ଭାରତୀୟ ମହିଳା ହକି ଦଳରେ ଦୀପଗ୍ରେସ ଓ ଲିଲିମା

ନୂଆଦିଲ୍ଲୀ: ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍‌ ଟେ‌ଷ୍ଟ ଇଭେଣ୍ଟ୍‌ରେ ଭାଗ ନେବା ପାଇଁ ଶୁକ୍ରବାର ଭାରତୀୟ ମହିଳା ହକି ଦଳ ଘୋଷିତ ହୋଇଛି। ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଜାପାନର ଟୋକିଓରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଘୋ‌ଷିତ ୧୮ ଜଣିଆ ଦଳରେ ଓଡ଼ିଶାରୁ ୨ ଜଣ ଝିଅ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପଗ୍ରେସ୍‌ ଏକ୍କା ଓ ଲିଲିମା ମିଞ୍ଜ। ରାଣୀ ଦଳର ଅଧିନାୟିକା ମନୋନୀତ ହୋଇଥିଲା ବେଳେ ସବିତାଙ୍କୁ ଉପଅଧିନାୟିକା ଦାୟିତ୍ବ ମିଳିଛି। ବିଶେଷକରି ହିରୋସୀମାରେ ମହିଳା ସିରିଜ୍‌ ଫାଇନାଲ୍‌ସ ଖେଳିଥିବା ଦଳର ୧୬ ଖେଳାଳି ସ୍ଥାନ ବଜାୟ ରଖିଥିବା କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌। କେବଳ ମହିଳା ସିରିଜ୍‌ ଫାଇନାଲ୍‌ସ ଦଳରେ ଦୁଇଟି ପରିବର୍ତନ କରାଯାଇଛି। ଓଡ଼ିଆ ଝିଅ ସୁନିତା ଲାକ୍ରା ଓ ଜ୍ୟୋତିଙ୍କୁ ବାଦ୍‌ ଦିଆଯାଇଥିଲା ବେଳେ ସେମାନଙ୍କ ସ୍ଥାନରେ ଯୁବା ଖେଳାଳି ଶର୍ମିଲା ଦେବୀ ଓ ରୀନା ଖୋକର ସ୍ଥାନ ପାଇଛନ୍ତି। ଏବେ ବିଶ୍ବ ମାନ୍ୟତାର ଦଶମ ସ୍ଥାନରେ ଥିବା ଭାରତ ଅଲିମ୍ପିକ୍ ଟେଷ୍ଟ୍‌ ଇଭେଣ୍ଟ୍‌ ପ୍ରତିଯୋଗିତାରେ କଡ଼ା ଆହ୍ବାନର ସମ୍ମୁଖୀନ ହେବ। ଭାରତକୁ ଏହି ପ୍ରତିଯୋଗିତାରେ ବିଶ୍ବ ମାନ୍ୟତାର ଦ୍ବିତୀୟ ଅଷ୍ଟ୍ରେଲିଆ, ଏକାଦଶ ମାନ୍ୟତା ଚୀନ୍‌ ଏବଂ ଚତୁର୍ଦଶ ମାନ୍ୟତା ତଥା ଆୟୋଜକ ଜାପାନ ଭଳି ଶକ୍ତିଶାଳୀ ଦଳ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ ସୂଚୀ ଅନୁଯାୟୀ ଭାରତ ୧୭ ତାରିଖରେ ଜାପାନ, ୧୮ରେ ଅଷ୍ଟ୍ରେଲିଆ ଏବଂ ୨୦ରେ ଚୀନ୍‌ ସହ ଖେଳିବ। ୨୧ ତାରିଖରେ ପୁଲ୍‌ର ତୃତୀୟ ଓ ଚତୁର୍ଥ ଏବଂ ପ୍ରଥମ ଓ ଦ୍ବିତୀୟ ସ୍ଥାନ ମଧ୍ୟରେ ମୁକାବିଲା ହେବ।

୧୮ ଜଣିଆ ଦଳ: ସବିତା (ଉପଅଧିନାୟିକା) ଓ ରଜନୀ ଇଟିମାର୍ପୁ (ଗୋଲ୍‌ରକ୍ଷିକା), ଦୀପ୍‌ଗ୍ରେସ୍‌ ଏକ୍କା, ରୀନା ଖୋକର, ଗୁରଜିତ କୌର, ସୁଶୀଳା ଚାନୁ ପୁଖ୍ରମ୍‌ବାମ୍‌, ସାଲିମା ଟେଟେ, ନିଶା, ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ୍‌, ନେହା ଗୋୟଲ, ରାଣୀ (ଅଧିନାୟିକା), ନଭନୀତ କୌର, ବନ୍ଦନା କାଟାରିୟା, ଲାଲ୍‌ରେମ୍‌ସିଆମି, ନଭଜ୍ୟୋତ୍‌ କୌର ଓ ଶର୍ମିଲା ଦେବୀ।

ସମ୍ବନ୍ଧିତ ଖବର