କୋଲକାତା: ୧୯୭୨ ମ୍ୟୁନିକ ଅଲିମ୍ପିକ୍ କାଂସ୍ୟ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିବା ଡାକ୍ତର ଭେସ୍ ପେସ୍ଙ୍କ ଦେହାନ୍ତ ଗୁରୁବାର ସକାଳେ ସ୍ଥାନୀୟ ଏକ ଡାକ୍ତରଖାନାରେ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ପାଖରେ ପତ୍ନୀ ତଥା ପୂର୍ବତନ ଭାରତୀୟ ବାସ୍କେଟ୍ବଲ୍ ଦଳର ଅଧିନାୟିକା ଜେନିଫର ପେସ୍ ଏବଂ ପୁଅ ତଥା ୧୯୯୬ ଆଟ୍ଲାଣ୍ଟା ଅଲିମ୍ପିକ୍ କାଂସ୍ୟ ବିଜେତା ଟେନିସ୍ କିଂବଦନ୍ତି ଲିଆଣ୍ଡର ପେସ୍ ଉପସ୍ଥିତ ଥିଲେ। ଡାକ୍ତର ପେସ୍ ୧୯୪୫ରେ ଗୋଆରେ ଜନ୍ମ ଗ୍ରହଣ କରିଥିଲେ। ସ୍କୁଲ୍ ଓ କଲେଜରୁ ସେ ହକି ଖେଳିବା ଆରମ୍ଭ କରିଥିଲେ। ୧୯୬୬ରେ ହାମ୍ବର୍ଗ ଇଣ୍ଟରନ୍ୟାସ୍ନାଲ୍ କପ୍ରେ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପଦାର୍ପଣ ସମୟରେ ଭେସ୍ ଡାକ୍ତରୀ ଛାତ୍ର ଥିଲେ। ସର୍ବଦା ସେଣ୍ଟର-ହାଫ୍ରେ ଖେଳୁଥିବା ଭେସ୍ଙ୍କୁ ଖେଳଜୀବନରେ ୧୯୭୫ ବିଶ୍ବକପ୍ ହକି ବିଜେତା ଅଧିନାୟକ ଅଜିତପାଲ୍ ସିଂହଙ୍କ ସହ ତୁଳନା କରାଯାଉଥିଲା। ସେ ହକି ସହ ଫୁଟ୍ବଲ୍, କ୍ରିକେଟ୍, ରବ୍ବି ମଧ୍ୟ ଖେଳିଛନ୍ତି। ଏପରିକି ସେ କୋଲକାତାର ଦୁଇ ପ୍ରମୁଖ କ୍ଲବ୍ ମୋହନ ବାଗାନ ଓ ଇଷ୍ଟ୍ବେଙ୍ଗଲରୁ ମଧ୍ୟ ଖେଳିଥିଲେ। ୧୯୯୬ରୁ ୨୦୦୨ ପର୍ଯ୍ୟନ୍ତ ଭାରତୀୟ ରଗ୍ବି ଫୁଟ୍ବଲ୍ ୟୁନିୟନ୍ର ସଭାପତି ରହିଥିଲେ। ହକିରେ ସବୁଠୁ ସଫଳ ହୋଇଥିବା ଭେସ୍ ପରବର୍ତ୍ତୀ ସମୟରେ ସ୍ପୋର୍ଟ୍ସ ମେଡିସିନ୍ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ।
ଭେସ୍ ମଧ୍ୟ ବିଭିନ୍ନ କ୍ରୀଡ଼ାର ସଂସ୍ଥା ଏସୀୟ କ୍ରିକେଟ୍ ପରିଷଦ (ଏସିସି), ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ଭାରତୀୟ ଟେଭିସ୍ କପ୍ ଦଳର ପରାମର୍ଶଦାତା ରହିଥିଲେ। ୧୯୭୨ ଅଲିମ୍ପିକ୍ କାଂସ୍ୟ ଜିତିବା ପୂର୍ବରୁ ଭେସ୍ ୧୯୭୨ ବାର୍ସିଲୋନା ବିଶ୍ବକପ୍ କାଂସ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ରହିବାର ଗୌରବ ପାଇଥିଲେ। ହକି ଖେଳ ଜୀବନ ପରେ ଭେସ୍ ଭାରତୀୟ ଡେଭିସ୍ କପ୍ ଦଳର ଟିମ୍ ଡାକ୍ତର ଭାବେ ପ୍ରାୟ ଗୋଟିଏ ଦଶନ୍ଧି ଧରି କାର୍ଯ୍ୟ କରିବା ସହ ପୁଅ ଲିଆଣ୍ଡରର ପ୍ରବନ୍ଧକ ରହିଥିଲେ। ଭେସ୍ଙ୍କ ପାଇଁ ଲିଆଣ୍ଡର ଆଜି ଟେନସ୍ କିଂବଦନ୍ତି ହୋଇପାରିଛନ୍ତି।
ଡାକ୍ତର ପେସ୍ଙ୍କ ମୃତ୍ୟୁରେ ସାରା କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି। ଭାରତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ା ଜଗତର ବହୁ ଚର୍ଚ୍ଚିତ ତାରକା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଅନ୍ତର୍ଜାତୀୟ ହକି ମହାସଂଘ, ହକି ଇଣ୍ଡିଆ, ଭାରତୀୟ ଅଲିମ୍ପିକ୍ ସଂଘ ଶ୍ରଦ୍ଧାଞ୍ଜଳି ଜଣାଇଛି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ନିଜ ଶୋକ ବାର୍ତ୍ତାରେ କହିଛନ୍ତି, ‘‘ଭେସ୍ ପେସ୍ଙ୍କ ଦେହାନ୍ତ ଦେଶର କ୍ରୀଡ଼ା ଜଗତରେ ଅପୂରଣୀୟ କ୍ଷତି। ଏହା ହକି ଇଣ୍ଡିଆ ପାଇଁ ଦୁଃଖଦ ଦିନ। ଭେସ୍ଙ୍କ ଦେହାନ୍ତ ଏକ ମହାନ ଯୁଗର ଅବସାନ ଘଟିଛି। ମ୍ୟୁନିକ୍ ଅଲିମ୍ପିକ୍ ପଦକ ବିଜୟ ତାଙ୍କ ଦୃଢ଼ତାର ପ୍ରମାଣ। ତାଙ୍କ ସହ ଯେବେ ଭେଟ ହୁଏ, ଆମେ କ୍ରୀଡ଼ାର ଉନ୍ନତି ବିଷୟରେ ହିଁ ଆଲୋଚନା କରୁ। କ୍ରୀଡ଼ା ଲାଗି ଦେଶର ଜଣେ ବଡ଼ ଆଡଭୋକେଟ୍ ଥିଲେ। ପତ୍ନୀ ଜେନିଫର ଓ ପୁଅ ଲିଆଣ୍ଡରଙ୍କ ସହ ସମସ୍ତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛୁ। ଏହି ଅସମୟରେ ଆମେ ସେମାନଙ୍କ ପାଖରେ ରହିଛୁ’’।
Follow Us