ଭୁବନେଶ୍ବର : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଦିନେଶ ମୋଙ୍ଗିଆଙ୍କୁ ଓଡ଼ିଶା ପୁରୁଷ ସିନିୟର ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ସେହିପରି ରୁମେଲି ଧରଙ୍କୁ ମହିଳା ସିନିୟର ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ବିସିସିଆଇର ୨୦୨୩-୨୪ ଘରୋଇ ସିଜିନ ପାଇଁ ଉଭୟଙ୍କୁ ଏହି ନିଯୁକ୍ତି ଦିଆଯାଇଛି ।
ଦିନେଶ ମୋଙ୍ଗିଆ ଗତ ୨୦୧୯ରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଗ୍ରହଣ କରିସାରିଛନ୍ତି । ଓଡିଶା ଦଳର ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ସେ ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ଓଡ଼ିଶା ପୁରୁଷ ସିନିୟର ଦଳର ଖେଳାଳିମାନଙ୍କୁ ଭେଟିବେ ।
ଗତ ରଣଜୀ ସିଜିନରେ ଓଡ଼ିଶା ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଓଡ଼ିଶା କେବଳ ବେଙ୍ଗଲ ବିରୋଧରେ ହିଁ ଜିତିପାରିଥିଲା । ଏହା ପରେ ଜଣେ ନୂଆ କୋଚ ନିଯୁକ୍ତ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ନିଷ୍ପତ୍ତି ନେଇଥିଲା ।
୨୦୦୧ରେ ଅଷ୍ଟ୍ରେଲିଆ ବିରୋଧରେ କ୍ୟାରିୟର ଆରମ୍ଭ କରିଥିବା ମୋଙ୍ଗିଆ ୫୭ଟି ଦିନିକିଆ ମ୍ୟାଚ ଓ ଗୋଟିଏ ଟି-୨୦ ଖେଳିଛନ୍ତି । ସେ ମଧ୍ୟ ୨୦୦୩ ଭାରତୀୟ ବିଶ୍ବକପ ଦଳର ସଦସ୍ୟ ଥିଲେ ।