ନକଆଉଟ୍ ପର୍ଯ୍ୟାୟ ଆରମ୍ଭ ହେବା ପରେ ବିଶ୍ବକପ୍ର ରୋମାଞ୍ଚ ପୂର୍ବାପେକ୍ଷା ଢେର ବଢ଼ିଛି। ବୁଧବାରର ଆର୍ଜେଣ୍ଟିନା-ଇଂଲଣ୍ଡ କ୍ବାର୍ଟର ଫାଇନାଲ୍ ମଧ୍ୟ ପ୍ରଶଂସକଙ୍କ ଆଶା ପୂରଣ କରିଛି। ଗୁରୁବାର କିନ୍ତୁ ଅସଲ ଲଢ଼େଇ ଦେଖିବାକୁ ମିଳିବ ବୋଲି ଭାବୁଛି। ଦୁଇ ୟୁରୋପୀୟ ଶକ୍ତି ବେଲ୍ଜିୟମ ଓ ଜର୍ମାନି ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ବେଶ୍ ସଂଘଷର୍ପୂର୍ଣ୍ଣ ହେବ େବାଲି ମୋର ଆଶା ଓ ବିଶ୍ବାସ। ହେଲେ କେବଳ ଭାରତୀୟ ହକି ପ୍ରେମୀ ନୁହେଁ, ସମଗ୍ର ହକି ଜଗତର ନଜର କିନ୍ତୁ ଆୟୋଜକ ଭାରତ ଏବଂ ଗତଥରର ଉପବିଜେତା ନେଦରଲାଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ ଉପରେ ରହିବ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ସଦୃଶ ହେବ। ଅତୀତ ପରିସଂଖ୍ୟାନ ଦୃଷ୍ଟିରୁ ଅବଶ୍ୟ ନେଦରଲାଣ୍ଡର ବିଶ୍ବକପ୍ ପ୍ରଦର୍ଶନ ଭାରତଠାରୁ ଢେର ଭଲ। ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍ରେ ବି ନେଦରଲାଣ୍ଡର ବିଜୟ ପ୍ରତିଶତ ତୁଳନାତ୍ମକ ଭାବେ ଅଧିକ। ଗୁରୁବାର ମୁକାବିଲାରେ କିନ୍ତୁ ଏହାର କୌଣସି ମୂଲ୍ୟ ରହିବ ନାହିଁ। କାରଣ ହକିରେ ଏକ ନିର୍ଦିଷ୍ଟ ଦିନର ପ୍ରଦର୍ଶନ ହିଁ ମହତ୍ବ ରଖିଥାଏ। ତା’ ଛଡ଼ା ଭାରତକୁ ଘରୋଇ ପରିବେଶରେ ଖେଳିବାର ଫାଇଦା ମିଳିବ। ଘରୋଇ ପ୍ରଶଂସକ ପୂର୍ବ ମ୍ୟାଚ୍ ଭଳି ଏହି ମ୍ୟାଚ୍ରେ ଦ୍ବାଦଶ ଖେଳାଳିର ଭୂମିକା ତୁଲାଇବେ। ଏକଥା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଭାରତ ପାଇଁ ନେଦରଲାଣ୍ଡକୁ ନକଆଉଟ୍ କରିବା ସେତେଟା ସହଜ ହେବନି। ଭାରତୀୟ ହକି ଦଳ ସଂପ୍ରତି ଯେଭଳି ଭାବେ ଖେଳୁଛି ସେହି ଧାରାକୁ ଜାରି ରଖି ପାରିଲେ କ୍ବାର୍ଟରରେ ନେଦରଲାଣ୍ଡ ବାଧା ଅତିକ୍ରମ କରିବାରେ ବିଶେଷ କିଛି ଅସୁବିଧା ହେବ ନାହିଁ । ଭାରତ ପୁଲରେ ଟପ୍ କରି କ୍ବାର୍ଟରକୁ ଯାଇଛି। ଏଣୁ ନେଦରଲାଣ୍ଡ ମନରେ ମଧ୍ୟ ଡର ଥିବ। ଭାରତର ଆକ୍ରମଣ କେମିତି ଏବଂ କିଭଳି ହେବ ସେ ଆଶଙ୍କା ସେମାନଙ୍କ ମନରେ ଥିବ। ଅତୀତ କଥା ବିଚାରକୁ ନେଲେ ଆଗରୁ ଭାରତ ଟିକିଏ ରକ୍ଷଣାତ୍ମକ ହକି ଖେଳୁଥିଲା। ଏବେ ରକ୍ଷଣଭାଗ ସହ ଆକ୍ରମଣରେ ମଧ୍ୟ ଭଲ କରୁଛି। ଆମ ଖେଳାଳିମାନେ ସର୍କଲ ରେଗୁଲେସନକୁ ବିଚାରକୁ ନେଇ ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରି ପାରୁଛନ୍ତି। ଅତୀତ ପରିସଂଖ୍ୟାନ କଥା ଯଦି କହିବା ତାହାଲେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାର ଯଥେଷ୍ଟ ଭଲ କୀର୍ତ୍ତିମାନ ଥିଲେ ମଧ୍ୟ ଲିଗ୍ ପର୍ଯ୍ୟାୟରେ ଫ୍ରାନ୍ସ ତାକୁ ହରାଇ ଦେଇ ସମସ୍ତଙ୍କୁ ଚକିତ କରିଦେଲା। କ୍ବାର୍ଟର ଫାଇନାଲରେ ଇଂଲଣ୍ଡ ଏହି ଦଳକୁ ଶକ୍ତ ଧକ୍କା ଦେଲା। ସେହି ଦୃଷ୍ଟିରୁ ଭାରତ ଗୁରୁବାର ନୂଆ ଧାରା ସୃଷ୍ଟି କରିପାରେ। ସର୍ବୋପରି ଗୁରୁବାର ଏକ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ ବୋଲି ଭାବୁଛି। ମନରେ ଭାରତ ବିଜୟୀ ହେବାର ଆଶା ରହିଛି। ଏଥିଲାଗି ଭାରତୀୟ ଦଳକୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା। ଷ୍ଟାଡିୟମକୁ ଆସି ଭାରତୀୟ ଦଳକୁ ଆହୁରି ଅଧିକ ଉତ୍ସାହିତ କରିବାକୁ ମୁଁ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କୁ ଆହ୍ବାନ କରୁଛି।
ପୁରୁଣା ପରିସଂଖ୍ୟାନର କୌଣସି ମାନେ ନାହିଁ, ଦିଲୀପ ତିର୍କି
/sambad/media/post_attachments/wp-content/uploads/2018/12/Untitled-7-8.jpg)