ଦଲିପ ଟ୍ରଫି ଫାଇନାଲ୍‌: ଜୟସ୍ବାଲଙ୍କ ଦ୍ବିଶତକ; ପଶ୍ଚିମାଞ୍ଚଳ ୩୧୯ ରନ୍‌ରେ ଆଗୁଆ

କୋଏମ୍ବାଟୁର : ଦକ୍ଷିଣାଞ୍ଚଳ ବିପକ୍ଷ ଦଲିପ ଟ୍ରଫି ଫାଇନାଲ୍‌ରେ ୫୭ ରନ୍‌ର ପ୍ରଥମ ପାଳି ପଛୁଆ ରହିବା ପରେ ପଶ୍ଚିମାଞ୍ଚଳ ଦ୍ବିତୀୟ ପାଳିରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ପା‌ଳିରେ ୨୭୦ ରନ୍‌ କରିଥିବା ଆଜିଙ୍କ୍ୟ ରହାଣେଙ୍କ ଦଳ ଦ୍ବିତୀୟ ପାଳିରେ ଓପ୍‌ନର ଯଶସ୍ବୀ ଜୟସ୍ବାଲ (୨୦୯*)ଙ୍କ ଅପରାଜିତ ଦ୍ବିଶତକ ଏବଂ ଶ୍ରେୟସ ଆୟର (୭୧)ଙ୍କ ବହୁମୂଲ୍ୟ ଅର୍ଦ୍ଧଶତକ ସହାୟତାରେ ଶୁକ୍ରବାର ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୩ ୱିକେଟ୍‌ ବିନିମୟରେ ୩୭୬ ରନ୍‌ କରିଛି। ଫଳରେ ପ୍ରଥମ ପାଳିରେ ୩୨୭ ରନ୍‌ କରିଥିବା ହନୁମା ବିହାରୀଙ୍କ ଦକ୍ଷିଣାଞ୍ଚଳଠାରୁ ମୋଟ ଉପରେ ୩୧୯ ରନ୍‌ର ଅଗ୍ରଣୀ ହାସଲ କରିନେଇଛି। ହାତରେ ଆଉ ୭ ୱିକେଟ୍‌ ଥିବାରୁ ପଶ୍ଚିମାଞ୍ଚଳ ବଡ଼ ସ୍କୋର୍‌ ଛିଡ଼ା କରିବାର ସମ୍ଭାବନା ସୃଷ୍ଟି କରିଛି।

ଏହି ମ୍ୟାଚ୍‌ର ପ୍ରଥମ ଦୁଇ ଦିନରେ ୧୭ ୱିକେଟ୍‌ର ପତନ ଘଟିଥିଲା ବେଳେ ତୃତୀୟ ଦିବସରେ ୬ ୱିକେଟ୍‌ ଝଡ଼ିଛି। ଗୁରୁବାର ୩୧୮/୭ କରିଥିବା ଦକ୍ଷିଣାଞ୍ଚଳ ଆଜି ଆଉ ମାତ୍ର ୯ ରନ୍ ଯୋଡ଼ି ଅବଶିଷ୍ଟ ୩ ୱିକେଟ୍‌ ହରାଇଥିଲା। ଜୟଦେବ ଉନାଦ୍‌କତ୍‌ (୪/୫୨), ଅତୀତ ସେଠ୍‌ (୩/୫୧), ଚିନ୍ତନ ଗାଜା (୨/୩୩) ଏବଂ ତନୁଷ କୋଟିୟାଁ (୧/୧୧୦) ଭଲ ବୋଲିଂ କରିଥିଲେ ମଧ୍ୟ ଦକ୍ଷିଣାଞ୍ଚଳ ପ୍ରଥମ ପାଳିରେ ୫୭ ରନ୍‌ର ଅଗ୍ରଣୀ ହାସଲ କରିନେଇଥିଲା। ଜବାବରେ ପଶ୍ଚିମାଞ୍ଚଳ ପ୍ରଥମ ପାଳିର ତ୍ରୁଟି ସୁଧାରିବାରେ ସମର୍ଥ ହୋଇଥିଲା। ବିଶେଷକରି ଜୟସ୍ବାଲ ଅପରାଜିତ ଦ୍ବିଶତକ ଜମାଇ ପାଳିକୁ ଆଗେଇ ନେଇଥିଲା ବେଳେ ଆୟର ୭୧ ରନ୍‌ କରିଥିଲେ। ଉଭୟ ଜୟସ୍ବାଲ ଓ ଆୟର ତୃତୀୟ ୱିକେଟ୍‌ରେ ୧୬୯ ରନ୍ ଯୋଡ଼ିଥିଲେ। ଏହା ପୂର୍ବରୁ ପ୍ରିୟଙ୍କ ପାଞ୍ଚଲ (୪୦)ଙ୍କ ସହ ଜୟସ୍ବାଲ ପ୍ରଥମ ୱିକେଟ୍‌ରେ ୧୧୦ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ପ୍ରଥମ ପାଳିରେ ୮ ରନ୍‌ କରିଥିବା ଅଧିନାୟକ ରହାଣେ ଦ୍ବିତୀୟ ପାଳିରେ ୧୫ ରନ୍‌ କରିପାରିଥିଲେ। ତେବେ ଜୟସ୍ବାଲ ଓ ସର୍ଫରାଜ ଖାନ୍‌ (୩୦*) ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୫୮ ରନ୍ ଯୋଡ଼ି ଦକ୍ଷିଣାଞ୍ଚଳ ବୋଲରଙ୍କୁ ନିରାଶ କରିଛନ୍ତି।

ସମ୍ବନ୍ଧିତ ଖବର