ଦଲିପ ଟ୍ରଫି ଫାଇନାଲ୍‌: ରେଡ୍‌ ୧୧୪ ରନ୍‌ରେ ଆଗୁଆ

ବେଙ୍ଗାଲୁରୁ: ଦଲିପ ଟ୍ରଫି ଫାଇନାଲ୍‌ରେ ଇଣ୍ଡିଆ ଗ୍ରିନ୍‌ ବିପକ୍ଷରେ ଇଣ୍ଡିଆ ରେଡ୍‌ ପାଳି ଅଗ୍ରଣୀ ନେଇଛି। ପ୍ରଥମ ପାଳିରେ ଗ୍ରିନ୍‌ ଦଳ ୨୩୧ ରନ୍‌ କରିଥିଲା ବେଳେ ରେଡ୍‌ ଦଳ ତୃତୀୟ ଦିନର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ୬ ୱିକେଟ୍‌ ହରାଇ ୩୪୫ ରନ୍‌ କରିଛି। ଫଳରେ ହାତରେ ୪ ୱିକେଟ୍‌ ଥାଇ ରେଡ୍‌ ୧୧୪ ରନ୍‌ରେ ଆଗୁଆ ରହିଛି। ପୂର୍ବଦିନର ୧୭୫/୨ରୁ ରେଡ୍‌ ଦଳ ଶୁକ୍ରବାର ଖେଳ ଆରମ୍ଭ କରିଥି‌ଲା। ଏଥିରେ ଆଉ ୪ ୱିକେଟ୍‌ ହରାଇ ୧୭୦ ରନ୍‌ ଯୋଡ଼ିଥିଲା। ବର୍ଷା ଓ ଆଲୋକ ଅଭାବ ଯୋଗୁଁ ତୃତୀୟ ଦିବସ ଖେଳ ନିର୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍‌ ଅଭିମନ୍ୟୁ ଈଶ୍ବରନ୍‌ ୧୫୩ ରନ୍‌ (୧୬ ଚୌକା ଓ ୨ ଛକା) ଏବଂ ଅଙ୍କିତ କାଲ୍‌ସି ୩୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଈଶ୍ବରନ୍‌ ପୂର୍ବ ଦିନର ସ୍କୋର୍‌ରେ ଆଉ ୫୧ ରନ୍‌ ଯୋଡ଼ିଥିଲେ। ସେ ମଧ୍ୟ ତୃତୀୟ ୱିକେଟ୍‌ରେ କାଲ୍‌ସିଙ୍କ ସହ ୧୦୧ ରନ୍ ଯୋଡ଼ି ରେଡ୍‌ ଦଳର ସ୍ଥିତି ମଜବୁତ୍‌ କରିଥିଲେ। ଶୁକ୍ରବାରର ଷ୍ଟମ୍ପ୍‌ ଅପସାରଣ ବେଳକୁ ଆଦିତ୍ୟ ସେରୱାତ ୩୦ ଓ ଜୟଦେବ ଉନାଦକଟ୍‌ ୧୦ ରନ୍‌ରେ ବ୍ୟାଟିଂ କରୁଥିଲେ। ଗ୍ରିନ୍‌ ପକ୍ଷରୁ ଅଙ୍କିତ ରାଜପୁତ ୩ ୱିକେଟ୍‌ ନେଇଥିଲେ। ‌

ସମ୍ବନ୍ଧିତ ଖବର