କଟକ: ଓଡ଼ିଶା ପୁରୁଷ ଓ ମହିଳା କ୍ରିକେଟ୍ ଦଳର ପ୍ରଶିକ୍ଷକଙ୍କୁ ନେଇ ‘ସମ୍ବାଦ’ର ପୂର୍ବ ସୂଚନା ସତ ହୋଇଛି। ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆଙ୍କୁ ନିଯୁକ୍ତି ମିଳିଛି। ସେହିଭଳି ଭାରତୀୟ ମହିଳା କ୍ରିକେଟର ତଥା ବେଙ୍ଗଲର ରୁମେଲି ଧର୍ଙ୍କୁ ଓଡ଼ିଶା ସିନିଅର ମହିଳା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ଓସିଏର କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ର ବସିଥିବା ଗରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଯୁକ୍ତି ଉପରେ ଗତ ଶୁକ୍ରବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, ଆସନ୍ତା ୨୦୨୩-୨୪ ବିସିସିଆଇ ଘରୋଇ କ୍ରିକେଟ୍ ଋତୁ ପାଇଁ ଓସିଏ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଉଭୟ ମହିଳା ଓ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଓ ଚୟନ କମିଟି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ପ୍ରଭଞ୍ଜନ ମଲ୍ଲିକଙ୍କୁ ବରିଷ୍ଠ ଚୟନ ସମିତିରୁ କନିଷ୍ଠ ଚୟନ ସମିତି ମୁଖ୍ୟ କରାଯାଇଛି। ଏହାଫଳରେ ତାଙ୍କ ସ୍ଥାନରେ ବରିଷ୍ଠ ପୁରୁଷ ଚୟନ କମିଟିରେ ଅଧ୍ୟକ୍ଷ ଭାବେ ଅମିୟ ରାୟଙ୍କୁ ନିଯୁକ୍ତ କରାଯାଇଥିଲା ବେଳେ ସୌରଜିତ ମହପାତ୍ର ଓ ସୁବିତ ବିଶ୍ବାଳ ସଭ୍ୟ ରହିଛନ୍ତି। ସେହିପରି କନିଷ୍ଠ ଚୟନ କମିଟିରେ ନିରଂଜନ ବେହେରା ଓ ଶୁଭ୍ରଜିତ ସାହୁ ସଭ୍ୟ ରହିଛନ୍ତି। ମହିଳା ଚୟନ କମିଟିରେ ରଶ୍ମିତା ମହାପାତ୍ର (ଅଧ୍ୟକ୍ଷ), ଶଶ୍ମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ଗଙ୍ଗୋତ୍ରୀ ବେହେରା ଓ ସୁଧାଂଶୁବାଳା ସାହୁ ପ୍ରମୁଖ ସଭ୍ୟ ରହିଛନ୍ତି ବୋଲି ଓସିଏ ସଂପାଦକ ସଂଜୟ ବେହେରା ଜଣାଇଛନ୍ତି।