ଭୁବନେଶ୍ବର: ଭାରତୀୟ ଦଳର ପୂର୍ବତନ ଅଲ୍ରାଉଣ୍ଡର ଦିନେଶ ମୋଙ୍ଗିଆ ଓଡ଼ିଶା ରଣଜୀ ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି। ତାଙ୍କ ସହିତ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ଆନୁଷ୍ଠାନିକ ଆଲୋଚନା ଶେଷ ହୋଇସାରିଥିଲା ବେଳେ ଆସନ୍ତା ୨୧ ତାରିଖରେ ସେ ଓଡ଼ିଶାକୁ ଆସିପାରନ୍ତି। ବର୍ତ୍ତମାନ ସମ୍ଭାବ୍ୟ ରାଜ୍ୟ ଦଳର ଖେଳାଳିମାନଙ୍କୁ ନେଇ ସ୍ବତନ୍ତ୍ର ଭାବେ ଅଭ୍ୟାସ ଶିବିର ଚାଲୁରହିଛି। ତେଣୁ ମୋଙ୍ଗିଆ ଓଡ଼ିଶା ଆସିବା ପରେ ସିଧାସଳଖ ଖେଳାଳିଙ୍କ ସହିତ ପରିଚିତ ହେବେ ବୋଲି ଜଣାପଡ଼ିଛି। ସେହିପରି ମହିଳା ଦଳର ପ୍ରଶିକ୍ଷକ ଭାବେ ପୁଷ୍ପାଞ୍ଜଳି ବାନାର୍ଜୀଙ୍କ ଉପରେ ଓସିଏ ସନ୍ତୁଷ୍ଟ ନଥିବାରୁ ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ରୂମେଲି ଧର୍ଙ୍କୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି କରିବାର ଯୋଜନା ରଖିଛି। ତେବେ ଓସିଏର ନୂଆ ପ୍ରଶିକ୍ଷକମଣ୍ଡଳୀ ଓ ଚୟନ ସମିତି ବିଷୟରେ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ଗତ ରଣଜୀ ଋତୁରେ ଓଡ଼ିଶାର ପ୍ରଦର୍ଶନ ଆଶାନୁରୂପକ ନଥିଲା। ମୁଖ୍ୟ ପ୍ରଶିକ୍ଷକ ଆର୍. ଶ୍ରୀକାନ୍ତଙ୍କ ପ୍ରଶିକ୍ଷଣରେ ଓଡ଼ିଶା ୭ ମ୍ୟାଚ୍ ଖେଳିଥିଲା ବେଳେ କେବଳ ବେଙ୍ଗଲ ବିପକ୍ଷରେ ବିଜୟୀ ହୋଇଥିଲା। ୨ ପରାଜୟ ଓ ୪ ଅମୀମାଂସିତ ମ୍ୟାଚ୍ ସହ ଓଡ଼ିଶା ଏଲିଟ୍ ଗ୍ରୁପ୍ ଏ’ରେ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ତେଣୁ ପ୍ରଶିକ୍ଷକ ବଦଳାଇବା ପାଇଁ ଓସିଏ ପକ୍ଷରୁ ଚିନ୍ତା କରାଯିବା ପରେ ଏଥିପାଇଁ ଏକାଧିକ ଆବେଦନ ଆସିଥିଲା। ରଣଜୀ ଦଳର ପ୍ରଶିକ୍ଷକ ପାଇଁ ଯେଉଁମାନେ ଆବେଦନ କରିଥିଲେ କିମ୍ବା ଯେଉଁମାନଙ୍କ ସହ ଆଲୋଚନା କରାଯାଇଥିଲା, ସେମାନଙ୍କ ମଧ୍ୟରୁ କେବଳ ୪ଜଣଙ୍କ ନାମକୁ ବିଚାରକୁ ନିଆଯାଇଥିଲା। ଏହି ୪ଜଣଙ୍କ ମଧ୍ୟରୁ ମାତ୍ର ଜଣେ ଓଡ଼ିଶାର ଥିଲେ। ରଶ୍ମିରଂଜନ ପରିଡ଼ା ଏକମାତ୍ର ଓଡ଼ିଆ ଭାବେ ରଣଜୀ ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ରହିଥିଲେ। କିନ୍ତୁ ଏୟାର ଇଣ୍ଡିଆରେ ସେ ଚାକିରି କରିଥିଲା ବେଳେ ତାଙ୍କର କୋଲକାତାକୁ ବଦଳି ହୋଇଯାଇଛି। ସେହିପରି ପୂର୍ବତନ ଜାତୀୟ ଚୟନକର୍ତ୍ତା ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ ଏବଂ ଭାରତୀୟ ଦଳର ପୂର୍ବତନ ସ୍ପିନର ରମେଶ ପାୱାରଙ୍କ ଭାଇ କିରଣ ପାୱାର ଏହି ଦୌଡ଼ରେ ରହିଥିଲେ। କିନ୍ତୁ ଏସମସ୍ତଙ୍କୁ ପଛରେ ପକାଇ ଦିନେଶଙ୍କୁ ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ କରିବା ପାଇଁ ଓସିଏ ମୋହର ମାରିଥିବା ଜଣାପଡ଼ିଛି। ତେବେ ଦିନେଶ ତାଙ୍କ ପ୍ରଶିକ୍ଷଣ ମଣ୍ଡଳୀ ମଧ୍ୟରେ ଜଣେ ବୋଲିଂ ପ୍ରଶିକ୍ଷକଙ୍କୁ ରଖିବାକୁ ଚାହୁଁଥିବାରୁ ଏହି ସ୍ଥାନ ପାଇଁ ଦୀପକ ମଙ୍ଗରାଜ କିମ୍ବା ସଂଜୟ ଶତପଥିଙ୍କୁ ନିଯୁକ୍ତି ମିଳିପାରେ ବୋଲି ଜଣାପଡ଼ିଛି।
