ଦୀପକ ବିଶ୍ବର ଏକ ନମ୍ବର କୁସ୍ତି‌ଯୋଦ୍ଧା

ନୂଆଦିଲ୍ଲୀ: ବିଶ୍ବ ପ୍ରତିଯୋଗିତାର ରୌପ୍ୟ ବିଜେତା ଭାରତୀୟ ପହଲିମାନ ଦୀପକ ପୁନିଆ (୮୬ କେଜି) ଶୁକ୍ରବାର ଘୋଷିତ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସଂପ୍ରତି ଦୀପକ ୮୨ ପଏଣ୍ଟ୍‌ ସହ ବିଶ୍ବ ବିଜେତା ଇରାନର ହାସନ ୟାଜଦାନିଙ୍କଠୁ ୪ ପଏଣ୍ଟ୍‌ ଆଗରେ ରହିଛନ୍ତି। ୨୦ ବର୍ଷୀୟ ଦୀପକ ଆହତ ଯୋଗୁଁ ବିଶ୍ବ ପ୍ରତିଯୋଗିତାର ଫାଇନାଲ୍‌ରୁ ଓହରିଯିବାରୁ ୟାଜଦାନି ସ୍ବର୍ଣ୍ଣ ଜିତିଥିଲେ। ତେବେ ଶୀର୍ଷରେ ଥିବା ବଜରଙ୍ଗ ପୁନିଆ (୬୫ କେଜି) ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଜିତିବାରୁ ଗୋଟିଏ ସ୍ଥାନ ଖସି ଦ୍ବିତୀୟରେ ରହିଛନ୍ତି। ୬୫ କେଜିରେ ସ୍ବର୍ଣ୍ଣ ଜିତିଥିବା ରୁଷିଆର ଗାଜିମୁରାଦ ରାସିଦୋଭ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ୫୭ କେଜି ବର୍ଗରେ କାଂସ୍ୟ ଜିତିଥିବା ରବି ଦାହିଆ ଶୀର୍ଷ ୫ ମଧ୍ୟରେ ପ୍ରବେଶ କରିଛନ୍ତି। ‌ସେ ୩୯ ପଏଣ୍ଟ୍‌ ସହ ପଞ୍ଚମରେ ରହିଛନ୍ତି। ମହିଳାରେ କାଂସ୍ୟ ପଦକ ସହ ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ କରିଥିବା ଭିନେଶ ଫୋଗତ (୫୩ କେଜି) ୪ ସ୍ଥାନ ଉପରକୁ ଉଠି ଦ୍ବିତୀୟରେ ପହଞ୍ଚିଛନ୍ତି। ସୀମା ବିସ୍‌ଲା (୫୦ କେଜି) ତୃତୀୟ, ୫୯ କେଜି ବର୍ଗାରେ ମଞ୍ଜୁ କୁମାରୀ (୪୦) ତୃତୀୟ ଓ ପୂଜା ଧଣ୍ଡା (୩୨) ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧିତ ଖବର