ଚଣ୍ଡିଗଡ଼ : ଆଣ୍ଠୁ ଆଘାତ ଯୋଗୁଁ ଟୋକିଓ ଅଲିମ୍ପିକ୍ସରେ ଭାଗନେବା ନେଇ ଜିମ୍ନାଷ୍ଟିକ୍ ତାରକା ଦୀପା କର୍ମକାର ଚିନ୍ତିତ ଥିଲେ। ହେଲେ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚି ଯିବା ଦୀପାଙ୍କ ପାଇଁ ବରଦାନ ସଦୃଶ ହୋଇଛି। ଟୋକିଓ ଅଲିମ୍ପିକ୍ସ ପାଇଁ ୬୫ରୁ ୭୦ ପ୍ରତିଶତ ଜିମ୍ନାଷ୍ଟିକ୍ କୋଟା ଶେଷ ହୋଇଯାଇଛି। ଫଳରେ ଅଲିମ୍ପିକ୍ସ ଟିକେଟ୍ ଲାଗି ଏହି ତ୍ରିପୁରା ଯୁବତୀ ଆଗାମୀ ଦୁଇ ବିଶ୍ୱକପ୍ ଉପରେ ନଜର ରଖିଛନ୍ତି। ଯାହା ଚଳିତ ବର୍ଷ ମାର୍ଚ୍ଚରେ ହେବାକୁ ଧାର୍ଯ୍ୟ ହୋଇଥିଲା। ହେଲେ କରୋନା ଯୋଗୁଁ ବର୍ତ୍ତମାନ ଏହା ଜୁନ୍କୁ ଘୁଞ୍ଚିଯାଇଛି।
୬୫ରୁ ୭୦ ପ୍ରତିଶତ ଜିମ୍ନାଷ୍ଟ ଟୋକିଓ ପାଇଁ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ଆଠଟି ବିଶ୍ୱକପ୍ ଥିଲା କିନ୍ତୁ ବର୍ତ୍ତମାନ କେବଳ ଦୁଇଟି ବାକି ଅଛି। ମାର୍ଚ୍ଚରେ ଧାର୍ଯ୍ୟ ହୋଇଥିବା ଏହି ଦୁଇ ପ୍ରତିଯୋଗିତା ଜୁନ୍କୁ ଘୁଞ୍ଚାଇ ଦିଆଯାଇଛି। ସାମ୍ପ୍ରତିକ ପରିସ୍ଥିତି ଏବେ ଯାହା ରହିଛି ତାହା ମଧ୍ୟ ସମ୍ଭବ ନୁହେଁ ବୋଲି ଲକ୍ଡାଉନ୍ରେ ଘରେ ଥିବା ୨୬ ବର୍ଷୀୟ ଦୀପା କହିଛନ୍ତି। ବିଶ୍ବରେ କରୋନା ଯେଉଁପରି ବ୍ୟାପୀବାକୁ ଲଗିଛି ଭାରି ଦୁଃଖଦାୟକ। ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ଏହି ଦୁଇ କାର୍ଯ୍ୟକ୍ରମ ହେବାର ସମ୍ଭାବନା ଅଛି। ଯାହା ମୋତେ ପୁନରୁଦ୍ଧାର ଏବଂ ପ୍ରସ୍ତୁତି ପାଇଁ ଅଧିକ ସମୟ ମିଳିଯିବ। ଏହି ସମୟ ମଧ୍ୟରେ ମୁଁ ଫିଟ୍ ହୋଇ ଯାଇଥିବି ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ଘୁଞ୍ଚିବା ନିଷ୍ପତ୍ତିକୁ ଦୀପା ସମର୍ଥନ କରି କହିଛନ୍ତି, କରୋନା ଭୂତାଣୁ ଦ୍ବାରା ଏତେ ସଂଖ୍ୟକ ଲୋକ ପ୍ରଭାବିତ ଓ ମୃତ୍ୟୁବରଣ କରିବା ଆଶ୍ଚର୍ଯ୍ୟଜନକ ଏବଂ ଯନ୍ତ୍ରଣାଦାୟକ ଅଟେ। ଆଇଓସି ଏକ ଭଲ ନିଷ୍ପତ୍ତି ନେଇଛି। ଲୋକଙ୍କ ଜୀବନ ମୂଲ୍ୟବାନ, ଏହାଠୁ ଖେଳ ଉଚ୍ଚରେ ନୁହେଁ। ନିୟନ୍ତ୍ରଣ ବାହାରେ କ’ଣ ଅଛି ଚିନ୍ତା କରିବାର କୌଣସି ଅର୍ଥ ନାହିଁ। ମୁଁ ନିଜକୁ ସାନ୍ତ୍ୱନା ଦେଉଥିଲି। କିନ୍ତୁ ଅବଶ୍ୟ ଏପରି ଘଟଣା ମାନସିକସ୍ତରରେ ବିବ୍ରତ କରିଥାଏ। ସେହିଠାରେ ମାନସିକ ସୁସ୍ଥତାର ଗୁରୁତ୍ୱ ଆସିଥାଏ ଏବଂ ଏହି ସମୟରେ ମୁଁ ପ୍ରଶିକ୍ଷକ ଏବଂ ମନସ୍ତତ୍ବବିତ୍ ପାଇଥିବାରୁ ଭାଗ୍ୟବାନ ଅଟେ ବୋଲି ସେ କହିଛନ୍ତି। ଆମେ ସାଧାରଣତଃ ମାନସିକ ସୁସ୍ଥତାର ଗୁରୁତ୍ୱକୁ ଅଣଦେଖା କରିଥାଉ। ଏହା ଆମ ଜୀବନର ପ୍ରତ୍ୟେକ ଅଂଶରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ। ମୁଁ ଖୁସି ଯେ ଅନେକ କ୍ରୀଡ଼ାବିତ୍ ମାନସିକ ସ୍ବାସ୍ଥ୍ୟ ଏବଂ ଫିଟନେସ୍ ବିଷୟରେ କହିଛନ୍ତି େବାଲି ଦୀପା ପ୍ରକାଶ କରିଛନ୍ତି। ଦୀର୍ଘ ଦିନର ବିରତି ପରେ ଦୀପା ଅଭ୍ୟାସକୁ ଫେରିଥିଲେ। ଲକ୍ଡାଉନ୍ ପାଇଁ ସେ ହାଲ୍କା ହେବାକୁ ଚେଷ୍ଟା କରୁଥିଲେ। ହେଲେ ତାଙ୍କ ପ୍ରଶିକ୍ଷକ ବିଶ୍ବେଶ୍ବର ନନ୍ଦୀ ଏହାକୁ କରିବାକୁ ଦେଉନାହାନ୍ତି। ଦୀପାଙ୍କ ପାଇଁ ସ୍ବତନ୍ତ୍ର ରୁଟିନ୍ ପ୍ରସ୍ତୁତ କରିଛନ୍ତି। ଏହି ରୁଟିନ ଅନୁଯାୟୀ ଦୀପା ଘରେ ନିଜର ଅଭ୍ୟାସ ଜାରି ରଖିଛନ୍ତି।