ଦୀପା ‘ଖେଳରତ୍ନ’ ପୁନିଆ ଓ ଜା‌ଦେଜା ଆସିପାରିଲେନି

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଖେଳ ଦୁନିଆରେ ଉତ୍କୃର୍ଷ ଲାଭ କରିଥିବା କ୍ରୀଡ଼ାବିତମାନଙ୍କୁ ବିଭିନ୍ନ ଜାତୀୟ ସ୍ତରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଭିନ୍ନକ୍ଷମ ଆଥଲେଟ୍ ଦୀପା ମଲ୍ଲିକ ମହାମହିମ ରାଷ୍ଟ୍ରପତିଙ୍କଠାରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ ପୁରସ୍କାର ଗ୍ରହଣ କରିଛନ୍ତି। ହେଲେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା କୁସ୍ତି ତାରକା ବଜରଙ୍ଗ ପୁନିଆ ଆଜିର ଉତ୍ସବରେ ଯୋଗ ଦେଇ ପାରି ନାହାନ୍ତି। ଆଗାମୀ ବିଶ୍ବ ପ୍ରତିଯୋଗିତା ଲାଗି ରୁଷିଆରେ ପ୍ରସ୍ତୁତି କରୁଥିବାରୁ ପୁନିଆ ପୁରସ୍କାର ନେଇ ପାରି ନାହାନ୍ତି। ସେହିଭଳି କ୍ରିକେଟର ରବୀନ୍ଦ୍ର ଜାଦେଜା ୱେଷ୍ଟଇଣ୍ଡିଜରେ ଶୃଙ୍ଖଳା ଖେଳୁଥିବାରୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ନେବାକୁ ଅସମର୍ଥ ହୋଇଛନ୍ତି। ଏମାନେ ସ୍ବଦେଶ ଫେରିବା ପରେ ନିଜ ନିଜର ପୁରସ୍କାର ଗ୍ରହଣ କରିବେ। ଦୀପା କିନ୍ତୁ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜାଭେଲିନ୍ ତାରକା ଦେବେନ୍ଦ୍ର ଝାଝରଙ୍କ ପରେ ‘ଖେଳରତ୍ନ’ ପୁରସ୍କାର ପାଇବାରେ ଦ୍ବିତୀୟ ପାରାଆଥଲେଟ୍ ହୋଇଛନ୍ତି। ଏହା ପୂର୍ବରୁ ସେ ୨୦୧୭ରେ ଅର୍ଜୁନ ପୁରସ୍କାର ପାଇଥିଲେ। ୪୯ ବର୍ଷୀୟା ଦୀପା ମଧ୍ୟ ‘ଖେଳରତ୍ନ’ ପୁରସ୍କାର ଗ୍ରହଣ କରିବାରେ ବୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି। ପୁରସ୍କାର ପାଇବା ପରେ ଦୀପା କହିଥିଲେ ଯେ ମୁଁ ବହୁତ ଖୁସି। ଏହା ଦ୍ବାରା ଭିନ୍ନକ୍ଷମ ଖେଳାଳିଙ୍କ ପ୍ରତି ଲୋକଙ୍କ ମନରେ ଥିବା ଭାବନା ବଦଳିବ ବୋଲି ଆଶା କରୁଛି। ଭିନ୍ନକ୍ଷମ ମହିଳା ଆଥଲେଟଙ୍କ ପାଇଁ ଏହି ପୁରସ୍କାର ପ୍ରେରଣାର ବଳିଷ୍ଠ ଉଦାହରଣ ହେବ ବୋଲି ଆଶା କରୁଛି। ବିଶ୍ବ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ସାଇ ପ୍ରଣୀତ, ମହିଳା କ୍ରିକେଟର ପୁନମ ଯାଦବ, ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ହେପ୍ଟାଥଲନ ତାରକା ସ୍ବପ୍ନା ବର୍ମନ, ଫୁଟବଲର ଗୁରୁପ୍ରୀତ ସିଂହ ସହ ୧୯ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିଛି। ରାଷ୍ଟ୍ରପତିଙ୍କଠାରୁ ଗୁରୁବାର ପୁରସ୍କାର ଗ୍ରହଣ କରିଥିବା ଖେଳାଳିମାନେ ହେଲେ: ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର- ଦୀପା ମଲ୍ଲିକ (ପାରା ଆଥଲେଟ୍)। ଦ୍ରୋଣାଚାର୍ଯ୍ୟ ପୁରସ୍କାର- ବିମଳ କୁମାର (ବ୍ୟାଡମିଣ୍ଟନ), ସନ୍ଦୀପ ଗୁପ୍ତା (ଟେବୁଲ ଟେନିସ୍), ମହିନ୍ଦର ସିଂହ ଢିଲୋଁ। ଦ୍ରୋଣାଚାର୍ଯ୍ୟ ପୁରସ୍କାର (ଜୀବନ ବ୍ୟାପୀ ସେବା ସମ୍ମାନ): ମର୍ଜବାନ ପଟେଲ (ହକି), ରାମବୀର ସିଂହ ଖୋଖର (କବାଡ଼ି), ସଞ୍ଜୟ ଭରଦ୍ବାଜ (କ୍ରିକେଟ୍)। ଅର୍ଜୁନ ପୁରସ୍କାର: ତେଜିନ୍ଦର ସିଂହ ତୁର (ସଟ୍‌ପୁଟ୍), ମହମ୍ମଦ ଆନସ ୟାହିୟା (ଦୌଡ଼କୁଦ), ଏସ୍ ଭାସ୍କରନ୍ (ସୁନ୍ଦରସ୍ବାସ୍ଥ୍ୟ), ସୋନିଆ ଲାଥେର (ମୁଷ୍ଟିଯୁଦ୍ଧ), ଚିଙ୍ଗଲାସାନା ସିଂହ କଙ୍ଗୁଜାମ (ହକି), ଅଜୟ ଠାକୁର (କବାଡ଼ି), ଗୌରବ ସିଂହ ଗିଲ୍ (ମୋଟରଚାଳନା), ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ୍), ଅଞ୍ଜୁମ ମୁଦଗିଲ (ବନ୍ଧୁକଚାଳନା), ହରମିତ ରାଜୁଲ ଦେଶାଇ (ଟେବୁଲ ଟେନିସ୍), ପୂଜା ଧଣ୍ଡା (କୁସ୍ତି), ଫୌୱାଦ ମିର୍ଜା (ଅଶ୍ବଚାଳନା), ଗୁରପ୍ରୀତ ସିଂହ ସାନ୍ଧୁ (ଫୁଟବଲ୍), ପୁନମ ଯାଦବ (କ୍ରିକେଟ୍), ସ୍ବପ୍ନା ବର୍ମନ (ଦୌଡ଼କୁଦ), ସୁନ୍ଦର ସିଂହ ଗୁଜର (ପାରା ଦୌଡ଼କୁଦ), ସାଇ ପ୍ରଣୀତ (ବ୍ୟାଡମିଣ୍ଟନ୍), ସିମରନ୍ ସିଂହ ସେରଗିଲ (ପୋଲୋ)। ଧ୍ୟାନଚାନ୍ଦ ପୁରସ୍କାର: ମାନୁଏଲ ଫ୍ରେଡରିକ୍ (ହକି), ଅରୂପ ବସାକ (ଟେବୁଲ ଟେନିସ୍), ମନୋଜ କୁମାର (କୁସ୍ତି), ନିତିନ କୀର୍ତନେ (ଟେନିସ୍), ଲାଲରେମସାଙ୍ଗା (ତୀରନ୍ଦାଜୀ)। ରାଷ୍ଟ୍ରୀୟ ଖେଳ ‌ପ୍ରୋତ୍ସାହନ ପୁରସ୍କାର: ଗଗନ ନାରଙ୍ଗ ସ୍ପୋର୍ଟସ ପ୍ରମୋସନ୍ ବଡିଂ ଆଣ୍ଡ ୟଙ୍ଗ୍ ଟ୍ୟା‌ଲେଣ୍ଟ ଫାଉଣ୍ଡେସନ୍ ଓ ଗୋ ସ୍ପୋର୍ଟସ, ରାୟଲସୀମା ଡେଭଲପମେଣ୍ଟ ଟ୍ରଷ୍ଟ। ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି: ପଞ୍ଜାବ ବିଶ୍ବବିଦ୍ୟାଳୟ, ଚଣ୍ଡିଗଡ଼: ବିଜେତା, ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ: ଉପ ବିଜେତା, ପଞ୍ଜାବୀ ବିଶ୍ବବିଦ୍ୟାଳୟ, ପାତିଆଲା: ଉପ ବିଜେତା। ତେନଜିଂ ନର୍ଗେ ଜାତୀୟ ଦୁଃସାହସିକ ପୁରସ୍କାର: ଅପର୍ଣ୍ଣା କୁମାର (ଲ୍ୟାଣ୍ଡ୍ ଆଡଭେଞ୍ଚର), ସ୍ବର୍ଗତ ଦୀପଙ୍କର ଘୋଷ (ଲ୍ୟାଣ୍ଡ୍ ଆଡଭେଞ୍ଚର), ମଣିକନ୍ଦନ କେ (ଲ୍ୟାଣ୍ଡ୍ ଆଡଭେଞ୍ଚର), ପ୍ରଭାତ ରାଜୁ କୋଲି (ୱାଟର୍ ଆଡଭେଞ୍ଚର), ରାମେଶ୍ବର ଜାଙ୍ଗରା (ଏୟାର ଆଡଭେଞ୍ଚର)।

ସମ୍ବନ୍ଧିତ ଖବର