଏବଂ ମହିଳା ସଦସ୍ୟଙ୍କ ସଂଖ୍ୟା ଅଧିକ ରହିଛି। ସମଗ୍ର ବିଶ୍ବରେ ଟେନିସ୍‌ ଖେଳର ପ୍ରଚାର ପ୍ରସାର ନିମନ୍ତେ ଟେନିସ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା, ପ୍ରମାଣ ତଥା ସ୍ବୀକୃତି କରିବା ପରି କାର୍ଯ୍ୟ ପିଟିଆର୍‌ କରିଥାଏ।

ସମ୍ବନ୍ଧିତ ଖବର