ପଞ୍ଜାବ ପାଇଁ ୧୯୯୫/୯୬ ଋତୁରୁ ଘରୋଇ ପ୍ରତିଯୋଗିତା ଖେଳିଥିବା ଦିନେଶ ୨୦୦୧ରେ ଭାରତ ପାଇଁ ଦିନିକିଆ ପଦାର୍ପଣ କରିଥିଲେ। ୫୭ ଦିନିକିଆରୁ ୧ ଶତକ ଓ ୪ ଅର୍ଦ୍ଧଶତକ ସହ ୨୭.୯୫ ହାରରେ ୧୨୩୦ ରନ୍ କରିଥିଲେ। ସେହିପରି ତାଙ୍କ ନାମରେ ୧୪ ଦିନିକିଆ ୱିକେଟ୍ ମଧ୍ୟ ରହିଛି। ୨୦୦୨ ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିଜେତା ଓ ୨୦୦୩ ଦିନିକିଆ ବିଶ୍ବକପ୍ରେ ଉପବିଜେତା ହୋଇଥିଲା ବେଳେ ଦିନେଶ ଏହି ଦଳର ସଦସ୍ୟ ଥିଲେ। ସେ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଟେଷ୍ଟ୍ରେ ୩୮ ରନ୍ କରିଥିଲେ। ସେ ଭାରତର ପ୍ରଥମ କ୍ରିକେଟର ଭାବେ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲେ। ଇଂଲଣ୍ଡର କାଉଣ୍ଟି କ୍ରିକେଟ୍ରେ ଲଙ୍କାସାୟର ପକ୍ଷରୁ ୨୦୦୪ ଟ୍ବେଣ୍ଟି-୨୦ କପ୍ରେ ଲିସେଷ୍ଟରସାୟର ବିପକ୍ଷରେ ଖେଳିଥିଲେ। ତେବେ ୨୦୦୮ରେ ଆରମ୍ଭ ହୋଇଥିବା ବିବାଦୀୟ ଇଣ୍ଡିଆନ୍ କ୍ରିକେଟ୍ ଲିଗ୍ (ଆଇସିଏଲ୍)ରେ ଖେଳିବା ପାଇଁ ଚୁକ୍ତି କରିବା ପରେ ବିସିସିଆଇ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ତା’ପରଠୁ ମୋଙ୍ଗିଆ ଆଉ ପେସାଦାର କ୍ରିକେଟ୍ ଖେଳିନାହାନ୍ତି। ଅନ୍ୟପକ୍ଷରେ ମହିଳା ପ୍ରଶିକ୍ଷକ ରୂମେଲି ଭାରତ ପାଇଁ ୪ ଟେଷ୍ଟ, ୭୮ ଦିନିକିଆ ଓ ୧୮ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି।
ବସନ୍ତ, ପ୍ରଭଞ୍ଜନଙ୍କୁ ମିଳିପାରେ କନିଷ୍ଠ ଦଳ ଦାୟିତ୍ବ
ଗତ ରଣଜୀ ଋତୁରେ ଅବସର ନେଇଥିବା ତଥା ୪୦୦ ୱିକେଟ୍ ପୂରଣ କରିଥିବା ଦ୍ବିତୀୟ ଓଡ଼ିଆ ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କୁ ଆଗାମୀ କ୍ରିକେଟ୍ ଋତୁରୁ ପ୍ରଶିକ୍ଷକ ଭୂମିକାରେ ଦେଖିବାକୁ ମଳିବ। ଯଦିଓ ତାଙ୍କୁ ରଣଜୀ ଦଳରେ ବୋଲିଂ ପ୍ରଶିକ୍ଷକ ରଖିବା ପାଇଁ କେତେକ ଚାହିଁଥିଲେ, କିନ୍ତୁ ନୂଆ ଖେଳାଳି ସୃଷ୍ଟି କରିବା ପାଇଁ ବସନ୍ତଙ୍କୁ କନିଷ୍ଠ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯିବାକୁ ଓସିଏ ଯୋଜନା କରିଥିବା ଜଣାପଡ଼ିଛି। ସେହିପରି ବରିଷ୍ଠ ଦଳର ମୁଖ୍ୟ ଚୟନକର୍ତ୍ତା ପ୍ରଭଞ୍ଜନ ମଲ୍ଲିକଙ୍କୁ ମଧ୍ୟ ୧୯ ବର୍ଷରୁ କମ୍ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯିବା ସମ୍ଭାବନା ଅଧିକ ରହିଛି। ପ୍ରଭଞ୍ଜନ ପ୍ରଶିକ୍ଷକ ହୋଇଯିବା ପରେ ତାଙ୍କ ପଦବିରେ ଅମିୟ ରାୟଙ୍କୁ ମୁଖ୍ୟ ଚୟନକର୍ତ୍ତା କରାଯିବ। ସେହିପରି ନିରଂଜନ ବେହେରା, ସୁବିତ ବିଶ୍ବାଳ, ନଟରାଜ ବେହେରାଙ୍କୁ ୧୬ ବର୍ଷରୁ କମ୍ ଦଳରେ ଥଇଥାନ କରାଯାଇପାରେ।